ପୁରୀ : ରାତି ପାହିଲେ ଚନ୍ଦନ ଯାତ୍ରା। ହେଲେ ସବୁ ଅସଜଡ଼ା। କିଛି ବି ବ୍ୟବସ୍ଥା ହୋଇନାହିଁ। ସାମୁଦ୍ରିକ ଝଡ଼ ‘ଫନି’ ତାଣ୍ଡବରେ ଛାରଖାର ହୋଇଯାଇଛି। ଚନ୍ଦନଯାତ୍ରା ପାଇଁ ଛାମୁଣ୍ଡିଆଟେ ବି ପ୍ରସ୍ତୁତ ହୋଇ ପାରିନାହିଁ। ଅବ୍ୟବସ୍ଥାରେ ରହିଛି ନରେନ୍ଦ୍ର ପୋଖରୀ। ସେପଟେ ସାରା ସହର କିଟିକିଟି ଅନ୍ଧାରରେ ବୁଡ଼ିଛି। ବିଜୁଳି ସଂଯୋଗ ସବୁଠୁ ବଡ଼ ସମସ୍ୟା। ଚନ୍ଦନଯାତ୍ରା କୌଣସି ପ୍ରକାର ହୋଇ ଯାଇପାରିବ, ମାତ୍ର ରଥଯାତ୍ରା ଏବେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଯୁଦ୍ଧକାଳୀନ ଭିତ୍ତିରେ କାମ ନକଲେ ରଥଯାତ୍ରା ବେଳକୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହେବା ଏକ କାଠିକର ପାଠ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ଅକ୍ଷୟ ତୃତୀୟା। ସେହିଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା। ପ୍ରତିଦିନ ମନ୍ଦିରରୁ ଦିଅଁ ବାହାରିବେ। ପଞ୍ଚ ମହାଦେବ ବି ବିଭିନ୍ନ ସାହିରୁ ଆସିବେ। ଚାପ ଖେଳ ହେବ। ମହାପ୍ରଭୁଙ୍କର ସବୁଠୁ ଲମ୍ବା ପର୍ବ ଭାବେ ବିବେଚିତ ଏହି ଯାତ୍ରା ପାଇଁ କିଛି ବି ପ୍ରସ୍ତୁତି ହୋଇନାହିଁ। ଯାହା ହୋଇଥିଲା ତାକୁ ଛାରଖାର କରିଦେଇଛି ‘ଫନି’। ସହରରେ ଏବେ ଅନ୍ଧାର ରାଜୁତି କରୁଛି। କାଁଭାଁ କେଉଁଠି ଜେନେରଟର ମାଧ୍ୟମରେ ଆଲୁଅ ଜଳୁଛି। ଅଧିକାଂଶ ଜାଗାରେ ମହମବତୀ ଓ ଡିବି ଆଲୁଅକୁ ଆଶ୍ରା କରିଛନ୍ତି ଲୋକେ। ମୁଖ୍ୟ ରାସ୍ତା ସଫା ହୋଇନାହିଁ। ଗଳିକନ୍ଦିରେ ଯିବା ସମ୍ଭବ ହେଉନାହିଁ। ଠାକୁରଙ୍କ ବିଜେ ପଥ ମଧ୍ୟ ଅନେକ ସ୍ଥାନରେ ଅବରୋଧ ହୋଇ ରହିଛି। ପନ୍ତିସ୍ଥଳରେ ନାହିଁ ଛାମୁଣ୍ଡିଆ। ଏଭଳି ପରିସ୍ଥିତିରେ ଚନ୍ଦନପୋଖରୀ ବା ନରେନ୍ଦ୍ରର ସୌନ୍ଦର୍ଯ୍ୟକରଣ ତ ଦୂର କଥା, ଏଯାଏ ତାହା ପରିଷ୍କାର ପରିଚ୍ଛନ୍ନ ହୋଇନାହିଁ।
ଆଜି ବି ସହରରେ ଗଦା ହୋଇଛି ପାହାଡ଼ ଭଳି ଆବର୍ଜନା। ଚନ୍ଦନ ଚକଡ଼ା ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ। ଦିଅଁ ଅନ୍ଧାରରେ ଯିବେ କେମିତି ସେହି ଚିନ୍ତା ସେବକ ଓ ଭକ୍ତଙ୍କୁ ଘାରିଛି। ଡିଜି ଲଗାଇ କୌଣସି ପ୍ରକାର ଚନ୍ଦନ ଯାତ୍ରା ହୋଇ ଯାଇପାରେ, ମାତ୍ର ସବୁଠୁ ବଡ଼ କଥା ହେଉଛି ରଥଯାତ୍ରା। ଆଉ ୬୦ ଦିନ ପରେ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଶ୍ରୀବିଗ୍ରହ ପଦାକୁ ବାହାରିବେ। ରଥଯାତ୍ରା, ବାହୁଡ଼ା, ସୁନାବେଶରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ। ଏତେ ଲୋକଙ୍କ ପାଇଁ ପୁରୀରେ ଭିତ୍ତିଭୂମି ପ୍ରସ୍ତୁତି ଜରୁରି। ତେଣୁ ରଥଯାତ୍ରା ଆୟୋଜନ ସରକାରଙ୍କ ପାଇଁ ଏବେ ବଡ଼ ଆହ୍ବାନ।
ବିଜୁଳି ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଗଲେ ବି ପୂର୍ବ ସ୍ଥିତି ପାଇଁ ଅନ୍ୟୂନ ୨ ମାସରୁ କମ୍ ସମୟ ଲାଗିବ ନାହିଁ। ଅର୍ଥାତ୍ ରଥଯାତ୍ରା ବେଳକୁ ବିଜୁଳି ସେବା ପ୍ରସ୍ତୁତ ହେବା ସମ୍ଭବ ନୁହେଁ ବୋଲି ସେସୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପାଣି ବ୍ୟବସ୍ଥା ତ ଆହୁରି ଦୟନୀୟ ସ୍ଥିତିରେ ଅଛି। ଏବେ ଲୋକଙ୍କୁ ପାଣି ଯୋଗାଇବା କଷ୍ଟକର ହେଉଛି, ଭକ୍ତଙ୍କ ପାଇଁ ପାଣି ବ୍ୟବସ୍ଥା କରିବା କାଠିକର ବ୍ୟାପାର। ଭକ୍ତ ଓ କାର୍ଯ୍ୟରତ ଅଧିକାରୀଙ୍କ ରହିବା ବ୍ୟବସ୍ଥା ହେଉଛି ଆଉ ଏକ ସମସ୍ୟା। ‘ଫନି’ ପବନରେ ୮୦ ଭାଗ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଅତି କମ୍ରେ ୩ ମାସ ଲାଗିବ। ଏଭଳି ସ୍ଥିତିରେ ଲୋକେ ରହିବେ କେଉଁଠି? ପ୍ରମୁଖ ଭିତ୍ତିଭୂମିକୁ ବାଦ୍ ଦେଲେ ସ୍ବାସ୍ଥ୍ୟ, ପରିମଳ, ଗମନାଗମନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏସବୁ ବ୍ୟବସ୍ଥାକୁ ୬୦ ଦିନ ମଧ୍ୟରେ ସ୍ବାଭାବିକ କରିବା ଦୁରୂହ ବ୍ୟାପାର।