ଭୁବନେଶ୍ବର : କାଳିଆ ଯୋଜନା ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ବୋଲି ଦୁଇ ଦିନ ତଳେ କହିଥିଲେ ଅର୍ଥ ମନ୍ତ୍ରୀ ଶଶିଭୂଷଣ େବହେରା। ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆବେଦନ ପତ୍ର ଗ୍ରହଣ କରିବା ଠିକ ନୁହେଁ ବୋଲି ମତ ଦେଇଥିଲେ। ଆଜି ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବାକୁ ଚେଷ୍ଟା କରିଛି ବିଜେପି। ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ସିଇଓଙ୍କୁ ଭେଟି ଅର୍ଥ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିନିଧି ଦଳର ନେତୃତ୍ବ ନେଇଥିବା ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, କାଳିଆ ଯୋଜନାରେ ଯେଉଁ ଅର୍ଥ ପଠାଯାଉଛି ରାଜ୍ୟ ସରକାର ସେଥିରେ ସ୍ବଚ୍ଛତା ଅବଲମ୍ବନ କରି ନାହାନ୍ତି। କାଳିଆ ଯୋଜନା ନାଁରେ ବିଜେଡି କର୍ମୀ ଓ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଆକାଉଣ୍ଟ୍କୁ ଟଙ୍କା ପଠାଯାଉଛି। ଭୋଟ୍ ହାତେଇବା ପାଇଁ ରାଜ୍ୟ ସରକାର ଏପରି କରୁଛନ୍ତି। ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ଅର୍ଥ ମନ୍ତ୍ରୀ କାଳିଆ ଆବେଦନ ୩୧ ତାରିଖ ଯାଏ ଚାଲିବ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ସିଇଓ ତୁରନ୍ତ ଅର୍ଥ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଥିଲେ। ପ୍ରତିନିଧି ଦଳରେ ଜୟନ୍ତ ଜେନା, ସତ୍ୟବ୍ରତ ନାୟକ, ମୁରଲୀ ପାତ୍ର, ରବିଶଙ୍କର ପଟ୍ଟନାୟକ ଓ ବିଶ୍ବ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।