ଖଣ୍ଡଗିରି : ଶନିବାର ରାଜଧାନୀରେ ଜଣେ ବିଦେଶିନୀ ଛାତ୍ରୀ ଲୁଟ୍ର ଶିକାର ହୋଇଛନ୍ତି। ସେ ହେଉଛନ୍ତି, ଜଟଣୀ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟରେ ଏମ୍.ଟେକ୍ କରୁଥିବା ସର୍ଲିନା ରନ୍ହଷ୍ଟେନ୍। ଅଟୋରେ ଯାଉଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ମୋବାଇଲ୍ ଓ ଲାପଟପ୍ ଲୁଟି ନେଇଛି। ଏ ନେଇ ସର୍ଲିନା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସୂଚନାନୁସାରେ ସର୍ଲିନା ସ୍ଥାନୀୟ ଜଗମୋହନ ନଗରରେ ରହୁଛନ୍ତି। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ସେ ଖଣ୍ଡଗିରି ଆସୁଥିବା ବେଳେ ଏକ ଅଟୋରୁ ତାଙ୍କ ଲାପ୍ଟପ୍ ଓ ମୋବାଇଲ୍ ଚୋରି ହୋଇଯାଇଥିଲା। ପରେ ସର୍ଲିନା ଜଟଣୀ ଥାନାରେ ଏ ବାବଦରେ ଅଭିଯୋଗ କରିଥିଲେ। କିନ୍ତୁ ଘଟଣାଟି ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବାରୁ ଜଟଣୀ ଥାନା ପୁଲିସ ତାଙ୍କୁ ସେଠାରୁ ଫେରାଇ ଦେଇଥିଲା। ପରେ ସର୍ଲିନା ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ମାତ୍ର ପୁଲିସକୁ ଅଟୋ ବାବଦରେ ସଠିକ୍ ତଥ୍ୟ ଦେଇପାରିନଥିଲେ। ଏମିତିକି ତାଙ୍କ ମୋବାଇଲ୍ ଓ ଲାପଟପ୍ ପ୍ରକୃତରେ କେଉଁଠାରେ ଚୋରି ହୋଇଥିଲା, ସେ ସଂପର୍କରେ ଭଲ ଭାବେ କହି ପାରିନଥିଲେ। ତଥାପି ପୁଲିସ ଖୋଳତାଡ଼ କରୁଛି ବୋଲି ଖଣ୍ଡଗିରି ଥାନା ସୂତ୍ରରୁ ସୂଚନା ମିଳିଛି।