ଢେଙ୍କାନାଳ : ଡାକ୍ତର-ଡାକ୍ତରାଣୀଙ୍କ କଳିରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଆଜି ଢେଙ୍କାନାଳ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଡାକ୍ତର ବନୋଜ ଦାଶ ଓ ଡାକ୍ତର ସଂଜ୍ଞା ଦାସଙ୍କ ବିରୋଧରେ ପୁଲିସ ଦଫା ୩୦୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଡାକ୍ତର ଓ ଡାକ୍ତରାଣୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ରିପୋର୍ଟ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ଉଭୟ ଡାକ୍ତରଙ୍କ ମଧ୍ୟରୁ ଜଣେ ଆଜି ଏହି ପ୍ରସଙ୍ଗରେ ନିଜର ମତାମତ ଦେଇଥିବା ବେଳେ ଅନ୍ୟ ଜଣଙ୍କର ମତାମତକୁ ଅପେକ୍ଷା କରାଯାଇଛି ବୋଲି ସିଡିଏମ୍ଓ ଡାକ୍ତର ବାସୁଦେବ ବେହେରା କହିଛନ୍ତି।