ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଆମେରିକାସ୍ଥିତ ଡ.ଦାଶ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆଜି ଇଡକଲ୍ ଅଡିଟୋରିୟମ୍ରେ ‘ସିକ୍ରେଟ୍ ଜର୍ଣ୍ଣିଜ୍ ଅଫ ଲର୍ଡ ଜଗନ୍ନାଥ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ, ଇତିହାସ ସବୁବେଳେ ତଥ୍ୟ ଉପରେ ଆଧାରିତ। ମାତ୍ର ଧର୍ମ ତଥ୍ୟ ଉପରେ ଆଧାରିତ ନୁହେଁ। ଆଜିର ସମୟରେ ସବୁ ଜିନିଷକୁ ବିଜ୍ଞାନ ବୋଲି କୁହାଯାଉଛି। ଊନ୍ନବିଂଶ ଓ ଏକବିଂଶ ଶତାବ୍ଦୀରେ ବିଜ୍ଞାନ ସମସ୍ତଙ୍କୁ ବିଧର୍ମୀ କରିଦେଇଛି। ଫଳରେ ଧୀରେଧୀରେ ଈଶ୍ବରଙ୍କ ଉପରେ ଲୋକଙ୍କ ବିଶ୍ବାସ କମି ଗଲାଣି। ବିଜ୍ଞାନ କାରଣ ଓ କାର୍ଯ୍ୟ ଉପରେ ନିର୍ଭରଶୀଳ, ହେଲେ ଈଶ୍ବରୀୟ ଶକ୍ତି କାର୍ଯ୍ୟ ଓ କାରଣ ଉପରେ ନିର୍ଭରଶୀଳ ନୁହେଁ। ବିଜ୍ଞାନ ଯଦି ୧ ପ୍ରତିଶତ ହୁଏ, ଈଶ୍ବର ବା ଈଶ୍ବରୀୟ ଶକ୍ତି ହେଉଛି ୯୯ ପ୍ରତିଶତ। ମନୁଷ୍ୟର ସମସ୍ତ ଜ୍ଞାନ ୧ ପ୍ରତିଶତ ହୋଇଥିବା ବେଳେ ଈଶ୍ବର ହେଉଛନ୍ତି ୯୯ ପ୍ରତିଶତ। କେତେକ ବିଷୟ ବିଜ୍ଞାନର ଅନ୍ତର୍ଭୁକ୍ତ ନୁହେଁ, ତେଣୁ ଏହା ମଧ୍ୟ ଇତିହାସର ଅନ୍ତର୍ଭୁକ୍ତ ନୁହେଁ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ବସ୍ତରରେ ପ୍ରଚାରପ୍ରସାର କରିବା ଦିଗରେ ଶିକ୍ଷିତ ଗୋଷ୍ଠୀ ଆଗେଇ ଆସିବା ଦରକାର ବୋଲି ଶ୍ରୀ ଆଚାର୍ଯ୍ୟ ମତ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର କୁମାର ମିଶ୍ର କହିଲେ, ଜଗନ୍ନାଥ ଉପାସନା ଏକ ଧର୍ମ ନୁହେଁ, ଏକ ଚେତନା। ଇଂରେଜମାନେ ବିଭ୍ରାନ୍ତିକର ଇତିହାସ ସୃଷ୍ଟି କରିଛନ୍ତି। କୋଣାର୍କ ମନ୍ଦିରର ଇତିହାସ ଓଡ଼ିଆରେ ଲେଖା ହୋଇ ଲୋକଙ୍କୁ ଜଣାଇବା ସମ୍ଭବ ହୋଇପାରି ନାହିଁ। ବିଶୁ ମହାରଣାର ଗାଁ ଚିହ୍ନଟ ହୋଇପାରି ନାହିଁ କି ଏହାକୁ ଐତିହ୍ୟ ଗ୍ରାମର ମାନ୍ୟତା ଦିଆଯାଇପାରି ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ। ଡ. ଦାଶ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଶିତକଣ୍ଠ ଦାଶ କହିଲେ, ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ଦିଗରେ ଫାଉଣ୍ଡେସନ୍ କାର୍ଯ୍ୟ କରିଆସୁଛି। ଉତ୍ତର ଆମେରିକାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯିବା ସହ ଠିକ୍ ସମୟରେ ରଥଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି। ଏହାସହ ଭାରତୀୟ ସଂସ୍କୃତିର କିଭଳି ପ୍ରଚାରପ୍ରସାର ହୋଇପାରିବ, ସେଥିପାଇଁ ଉଦ୍ୟମ କରାଯାଉଛି। ୫୦ଟି ସ୍କୁଲରେ ଥିବା ଲାଇବ୍ରେରିର ଅପଗ୍ରେଡେସନ୍ କରାଯିବା ପାଇଁ ଫାଉଣ୍ଡେସନ୍ ନିଷ୍ପତ୍ତି ନେଇଛି। ସେସବୁ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ପୁସ୍ତକ ଉପଲବ୍ଧ ହେବା ସହ ସଂସ୍କୃତି ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ। ସଭାପତିତ୍ବ ଅଭିଭାଷଣରେ ଶ୍ରୀ ମହାନ୍ତି କହିଲେ, ଶ୍ରୀଜଗନ୍ନାଥଙ୍କ ଲୀଳା ବିଚିତ୍ର। ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଯେଉଁ ଯେଉଁ ସ୍ଥାନରେ ପହଞ୍ଚିଛି, ସେସବୁ ସ୍ଥାନ ହେଉଛି ଶ୍ରୀକ୍ଷେତ୍ର। ପ୍ରଭୁଙ୍କ କରିସ୍ମାକୁ ବିଶ୍ବସ୍ତରରେ ପ୍ରଚାର ପ୍ରସାର କରିବା ହେଉଛି ସଂଗଠନର ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଥିଲେ ଯେ ଇସ୍କନ୍ ଅଶାସ୍ତ୍ର ମତରେ ରଥଯାତ୍ରା କରୁଛି। ହେଲେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇପାରିଛି। ଏହି ଅବସରରେ ବିଭିନ୍ନ ବ୍ୟକ୍ତିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଂପାଦକ ଦେବେନ୍ଦ୍ର କୁମାର ଦାସ ଧନ୍ୟବାଦ ଦେଇଥିବା ବେଳେ ଉପସଭାପତି ପୀତବାସ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।