ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ସହ ଆଧାର ସଂଯୋଗ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ମୋବାଇଲ ଫୋନ୍‌ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ବିଚାର ଏକ ସାମ୍ବିଧାନିକ ଖଣ୍ଡପୀଠ ଦ୍ୱାରା କରାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ବ୍ୟାଙ୍କ ଏବଂ ମୋବାଇଲ ଫୋନ୍‌ କମ୍ପାନିମାନଙ୍କ ଦ୍ୱାରା ଗ୍ରାହକଙ୍କୁ ଘନଘନ ମେସେଜ ପଠାଯାଇ ଆଧାର ସହ ମୋବାଇଲ୍‌ ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ନକଲେ ସେବା ବନ୍ଦ ହୋଇଯିବ ବୋଲି ଯେଉଁ ଚେତାବନୀ ଦିଆଯାଉଛି ତାହାକୁ ସର୍ବୋଚ୍ଚ ଅଦାଲତ ନାପସନ୍ଦ କରିଛନ୍ତି। ଏପରି କରି ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରା ନ ଯାଉ ବୋଲି ଅଦାଲତ କହିଛନ୍ତି। ତେବେ କେନ୍ଦ୍ର ସରକାର ଏପରି ମେସେଜ ପଠାଯିବାକୁ ଅସ୍ୱୀକାର କରିଛନ୍ତି।

ମାତ୍ର ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଏ.କେ. ସିକ୍ରି କେନ୍ଦ୍ର ସରକାରଙ୍କ ଯୁକ୍ତିଙ୍କୁ ପ୍ରତ୍ୟାଖ୍ୟନ କରି କହିଛନ୍ତି କି ମୁଁ ମଧ୍ୟ ଏପରି ମେସେଜ ପାଉଛି।’ ଏହି ମେସେଜରେ ଚେତାବନୀ ଦିଆଯାଉଛି କି ଆଧାର ସଂଯୋଗ ନକଲେ ମୋବାଇଲ ଓ ଆକଉଣ୍ଟ ଅଚଳ ହୋଇଯିବ।

ସର୍ବୋଚ୍ଚ ଅଦାଲତ ବ୍ୟାଙ୍କ ଓ ମୋବାଇଲ ଅପରେଟରମାନଙ୍କୁ ଭୟଭୀତ କରିବା ଭଳି ମେସେଜ ଗ୍ରାହକମାନଙ୍କୁ ନ ପଠାଇବାକୁ ତାଗିଦ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗ ବିଚାରାଧୀନ ରହିଥିବାରୁ ଏପରି ନ କରିବା ଉଚିତ ବୋଲି ଅଦାଲତ ମତ ଦେଇଛନ୍ତି।

ଏଥିସହ ସୁପ୍ରିମକୋର୍ଟ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସରକାର ବ୍ୟାଙ୍କ ଓ ଟେଲିକମ୍‌ କମ୍ପାନିମାନଙ୍କୁ ପ୍ରତି ମେସେଜରେ ଆଧାର ସଂଯୋଗର ଶେଷ ତାରିଖ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରନ୍ତୁ। ଉଲ୍ଲେଖଯୋଗ୍ୟ କି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗର ଶେଷ ତାରିଖ ଡିସେମ୍ବର ୩୧ ରହିଛି।

ଅନ୍ୟପକ୍ଷରେ ଗତକାଲି କେନ୍ଦ୍ରସରକାର ଘୋଷଣା କରିଛନ୍ତି କି ଫେବ୍ରୁଆରି ୬ ତାରିଖ ହେଉଛି ମୋବାଇଲ ନମ୍ବର ସହ ଆଧାର ସଂଯୋଗର ଶେଷ ତାରିଖ।

ମାବାଇଲ ଫୋନ୍‌ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ଦ୍ୱାରା ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେବ ବୋଲି ଅଭିଯୋଗ କରି ଏହା ଉପରେ ରହିତାଦେଶ ଜାରି ଲାଗି ଆବେଦନ ଜଣାଇ ଏକାଧିକ ମାମଲା ସୁପ୍ରିମ କୋର୍ଟଙ୍କ ନିକଟରେ ଦାୟର ହୋଇଥିଲା।

ସମ୍ବନ୍ଧିତ ଖବର