ଭୁବନେଶ୍ବର : ଆଉ ୧୨ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ଜାରି ରହିବ। ଅର୍ଧାଧିକ ଜିଲ୍ଲାରେ କୁଆପଥର ବର୍ଷା ସହ ପବନ ହେବ। ଠାଏଠାଏ ବଜ୍ରପାତର ଆଶଙ୍କା ବି ରହିଛି। ଏହାପରେ ପାଗରେ କିଛିଟା ପରିବର୍ତ୍ତନ ହେବ। କାଳବୈଶାଖୀ ପ୍ରଭାବ କମିବ। ହେଲେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହେବ। ମାର୍ଚ୍ଚ ୧ ଓ ୨ତାରିଖରେ ପାଗ ଶୁଖିଲା ରହିବ। ୩ ତାରିଖରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ହାଲକା ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବାନୁମାନ କରାଯାଇଛି ଯେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ନୟାଗଡ଼, ଖୋର୍ଧା, ପୁରୀ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଓଡ଼ିଶା ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୨୫ରୁ ୩୫କିମି ବେଗରେ ପବନ ହେବ। ବେଳେବେଳେ ୪୫କିମି ବେଗରେ ବି ପବନ ବୋହିବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ କଟକର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୫୩.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୨୩.୪, ଅନୁଗୁଳରେ ୧୦, କେନ୍ଦୁଝରରେ ୯.୫, ଝାରସୁଗୁଡ଼ାରେ ୩.୨, ସମ୍ବଲପୁରରେ ୨, ହୀରାକୁଦରେ ୧.୫ ମିଲି ବର୍ଷା ହୋଇଛି। ରାତିରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଜଣାପଡ଼ିଛି।