ସରକାରୀ ସ୍କୁଲରେ କମୁଛନ୍ତି ପିଲା, ତିନି ବର୍ଷରେ କମିଲେଣି ୩ ଲକ୍ଷ
ବଢ଼ୁଛି ଡ୍ରପ୍ ଆଉଟ୍ ହାର, ଏଥର ନାମଲେଖା ତଥ୍ୟ ଦେବାକୁ ନିର୍ଦେଶ
ଭୁବନେଶ୍ବର: ମାଗଣା ପୋଷାକ ବଣ୍ଟନ ହେଉଛି। ମଧ୍ୟାହ୍ନଭୋଜନ ବି ଦିଆଯାଉଛି। ସରକାରୀ ଉଚ୍ଚ ବିଦ୍ୟାଳୟ ପିଲାଙ୍କୁ ସାଇକେଲ୍, ଜୋତା ଆଦି ଯୋଗାଣ ହେଉଛି। ଏଭଳି ଅନେକ ଯୋଜନା ପରେ ମଧ୍ୟ ରାଜ୍ୟର ସରକାରୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍ଥିତିରେ କୌଣସି ସୁଧାର ଆସୁନି। ଭିତ୍ତିଭୂମି ଅଭାବ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ମିଳୁ ନଥିବାରୁ ସରକାରୀ ବିଦ୍ୟାଳୟରୁ ମୁହଁ ମୋଡ଼ୁଛନ୍ତି ଛାତ୍ରଛାତ୍ରୀ। ଯେଉଁଥିପାଇଁ ପ୍ରତିବର୍ଷ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବା ସହ ବେସରକାରୀ ବିଦ୍ୟାଳୟରେ ଉପସ୍ଥାନ ବଢ଼ୁଛି। ସ୍ଥିତି ଏମିତି ହେଲାଣି ଯେ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଇତିମଧ୍ୟରେ ୫୦ଲକ୍ଷ ତଳକୁ ଖସି ଆସିଲାଣି। ଓଡ଼ିଶା ପାଇଁ ପ୍ରସ୍ତୁତ ‘ସମଗ୍ର ଶିକ୍ଷା’ ବାର୍ଷିକ ଯୋଜନା ଓ ବଜେଟ୍ରେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ପ୍ରାଥମିକ ସ୍ତରରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତିନି ବର୍ଷରେ ୩ ଲକ୍ଷରୁ ଅଧିକ କମିଛି। ୨୦୧୬-୧୭ରେ ଉକ୍ତ ବର୍ଗ ବିଦ୍ୟାଳୟଗୁଡ଼ିକରେ ୫୧.୫୯ ଲକ୍ଷ ଛାତ୍ରଛାତ୍ରୀ ରହିଥିଲେ। ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଉପକୃତ ହୋଇଥିଲେ। ତେବେ ୨୦୧୭-୧୮ରେ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ସଂଖ୍ୟା ହ୍ରାସ ପାଇ ୪୮.୮୪ ଲକ୍ଷରେ ପହଞ୍ଚିଥିଲା। ଗୋଟିଏ ବର୍ଷରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କମିଥିବାରୁ ତାହାକୁ ଗୁରୁତ୍ବର ସହ ନେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସ୍କୁଲରେ ପ୍ରବେଶ ଉତ୍ସବ, ଅଭିଭାବକଙ୍କୁ ସଚେତନତା ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଯେଉଁଥିପାଇଁ ୨୦୧୮-୧୯ ଶିକ୍ଷାବର୍ଷରେ ପିଲାଙ୍କ ସଂଖ୍ୟାରେ ଅଳ୍ପ ତଫାତ୍ ଦେଖିବାକୁ ମିଳିଥିଲା। ଉକ୍ତ ଶିକ୍ଷାବର୍ଷରେ ୪୮.୪୧ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ। ଏଥର ପିଲାଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ତେଣୁ ପାଠପଢ଼ା ଆରମ୍ଭ ହେବା କ୍ଷଣି ପିଲାଙ୍କ ଉପସ୍ଥାନ ତଥ୍ୟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ କୁହାଯାଇଛି। ପ୍ରବେଶ ଉତ୍ସବ ସମୟରେ କେତେ ପିଲାଙ୍କ ନାମଲେଖା ହୋଇଛି, ତାହାର ତଥ୍ୟ ଦେବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତୃପକ୍ଷ(ଓସେପା) ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାଧ୍ୟମିକ ସ୍ତରରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବି ପିଲାଙ୍କ ସଂଖ୍ୟା କମିଛି। ୨୦୧୬-୧୭ ଶିକ୍ଷା ବର୍ଷରେ ୧୧.୪୧ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଥିଲେ। ୨୦୧୭-୧୮ରେ ତାହା ୧୧.୩୨ ଲକ୍ଷକୁ ହ୍ରାସ ପାଇଥିଲା। ୨୦୧୮-୧୯ରେ ଏହି ସଂଖ୍ୟା ସାମାନ୍ୟ କମିଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ପିଲାଙ୍କ ସଂଖ୍ୟା ବଢ଼ିଛି। ୨୦୧୬-୧୭ରେ ୩.୮୪ ଲକ୍ଷ ପିଲା ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ତାହା ୪.୦୮ ଲକ୍ଷରେ ପହଞ୍ଚିଛି। ଚିନ୍ତାର ବଷୟ ହେଉଛି ଯେ ଡ୍ରପ୍ ଆଉଟ୍ ରେଟ୍ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ପ୍ରାଥମିକ ବିଦ୍ୟାଳୟସ୍ତରରେ ୨୦୧୬-୧୭ରେ ଡ୍ରପ୍ ଆଉଟ୍ ହାର ୪.୫ ପ୍ରତିଶତ ଥିବା ବେଳେ ୨୦୧୭-୧୮ରେ ତାହା ୫.୭ ପ୍ରତିଶତରେ ପହଞ୍ଚିଛି। ମାଧ୍ୟମିକ ସ୍ତରରେ ୨୦୧୬-୧୭ରେ ୫.୩ ପ୍ରତିଶତ ରହିଥିଲା। ୨୦୧୭-୧୮ରେ ତାହା ବୃଦ୍ଧି ପାଇ ୫.୭ରେ ପହଞ୍ଚିଛି। ୨୦୧୮-୧୯ର ତଥ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇନାହିଁ। ଗୋଟିଏ ପଟେ ସରକାରୀ ବିଦ୍ୟାଳୟରେ ପିଲା କମୁଥିବା ବେଳେ ଘରୋଇ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବଢ଼ୁଛି। ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୧୮-୧୯ ଶିକ୍ଷାବର୍ଷରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ୧୧ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଥିବା ଜଣାପଡ଼ିଛି।