‘ସେରେଲାକ୍‌’ରେ ଚିନି: ଏଫ୍‌ଏସ୍‌ଏସ୍‌ଏଆଇ ଦ୍ବାରା ଯାଞ୍ଚ ପାଇଁ ନମୁନା ସଂଗ୍ରହ ଆରମ୍ଭ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ଅନୁନ୍ନତ ଦେଶଗୁଡ଼ିକରେ ନେସ୍‌ଲେ ବିକ୍ରି କରୁଥିବା ଶିଶୁଖାଦ୍ୟ ‘ସେରେଲାକ୍‌’ରେ କମ୍ପାନି ଚିନି ବା ଶର୍କରା ସାମିଲ କରୁଛି ବୋଲି ସ୍ବିଜରଲାଣ୍ଡ୍‌ର ବେସରକାରୀ ସଂଗଠନ ‘ପବ୍ଲିକ ଆଇ’ ଅଭିଯୋଗ କରିବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଏହି ରିପୋର୍ଟକୁ ନେଇ ଭାରତରେ ମଧ୍ୟ ବିତର୍କ ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ କମ୍ପାନି ପ୍ରସ୍ତୁତ କରୁଥିବା ଶିଶୁ ଖାଦ୍ୟର ଶସ୍ୟ ନମୁନା ‘‘ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରତି‌ଷ୍ଠାନ’’ (ଏଫ୍‌ଏସ୍‌ଏସ୍‌ଏଆଇ) ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି ବୋଲି କହିଛି।

ଏଫ୍‌ଏସ୍‌ଏସ୍‌ଏଆଇ ସିଇଓ ଜି କମଲା ବର୍ଦ୍ଧନ ରାଓ କହିଛନ୍ତି, ନେସ‌୍‌ଲେ ‘ସେରେଲାକ୍‌’ ଶିଶୁ ଖାଦ୍ୟ ଶସ୍ୟର ନମୁନା ଆମେ ଦେଶବ୍ୟାପୀ ସଂଗ୍ରହ କରୁଛୁ। ଏହି ପ୍ରକ୍ରିୟା ଶେଷହେବାକୁ ୧୫ରୁ ୨୦ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି। ପୂର୍ବରୁ ‘ଗ୍ଲୋବାଲ ଆଇ’ର ରିପୋର୍ଟକୁ ନେଇ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ଚିନ୍ତାବ୍ୟକ୍ତ କରିଥିଲା। କମ୍ପାନି ବିକଶିତ ଦେଶଗୁଡ଼ିକରେ ବିକ୍ରି କରୁଥିବା ଶିଶୁ ଖାଦ୍ୟ ତୁଳନାରେ ଅନୁନ୍ନତ ଦେଶଗୁଡ଼ିକରେ ଅଧିକ ଶର୍କରା ଥିବା ଅଭିଯୋଗ ହୋଇଥିଲା। ତେବେ ଗତ ୫ ବର୍ଷ ଭିତରେ କମ୍ପାନି ଭାରତରେ ଶର୍କରା ଅଂଶ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି ବୋଲି କହିଥିଲା।

ସମ୍ବନ୍ଧିତ ଖବର