ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା : ୨୩ ବର୍ଷ ପରେ ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍
କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ନୂଆପଡ଼ା କୋମନା ବ୍ଲକ୍ର ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ନିର୍ମଳ କୁମାର ବେଉରାଙ୍କୁ କଟକ ଭିଜିଲାନ୍ସ କୋର୍ଟ ୨୩ ବର୍ଷ ପରେ ମାମଲାର ରାୟ ପ୍ରକାଶ କରି ୩ବର୍ଷ ଜେଲ୍ ଓ ୫୦ହଜାର ଟଙ୍କା ଜରିମାନା ଦଣ୍ତାଦେଶ ଦେଇଛନ୍ତି। ୧୯୯୬ ଜାନୁଆରି ୨୩ ତାରିଖରେ ଭିଜିଲାନ୍ସ ପକ୍ଷରୁ ଶ୍ରୀବେଉରାଙ୍କ ଘର, ଅଫିସ୍ ରୁମ୍, ସରକାରୀ କ୍ବାର୍ଟର ଇତ୍ୟାଦି ସ୍ଥାନରେ ଚଢାଉ କରିଥିଲା। ଚଢାଉରେ ଶ୍ରୀ ବେଉରାଙ୍କ ୪ଲକ୍ଷ ୫୦ହଜାର ୭୧୪ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଥିଲା। ଏ ସ˚କ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହେବା ସହ କୋର୍ଟରେ ଶୁଣାଣି ଚାଲିଥିଲା। ଗୁରୁବାର ମାମଲାର ଶୁଣାଣି ଶେଷ ହୋଇଥିଲାବେଳେ ଦୁର୍ନୀତି ନିବାରଣ ଆଇନ୍ ଧାରା ୧୩ (୨), ୧୩(୧)(ଇ) ଅନୁଯାୟୀ ଅଭିଯୁକ୍ତଙ୍କୁ ଜେଲ୍ ଓ ଜରିମାନା ଦଣ୍ତ ଦିଆଯାଇଛି। ଏହି ମାମଲାକୁ ସ୍ବତନ୍ତ୍ର ପିପି ସର୍ବେଶ୍ବର ବାରିକ ପରିଚାଳନା କରୁଥିଲେ।