୫୨ ଯୋଡ଼ା ଯୁବକଯୁବତୀଙ୍କ ଗଣବିବାହ

ରେମୁଣା : ବାଲେଶ୍ବର ଅନ୍ତର୍ଗତ ରେମୁଣା ବ୍ଲକ୍‌ ବାଲଗୋପାଳପୁର ସ୍ଥିତ ଇମାମୀ ନଗର ଜଗନ୍ନାଥ ମନ୍ଦିରରେ ଆଜି ୫୨ ଯୋଡ଼ି ଗଣବିବାହ ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ଆୟେ‌ାଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ।

ଆଜି ସକାଳ ୭ଟାରୁ ୧୦୮ କଳସ ଯାତ୍ରା ଶେଷ ହେବାପରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ। ଏହି ଉତ୍ସବରେ ରାଜ୍ୟପାଳ ଅତିଥି ଯୋଗଦେଇ ପ୍ରଥମେ ଗଣେଶ ମନ୍ଦିର ଦର୍ଶନ କରିବା ପରେ ଜଗନ୍ନାଥଙ୍କ ମନ୍ଦିରର ବାଇଶି ପାହାଚ ରୁପା ଝାଡ଼ୁରେ ଛେରାପହଁରା କରିଥିଲେ। ଏହାପରେ ତିନି ଦିଅଁଙ୍କୁ ଦର୍ଶନ କରି ସମସ୍ତ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପଣ୍ତାମାନେ ରାଜ୍ୟପାଳଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଇମାମୀ ଜଗନ୍ନାଥ ମନ୍ଦିରର ନିର୍ମାତା ରାଜ୍ୟସଭା ସା˚ସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ. ମଧୁମିତା ଦାସ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଏସ୍‌ପି ବି. ଯୁଗଳ କିଶୋର କୁମାର, ଇମାମୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ସୁଶୀଲ ଗୋଏଙ୍କା, ଇମାମୀ ପେପର ମିଲ୍ସର ନିର୍ଦ୍ଦେଶକ ଏମ୍‌ବିଏସ୍‌ ନାୟାର, ବରିଷ୍ଠ ସଭାପତି ସୁଶୀଲ କୁମାର ଖୈତାନ, ଉପସଭାପତି ଅବିନାଶ ଗୁପ୍ତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଜଗନ୍ନାଥ ଧାମରେ ଲୋକମାନେ ଚାରିଧାମ ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଥିଲା। ଇମାମୀ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଏସ ପଟୱାରୀ ଧନ୍ୟବାଦ ଦେଇଥିଲେ।

ବାର୍ଷିକ ଉତ୍ସବ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୫୨ ଯୋଡ଼ି ଗଣ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ସମସ୍ତ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।

ସମ୍ବନ୍ଧିତ ଖବର