ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ: ରାଜଭବନକୁ ସିସିଟିଭି ଫୁଟେଜ ମାଗିଲା କୋଲକାତା ପୁଲିସ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ କୋଲକାତା ପୁଲିସ ବର୍ତ୍ତମାନ ଏକ ତଦନ୍ତ ଟିମ ଗଠନ କରିଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ସାକ୍ଷୀଙ୍କୁ ପଚରାଉଚୁରା କରାଯିବ | ସେ ଏହା ମଧ୍ୟ କହିଛନ୍ତି ଯେ ରାଜଭବନ କର୍ତ୍ତୃପକ୍ଷଙ୍କୁ ସିସିଟିଭି ଫୁଟେଜ ଦେବାକୁ ଅନୁରୋଧ କରାଯାଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅଧିକାରୀ କହିଛନ୍ତି, “ଆମେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରିଛୁ ଯାହା ଆସନ୍ତା କିଛି ଦିନ ମଧ୍ୟରେ ଏହି ମାମଲାର କିଛି ସମ୍ଭାବ୍ୟ ସାକ୍ଷୀଙ୍କ ସହ ଆଲୋଚନା କରିବ। ସେହିପରି ସିସିଟିଭି ଫୁଟେଜ୍ ଯୋଗାଇଦେବାକୁ ଆମେ ରାଜଭବନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ। ବାସ୍ତବରେ ମେ ୩ ରେ ମହିଳାଜଣକ ଅଭିଯୋଗ ଆଣିଥିଲେ | ସେ ରାଜଭବନରେ ଅସ୍ଥାୟୀ କର୍ମଚାରୀ ଭାବେ ୨୦୧୯ରୁ କାର୍ଯ୍ୟ କରୁଥିଲେ ।

ଚାକିରି ସଂପର୍କରେ ଗୁରୁବାର ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ସେ ଅସହଜ ମନେ କରିଥିଲେ। ଅଭିଯୋଗ ମୁତାବକ ସପ୍ତାହେ ତଳେ ମଧ୍ୟ ରାଜ୍ୟପାଳ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ। ହେୟାର ଷ୍ଟ୍ରିଟ ଥାନାରେ ଅଭିଯୋଗ କରିବା ପୂର୍ବରୁ ସେ ରାଜଭବନ ଫାଣ୍ଡିରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ରାଜଭବନ ପକ୍ଷରୁ କୁହାଯାଇଥିଲା ଯେ ସମ୍ବିଧାନର ଧାରା ୩୬୧ ଅନୁଯାୟୀ, କାର୍ଯ୍ୟକାଳ ମଧ୍ୟରେ ଜଣେ ରାଜ୍ୟପାଳଙ୍କ ବିରୋଧରେ କୌଣସି ଅପରାଧିକ ମାମଲା କରାଯାଇପାରିବ ନାହିଁ। ରାଜ ଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ନିର୍ବାଚନ ସମୟରେ ରାଜନୈତିକ ନେତାମାନଙ୍କୁ ଖୁସି କରିବା ପାଇଁ ଅନଧିକୃତ, ଅବୈଧ ତଦନ୍ତ ନାମରେ ରାଜ୍ୟପାଳ ରାଜଭବନରେ ପୁଲିସ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର