ଇଣ୍ଡିଗୋର ନିରାପତ୍ତା ଅଡିଟ୍‌, ବିମାନ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା

ନୂଆଦିଲ୍ଲୀ: ଇଣ୍ଡିଗୋ ପାଖରେ ଥିବା ଏୟାରବସ୍‌ ଏ୩୨୦ ନିଓର ଇଞ୍ଜିନରେ ସମସ୍ୟା ଦେଖାଦେବା ପରେ କଂପାନିର ନିରାପତ୍ତା ଅଡିଟ୍‌ କରିବାକୁ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ନିର୍ଦେଶ ଦେଇଛି। ଏହି ମାମଲାରେ ଡିଜିସିଏ ତରଫରୁ କଂପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କଂପାନି ପାଖରେ ଥିବା ବିମାନଗୁଡ଼ିକର ନିରାପତ୍ତା ଅଡିଟ ଚାଲିଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଡିଜିସିଏ ମୁଖ୍ୟ ବି ଏସ୍‌ ଭୁଲ୍ଲାର କହିଛନ୍ତି ଯେ, ପ୍ରତିବର୍ଷ ସବୁ ବିମାନ କଂପାନିର ନିରାପତ୍ତା ଅଡିଟ୍‌ ଅତିକମ୍‌ରେ ଥରେ କରାଯାଏ। ଚଳିତ ମାସରେ ଇଣ୍ଡିଗୋର ଅଡିଟ୍ କରାଯିବ। ଆଉ କିଛି କଂପାନିର ଅଡିଟ୍ ଜୁନ୍‌ରେ ହେବ। ପ୍ରତି ଥର ଅଡିଟ୍ ପରେ କିଛି ନା କିଛି ପଦକ୍ଷେପ ଗ୍ରହଣ କରାଯାଏ ବୋଲି ସେ କହିଛନ୍ତି। କଂପାନି ପକ୍ଷରୁ କୁହାଯାଉଛି ଯେ, ଏହି ଅଡିଟ୍‌ରେ ଇଣ୍ଡିଗୋର ଇଞ୍ଜିନିୟରିଂ ଓ ପରିଚାଳନା ଉପରେ ନଜର ରଖାଯାଇଛି। ଇଞ୍ଜିନରେ ଦେଖାଦେଉଥିବା ସବୁ ପ୍ରକାର ସମସ୍ୟା ବି‌ଷୟରେ ପାଇଲଟ୍‌ମାନେ କଂପାନିକୁ ଅବଗତ କରୁଛନ୍ତି ନା ନାହିଁ ଏବଂ ଯେଉଁ ସବୁ ସମସ୍ୟା ଅବଗତ କରାଯାଉଛି ତାହାର ସନ୍ତୋଷଜନକ ସମାଧାନ ହେଉଛି ନା ନାହିଁ, ସେସବୁ ବିଷୟ ଜାଣିବାକୁ ଏହି ଅଡିଟ୍‌ରେ ପ୍ରୟାସ କରାଯାଉଛି। ଇଞ୍ଜିନ ତ୍ରୁଟି ସମ୍ପର୍କିତ ଦୁଇଟି ମାମଲାକୁ ଗୋପନ ରଖାଯିବା ପରେ ଡିଜିସିଏ ତରଫରୁ ଇଣ୍ଡିଗୋର ନିରାପତ୍ତା ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର