ମହାଖଳାରେ ଲାଗିଲା ରୁକୁଣା ରଥ, ଆଜି ସ୍ୱର୍ଣ୍ଣାଦ୍ରି ବିଜେ
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଆଜି ମହାଖଳାରେ ଲାଗିଛି। ରଥ ରହିଥିବା ଗୋସାଗରେଶ୍ୱର ଛକ ନିକଟରୁ ବାହାରି ତିନିମୁଣ୍ଡିଆ ଛକ, ବଡ଼ଦାଣ୍ଡ, ସାହି ଓ ବଢେଇବାଙ୍କ ଦେଇ ମହାପ୍ରଭୁଙ୍କ ରଥକୁ ଭକ୍ତମାନେ ଟାଣି ଆଜି ରଥର ରହଣି ସ୍ଥଳରେ ଲଗାଇଥିଲେ। ଆଜି ଯାତ୍ରାର ଛଅ ଦିନ ପଡୁଥିବାରୁ ଠାକୁର ମନ୍ଦିରକୁ ପ୍ରବେଶ କରିନଥିଲେ। ଦେବାଦେବୀ ରଥରେ ରହିଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ନୃତ୍ୟରେ ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ। ଆଜି ଅପରାହ୍ନ ପ୍ରାୟ ୪ଟା ୧୫ମିନିଟ ପରେ ପୁଣି ରଥଟଣା ଆରମ୍ଭ ହୋଇଥିଲା। ହର ହର ମହାଦେବ, ଜୟ ଶ୍ରୀ ଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ, ହୁଳହୁଳି ସାଙ୍ଗକୁ ସମର୍ଥାଙ୍କ ଘଣ୍ଟ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ରଥ ଦାଣ୍ଡ। ଅଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ। ସନ୍ଧ୍ୟା ୬ଟା ୪୦ରେ ରଥ ମହାଖଳାରେ ଲାଗିଥିଲା। ରଥ ମହାଖଳାରେ ରହିବା ପରେ ଚାରମାଳ ବନ୍ଧା ଯିବା ସହ ରଥର ଦୁଇ ପାର୍ଶ୍ୱରେ ଲୁହା ସଡ଼ି ଲଗାଯାଇଥିଲା।ଏହାପରେ ଶହ ଶହ ଭକ୍ତ ରଥ ଉପରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଗରେ ରଥ ଭାଙ୍ଗିଲେ ମା’ପାର୍ବତୀ
ରଥଯାତ୍ରାରେ ମହାପ୍ରଭୁଙ୍କ ସଙ୍ଗେ ଯାଇ ନଥିବା ମା’ପାର୍ବତୀ ଆଜି ସେବାୟତଙ୍କ ଗହଣରେ ଆସିଥିଲେ। ରଥ ବଢେଇବାଙ୍କ ଛକ ଗୋପଳତୀର୍ଥ ମଠ ନିକଟରେ ପହଞ୍ଚିବା ବେଳକୁ ପାଲିଙ୍କିରେ ରୁକୁଣା ରଥ ପାଖକୁ ଆସିଥିଲେ। ସେବାୟତଙ୍କ ଗ୍ରହଣରେ ରଥ ପରିକ୍ରମା କରିବା ପରେ ତାଙ୍କୁ ମହାପ୍ରଭୁ ସାଙ୍ଗରେ ନେଇ ନଥିବା ରାଗରେ ରଥର ଏକ କାଠକୁ ଭାଙ୍ଗିଥିଲେ। ଚାହାଣି ମଣ୍ଡପରୁ ହେଲା ଭେଟ ଆଳତି ଆଜି ରାତି ପ୍ରାୟ ୯ଟା ବେଳକୁ ଦେବାଦେବୀଙ୍କ ଭେଟ ଅଳତି ହୋଇଥିଲା। ରଥରେ ମହାପ୍ରଭୁ ଥିବା ବେଳେ ମନ୍ଦିରର ଚାହାଣି ମଣ୍ଡପରେ ଥିଲେ ମା’ ପାର୍ବତୀ। ସେହି ସମୟରେ ମା’ ପାର୍ବତୀ ଓ ଶ୍ରୀଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା।