ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅନ୍ତର୍ଗତ ଢେପଗୁଡା ଗ୍ରାମର ଏକ ଖଳାରେ ଅଗ୍ନିକାଣ୍ଡ ଘଟି ୫ଏକର ଧାନ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ସମସ୍ତ ଧାନ ନଷ୍ଟ ହୋଇଯିବା ପରେ ଚାଷୀ ଜଣକ ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁଯାୟୀ, ଢେପଗୁଡା ଗ୍ରାମର ସାହେବ ସାନ୍ତା ଚଳିତ ବର୍ଷ ୫ଏକର ଜମିରେ ଧାନ ଚାଷ କରିଥିଲେ। ଗତ କିଛି ଦିନ ତଳେ ଧାନ ଅମଳ କରି ଗାଁର ଏକ ଖଳାରେ ଗଦା କରି ରଖିଥିଲେ। କିନ୍ତୁ ଆଜି ଅପରାହ୍ନ ପ୍ରାୟ ୫ଟାରେ କୌଣସି କାରଣରୁ ଏହି ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପଟେ ଏହି ନିଆଁ ବ୍ୟାପି ଯାଇ ଖଳାରେ ଥିବା ଏକ ରୋଷେଇ ଗୃହ ଓ ଗୁହାଳ ସଂପୂର୍ଣ୍ଣ ଭାବେ ପୋଡି ଯାଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ହେଁ ଦମକଳ ଗାଡି ସଠିକ୍ ସମୟରେ ପହଞ୍ଚି ପାରିନଥିଲା। ଫଳରେ ଅଗ୍ନିକାଣ୍ଡରେ ୫ଏକର ଧାନ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ସମସ୍ତ ଧାନ ପୋଡି ଯିବାରୁ ପରିବାର ଚଳାଇବା ନେଇ ସାହେବ ଚିନ୍ତାରେ ପଡିଛନ୍ତି। କ୍ଷୟକ୍ଷତିର ଆକଳନ କରାଯାଇ ସାହେବଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର