କଟକ : ଗଣେଶ ପୂଜାରୁ ଆରମ୍ଭ ହୋଇଯାଉଛି ପାର୍ବଣ ଋତୁ। ପାର୍ବଣ ସମୟରେ ସକ୍ରିୟ ହୋଇଉଠୁଥିବା ବେଆଇନ୍ ଚାନ୍ଦା ଆଦାୟକାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଯୋଜନା କରିଛି ଓଡ଼ିଶା ପୁଲିସ୍। ଯେଉଁମାନେ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ପୁଲିସ୍ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଏସ୍ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘରକୁ ଘର ବୁଲି ଚାନ୍ଦା ମାଗୁଥିବା, ରାଜପଥରେ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଅନୁସାରେ ମାମଲାର ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଅଭିଯୋଗ ହେଲେ ଆଇପିସିର ଦଫା ୩୮୪, ୩୮୬, ୩୮୭, ୩୯୨, ୩୯୪ କିମ୍ବା ୩୦୫ ଅନୁଯାୟୀ ମାମଲା ରୁଜୁ କରାଯିବ। ଏଭଳି ଚାନ୍ଦା ଆଦାୟକାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ସ୍ଥାନୀୟ ଆଇଆଇସିମାନେ ଜାତୀୟ ଓ ରାଜ୍ୟ ରାଜପଥ ମାନଙ୍କରେ ନିୟମିତ ଭାବେ ପାଟ୍ରୋଲିଂ କରିବେ। କୌଣସି ଗାଡ଼ି ଯେପରି ରାଜପଥ ଉପରେ ନରୁହେ ଏବଂ କୌଣସି ଡ୍ରାଇଭର ଯେପରି କୌଣସି ଅପ୍ରୀତିକର ପରିସ୍ଥିତିରେ ନପଡ଼ନ୍ତି ସେଥିପ୍ରତି ଆଇଆଇସିମାନେ ଧ୍ୟାନ ଦେବେ। ଏଥିସହିତ ବସ୍ ଷ୍ଟାଣ୍ଡ, ବସ୍ ଷ୍ଟପେଜ୍ ଭଳି ଚାନ୍ଦା ଆଦାୟ ସ୍ଥାନ ମାନଙ୍କରେ ପୁଲିସ୍ ଚଢଉ କରିବ। ଆବଶ୍ୟକ ହେଲେ ସେହିସ୍ଥାନମାନଙ୍କରେ ଫୋର୍ସ ମୁତୟନ କରାଯିବ। ନିଜ ଅଞ୍ଚଳମାନଙ୍କରେ ଥିବା କମ୍ୟୁନିଟି ପୁଲିସ୍ ଓ ବିଟ୍ ପୁଲିସ୍ମାନଙ୍କ ଜରିଆରେ ଚାନ୍ଦା ଆଦାୟକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଚାନ୍ଦା ଆଦାୟକାରୀଙ୍କ ବିଷୟରେ ବ୍ୟବସାୟୀ, ଦୋକାନୀ ଓ ପରିବହନ କର୍ମଚାରୀମାନେ ଯେପରି ନିର୍ଭୟରେ ସୂଚନା ଦେଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ। ଏଥିସହିତ ବରିଷ୍ଠ ନାଗରିକ ଏବଂ ପୂଜା କମିଟିର ସଦସ୍ୟମାନଙ୍କଠାରୁ ମଧ୍ୟ ସୂଚନା ସଂଗ୍ରହ କରାଯାଇପାରିବ। ସୂଚନା ପ୍ରଦାନକାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଗୋପନୀୟତା ଅବଲମ୍ବନ କରାଯିବ। ପ୍ରତି ଥାନା ପରୀସିମାରେ ଥିବା ଚାନ୍ଦା ଆଦାୟକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରିବାକୁ ଆଇଆଇସିମାନଙ୍କୁ କୁହାଯାଇଛି। ଏସବୁ ପରାମର୍ଶ ସତ୍ତ୍ୱେ ଯଦି କୌଣସି ଆଇଆଇସି ଡ୍ୟୁଟିରେ ଖିଲାପ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ ସଂପୃକ୍ତ ଅଞ୍ଚଳର ଏସ୍ପି ଓ ଡିସିପିମାନେ କାର୍ଯ୍ୟାନୁଷ୍ଠାନ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି।