ପୁଲଵାମାଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଫିଦାୟିନ୍ ଆକ୍ରମଣର ପାଲଟା ଜବାବ କ’ଣ ହେବ? ସ୍ବାଧୀନ ଭାବେ ଏହାର ଉତ୍ତର ଖୋଜିବା ଲାଗି ପୂର୍ଣ୍ଣ କ୍ଷମତା ସହ ସେନାବାହିନୀକୁ ଦାୟିତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, ଠିକଣା ଜବାବର ସ୍ଥାନ, ସମୟ ଓ ରୂପ ସେନାବାହିନୀ ହିଁ ସ୍ଥିର କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆତଙ୍କବାଦୀ ଜିହାଦୀ ସ˚ଗଠନ, ଇସଲାମାବାଦ ଓ ରାଓଲପିଣ୍ତିରେ ସେମାନଙ୍କ ପ୍ରାୟୋଜକଙ୍କ ବିରୋଧରେ ରଣନୀତି ସ୍ଥିର କରି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନାର କମାଣ୍ତରମାନେ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି। ତେବେ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାମରିକ ଅଭିଯାନର ଯୋଜନା ଚୂଡ଼ାନ୍ତ କରିବା ପୂର୍ବରୁ ବିଗତ ଦିନର ସାମରିକ ସଫଳତା ଓ ବିଫଳତାର ସୁଖଦ-ଦୁଃଖଦ ଅଭିଜ୍ଞତାରୁ ମିଳିଥିବା ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ବ ଦିଆଯିବା ଦରକାର। ପାରମ୍ପରିକ ଶତ୍ରୁ ପଡେ଼ାଶୀ ପାକିସ୍ତାନ ବିରୋଧରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଥିଲା ୧୯୬୫ ଯୁଦ୍ଧରେ। କଶ୍ମୀର ଉପତ୍ୟକାରେ ଭାରତ ବିରୋଧରେ ଏକ ବଡ଼ ଧରଣର ବିଦ୍ରୋହ ପାଇଁ କଶ୍ମୀରୀଙ୍କୁ ଉସ୍କାଇବାରେ ବିଫଳ ହେବା ପରେ ପାକିସ୍ତାନୀ ସେନା ସୀମାନ୍ତ ଡେଇଁ ଭାରତୀୟ ଅଞ୍ଚଳକୁ ମାଡ଼ି ଆସିଥିଲା। ଶ୍ରୀନଗରକୁ ଅବରୋଧ କରି ପାକ୍ ସେନା ଅବଶିଷ୍ଟ ଦେଶରୁ ଏହାକୁ ବିଚ୍ଛିନ୍ନ କରି ଦେଇଥିଲେ। ଭୌଗୋଳିକ ଅବସ୍ଥିତି, ପାକ୍ ସେନାର ସ˚ଖ୍ୟା ଓ ସେମାନଙ୍କ ପାଖରେ ମହଜୁଦ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଶତ୍ରୁ ପକ୍ଷକୁ ରୋକିବା ଭାରତ ପକ୍ଷରେ ସହଜ ନଥିଲା। କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁରଶାସ୍ତ୍ରୀ ଚତୁରତାର ସହ ପଶ୍ଚିମରେ ପଞ୍ଜାବ ପଟୁ ଆଉ ଏକ ସାମ୍ମୁଖ୍ୟ ଖୋଲି ପାଲଟା ଆକ୍ରମଣ ରଚନା କରିଥିଲେ। ଦୁଇଟି ସାମ୍ମୁଖ୍ୟରେ ଗୋଟିଏ ସମୟରେ ଭାରତର ମୁକାବିଲା କରି ନପାରି ପାକ୍ ସେନା ପଛଘୁଞ୍ଚା ଦେବାକୁ ବାଧୢ ହୋଇଥିଲେ। ମାତ୍ର ତିନିବର୍ଷ ପୂର୍ବେ ୧୯୬୨ରେ ଚୀନ୍ ହାତରେ ପରାଜୟ ପରେ ନୈତିକ ମନୋବଳ ଭାଙ୍ଗି ଯାଇିଥିବା ଭାରତୀୟ ସେନା ଦୁଇଟି ସାମ୍ମୁଖ୍ୟରେ ଗୋଟିଏ ସମୟରେ ଲଢେ଼ଇ ଲାଗି ଭାରତର ଯୁଦ୍ଧ କୌଶଳ ପାକିସ୍ତାନ ପାଇଁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ପାକିସ୍ତାନକୁ ଚମକାଇ ଦେଇଥିବା ଏହି ଅପ୍ରତ୍ୟାଶିତ ନୂଆ ଯୁଦ୍ଧ କୌଶଳ ହିଁ ୧୯୬୫ରେ ଭାରତକୁ ଦୃଢ଼ ସ୍ଥିତିରେ ରଖି ସଫଳତା ଆଣି ଦେଇଥିଲା।
୧୯୬୫ରେ ଶତ୍ରୁ ପକ୍ଷକୁ ଆଶ୍ଚର୍ଯ୍ୟ ଚକିତ କଲାଭଳି ଚତୁର ରଣକୌଶଳ ଏବ˚ ଲମ୍ବା ସମୟ ଧରି ଲଢେ଼ଇ ଜାରି ରଖିବାର ସାମରିକ ଶକ୍ତି- ସାମର୍ଥ୍ୟର ପ୍ରଦର୍ଶନ ଯେମିତି ସଫଳତା ଆଣିଥିଲା, ପରବର୍ତ୍ତୀ ୧୯୭୧ ବା˚ଲାଦେଶ ଯୁଦ୍ଧ ଓ ୧୯୯୯ କାର୍ଗିଲ ଯୁଦ୍ଧରେ ମଧୢ ସେହି ସମାନ କୌଶଳ ପ୍ରୟୋଗ ଯୋଗୁ ଭାରତକୁ ଅଧିକ ବଡ଼ ସଫଳତା ମିଳିଥିଲା। ଉଭୟ ପକ୍ଷ ଆଣବିକ ଶକ୍ତି ସମ୍ପନ୍ନ ହେବା ପରେ ଭାରତ-ପାକ୍ ମଧୢରେ ପ୍ରଥମ ମୁକାବିଲା ଥିଲା କାର୍ଗିଲ ଯୁଦ୍ଧ। ଶତ୍ରୁ ପକ୍ଷରୁ ଆଣବିକ ଶକ୍ତି ପ୍ରୟୋଗର ଆଶଙ୍କାକୁ ବିଚାରକୁ ନେଇ ନିୟନ୍ତ୍ରଣ ରେଖା ନ ଡେଇଁବାର ନିଷ୍ପତ୍ତି ଏକ କୌଶଳ ଥିଲା। କିନ୍ତୁ ଆବଶ୍ୟକ ପଡ଼ିଲେ ବାୟୁସେନାର ବ୍ୟବହାରର ଧମକ ଅନୁପ୍ରବେଶକାରୀଙ୍କୁ ହଟାଇ ନେବା ଲାଗି ପାକିସ୍ତାନକୁ ବାଧୢ କରିଥିଲା। କାର୍ଗିଲ୍ ଯୁଦ୍ଧରେ ଶତ୍ରୁକୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ବିଶେଷ କିଛି ନଥିଲେ ମଧୢ ଯୁଦ୍ଧକୁ ଅଧିକ ଜୋରଦାର ଓ ଲମ୍ବା କରିବାର ସ୍ପଷ୍ଟ ସ˚କେତ ପାକିସ୍ତାନକୁ ଚାପରେ ରଖିଥିଲା। ଉରି ସେନାଛାଉଣି ଉପରେ ଆକ୍ରମଣର ପାଲଟା ଜବାବ ସ୍ବରୂପ ୨୦୧୬ ସେପ୍ଟେମ୍ବର ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ସଫଳ ହେବାର ମୁଖ୍ୟ କାରଣ ଚଢ଼ାଉ ସମ୍ପର୍କରେ ଶତ୍ରୁପକ୍ଷ ପୂର୍ବରୁ କୌଣସି ଟେର୍ ପାଇ ପାରି ନଥିଲେ। ଭାରତୀୟ ସୈନ୍ୟମାନେ ଏଲ୍ଓସି ଅତିକ୍ରମ କରି ପାକିସ୍ତାନୀ ଅଞ୍ଚଳରେ ପ୍ରବେଶ କରିବେ ବୋଲି ପାକ୍ ସେନା ଆଶା କରିି ନଥିଲେ। ପୁଣି ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଜରିଆରେ ଭାରତ ପକ୍ଷରୁ ସ˚କେତ ମଧୢ ସ୍ପଷ୍ଟ ଥିଲା ଯେ, ଅପରପକ୍ଷରୁ କୌଣସି ପ୍ରକାର ପାଲଟା ଆକ୍ରମଣର ଦୁଃସାହସିକତାର ପରିଣାମ ଆହୁରି ଭୟାବହ ହୋଇପାରେ। ସେଥିପାଇଁ ପାଲଟା ଆକ୍ରମଣକୁ ଏଡ଼ାଇବା ଲାଗି ପାକିସ୍ତାନ ଭାରତୀୟ ସେନାର ‘ସର୍ଜିକାଲ୍ ଷ୍ଟ୍ରାଇକ୍’କୁ ଅସ୍ବୀକାର କରିବାକୁ ବାଧୢ ହୋଇଥିଲା।
୧୯୬୫, ୧୯୭୧, ୧୯୯୯ ଓ ୨୦୧୬ରେ ଭାରତୀୟ ସେନାକୁ ସଫଳତା ମିଳିଥିଲା। କିନ୍ତୁ ୨୦୦୧ ସ˚ସଦ ଆକ୍ରମଣ ପରେ ‘ଅପରେସନ୍ ପରାକ୍ରମ’ ଓ ୨୦୦୮ ମୁମ୍ବାଇ ଆକ୍ରମଣ ପରବର୍ତ୍ତୀ ସାମରିକ ପ୍ରତିକ୍ରିୟା ନିଶ୍ଚୟ ବିଫଳତାର ତାଲିକାରେ ସ୍ଥାନ ପାଇବ। ପାର୍ଲାମେଣ୍ଟ ଆକ୍ରମଣ ପରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ହେଲା। ତେବେ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ ଯୋଗୁ ଏଥିରୁ ଈପ୍ସିତ ସୁଫଳ ମିଳିନଥିଲା। ବିଳମ୍ବ ଫଳରେ ପ୍ରସ୍ତୁତି ପାଇଁ ପାକ୍ ସେନାକୁ ଯଥେଷ୍ଟ ସମୟ ମିିଳିଯାଇଥିଲା। ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଗୋଟିଏ ବଡ଼ ଧରଣର ସାମରିକ ଅଭିଯାନ ସକାଶେ ଭାରତ ପାଇଁ ସୁଯୋଗ ଥିଲା। ଆନ୍ତର୍ଜାତିକ ସମୁଦାୟର ଜନମତ ମଧୢ ଭାରତ ସପକ୍ଷରେ ଥିଲା କିନ୍ତୁ ନିୟନ୍ତ୍ରଣ ରେଖା ନିକଟରେ ନାଗ୍ରୋଟା ଓ ଅନ୍ୟ ଗୋଟିଏ ଦୁଇଟି ସ୍ଥାନରେ ଛୋଟମୋଟ ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତର ‘ପାଲଟା ଜବାବ’ ସୀମିତ ରହିଲା। ୨୦୧୬ର ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ବିଷୟ ଯେମିତି ଖୋଲାଖୋଲି ଘୋଷଣା କରାଗଲା, ୨୦୦୮ ମୁମ୍ବାଇ ଆକ୍ରମଣ ପରବର୍ତ୍ତୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ଘୋଷଣା କରା ନଯାଇ ଗୋପନୀୟ ରଖାଗଲା। ସମ୍ଭବତଃ ପାକିସ୍ତାନ ପଟୁ ଆଣବିକ ପ୍ରତିକ୍ରିୟାର ଆଶଙ୍କାରେ ସାମରିକ ପ୍ରତିକ୍ରିୟାକୁ ସୀମିତ ଓ ଗୋପନୀୟ ରଖାଗଲା। ଏହା ବାର୍ତ୍ତା ଦେଲା ଯେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ଲାଗି ଆଗ୍ରହୀ ନୁହେଁ।
ପୁଲଵାମା ଆକ୍ରମଣ ନିଶ୍ଚୟ ୨୦୧୬ ଉରି ସେନା ଛାଉଣି ଉପରେ ଚଢ଼ାଉ ଠାରୁ ବଡ଼। କିନ୍ତୁ କାର୍ଗିଲ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀ ଏଲ୍ଓସିରେ ଭାରତୀୟ ସେନାଙ୍କ ଦ୍ବାରା ପରିତ୍ୟକ୍ତ ଘାଟି ଦଖଲ କରି ନେବା ଭଳି ଗମ୍ଭୀର ପରିସ୍ଥିତି ନୁହେଁ। ତେଣୁ ପରିସ୍ଥିତି ଓ ବିଗତ ଦିନର ସଫଳତାର ଅଭିଜ୍ଞତା ଓ ବିଫଳତାରୁ ମିଳିଥିବା ଶିକ୍ଷାର ଆଲୋକରେ ପାଲଟା ଜବାବ ପାଇଁ ଭାରତୀୟ ସାମରିକ ନେତୃତ୍ବ ଆଗରେ ମୁଖ୍ୟତଃ ଚାରିଟି ବିକଳ୍ପ ଥିବା ମନେ ହେଉଛି। ପ୍ରଥମ, ୨୦୧୬ର ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଭଳି ସୀମା ଆରପଟେ କିଛି ପାକ୍ ଘାଟି କିମ୍ବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସ୍ଥଳ ସେନା ଦ୍ବାରା ଅଚାନକ ଚଢ଼ାଉ। ଦ୍ବିତୀୟ, ୨୯୦ କିମି ଦୂରର ଲକ୍ଷ୍ୟ ଭେଦ ପାଇଁ ସକ୍ଷମ ବହୁମୁଖୀ ରକେଟ ଲଞ୍ଚ୍ର ଓ ୨୯୦ କିମି ଦୂରଗାମୀ ବ୍ରହ୍ମୋସ୍ ଭଳି କ୍ଷେପଣାସ୍ତ୍ର ଦ୍ବାରା ଶତ୍ରୁ ଠିକଣା ଉପରେ ଆକ୍ରମଣ। ତୃତୀୟ, ଆକାଶ ମାର୍ଗରୁ ଶତ୍ରୁ ଅଞ୍ଚଳରେ ବେସାମରିକ ଠିକଣାରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଘନଘନ ଆକ୍ରମଣ। ଚତୁର୍ଥ, ଗୋଇନ୍ଦା ବାହିନୀ ଦ୍ବାରା ଗୋପନ ତଥା ଛଦ୍ମ ଲଢେ଼ଇ ଏବ˚ ଲଗାତାର ଆତଙ୍କବାଦୀ ତଥା ସାମରିକ ବାହିନୀ ବିରୋଧରେ ଗରିଲା ଯୁଦ୍ଧ। ପାକିସ୍ତାନ ବିରୋଧୀ ବେଲୁଚିସ୍ତାନ ଓ ସିନ୍ଧ୍ର ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଆର୍ଥିକ ଓ ସାମରିକ ସହାୟତା।
ଖୁବ୍ ଶୀଘ୍ର ଜଣାପଡ଼ିଯିବ ପୁଲଵାମା ଆକ୍ରମଣର ଠିକଣା ଜବାବ ଦେବା ଲାଗି ଭାରତୀୟ ସେନା ପାକିସ୍ତାନ ବିିରୋଧରେ ଉପରୋକ୍ତ ବିକଳ୍ପ ଗୁଡ଼ିକ ମଧୢରୁ କେଉଁ ଗୋଟିଏ, ଦୁଇଟି କିମ୍ବା ସବୁଯାକ ବିକଳ୍ପକୁ ବାଛିବେ ନା ଆଉ କିଛି ନୂଆ ବିକଳ୍ପ ରହିଛି। ତେବେ ‘ଠିକଣା ଜବାବ’ ସକାଶେ ସେନାର ସାମରିକ ବିକଳ୍ପ ଯାହା ବି ହେଉ ନା କାହିଁକି, ଏହା ମନେ ରହିବା ଉଚିତ ଯେ ପାକିସ୍ତାନ ଏକ ଆଣବିକ ଶକ୍ତିସଂପନ୍ନ ରାଷ୍ଟ୍ର ହୋଇଥିବା ସହ ଏକ ଦାୟିତ୍ବ ଶୂନ୍ୟ ରାଷ୍ଟ୍ର। ତେଣୁ, କୂଟନୈତିକ ସ୍ତରରେ ପାକିସ୍ତାନ ଓ ତାର ସବୁଦିନିଆ ଅନ୍ଧ ସହଯୋଗୀ ଚୀନ୍କୁ ଏକ ଘରିକିଆ କରିବା ଲାଗି ଅଭିଯାନ ଅଧିକ ଜୋରଦାର ହେବା ଉଚିତ। ଆତ୍ମରକ୍ଷା ପାଇଁ ଭାରତର ଅଧିକାରକୁ ସ୍ବୀକାର କରି ଆମେରିକାର ନିରାପତ୍ତା ପରାମର୍ଶଦାତାଙ୍କ ବୟାନ ନିଶ୍ଚୟ ଏ ଦିଗରେ ଏକ ଉଲ୍ଲେଖନୀୟ ସଫଳତା। ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ଅଭିଯାନ ସହ ଆଭ୍ୟନ୍ତରୀଣ ସ୍ତରରେ କଶ୍ମୀର ଜନଗଣ ଯେମିତି ଜାତୀୟ ମୁଖ୍ୟସ୍ରୋତକୁ ଫେରିବେ ଓ ପାକ୍- ପ୍ରାୟୋଜିତ ଜିହାଦୀ ଶକ୍ତିଙ୍କଠାରୁ ଦୂରେଇ ରହିବେ, ସେଥିପାଇଁ ରାଜନୈତିକ ପ୍ରକ୍ରିୟା ମଧୢ ଚାଲୁ ରହିବା ଆବଶ୍ୟକ। ଏହାଛଡ଼ା, ପୁଲଵାମା ଆକ୍ରମଣରେ ପଦାକୁ ଆସିଥିବା ନିରାପତ୍ତା ବ୍ୟବସ୍ଥାରେ କେତେକ ଭୁଲ୍ ତ୍ରୁଟିକୁ ସୁଧାରି ବ୍ୟବସ୍ଥାକୁ ଅଧିକ ଦୋରସ୍ତ କରାଯିବା ମଧୢ ପ୍ରାଥମିକତାର ଅପେକ୍ଷା ରଖୁଛି।