ଆଗ ବାବୁଙ୍କ ଘର, ତା’ପରେ ଲୋକ

ରାଜଧାନୀ ଏବେ ଧ୍ବଂସସ୍ତୂପ ପାଲଟିଛି। ରାସ୍ତା ସାରା ଗଛ, ବିଦ୍ୟୁତ ତାର ଛିଣ୍ଡିକି ପଡ଼ିଛି। ଏହାକୁ ହଟାଇବା ପାଇଁ ପୂର୍ତ୍ତ ବିଭାଗ, ଏନ୍‌ଡିଆରଏଫ୍, ଅଗ୍ନିଶମ, ସେସୁ, ବିଏମ୍‌ସି ଓ ଓଡ୍ରାଫର ପ୍ରାୟ ୬୦ରୁ ଅଧିକ ଟିମ୍ ଲାଗିଛନ୍ତି। ମୁଖ୍ୟ ରାସ୍ତାରୁ ବି ଅବରୋଧ ହଟିଗଲାଣି। ହେଲେ ଏପର୍ଯ୍ୟନ୍ତ ରାଜଧାନୀ‌ର ସମସ୍ତ ଅଞ୍ଚଳରେ ଗଛ ଜମା ହୋଇଛି, ବିଦ୍ୟୁତ ସେବା କିପରି ସ୍ବାଭାବିକ ହେବ ସେନେଇ ଆଖିଦୃଶିଆ ପଦକ୍ଷେପ ନିଆଯାଇପାରୁନି। ଲୋକ ଅଭିଯୋଗ କଲେ ବହୁ ସମୟ ପରେ ଉଦ୍ଧାରକାରୀ ଦଳ ପହଞ୍ଚୁଛନ୍ତି। ଏହାର କାରଣ ହେଲା ଉଦ୍ଧାରକାରୀ ଦଳ ଏବେ ବଡ଼ ବାବୁଙ୍କ ସେବାରେ ଲାଗିଛନ୍ତି। ନେତା, ଆଇଏଏସ୍, ଆଇପିଏସ୍‌ମାନଙ୍କ କ୍ବାର୍ଟର୍ସରେ ବହୁ ଗଛ ଭାଙ୍ଗି ପଡ଼ିଥିବାବେଳେ ବହୁ ଅଧିକାରୀଙ୍କ ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଛି। କ୍ବାର୍ଟର୍ସ ପରିସରରେ କିଛି ଅଳିଆ ଗଦା ହୋଇଛି। ତେଣୁ ବଡ଼ ବାବୁଙ୍କୁ ଖୁସି କରିବା ପାଇଁ ଏବେ ଉଦ୍ଧାରକାରୀ ଦଳକୁ ସେମାନଙ୍କ କ୍ବାର୍ଟର୍ସରେ ଅଧିକ ସମୟ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳୁଛି। ଏହାପରେ ଯାଇ ଲୋକଙ୍କ ଅଭିଯୋଗ ସମାଧାନ ହେଉଛି ନଚେତ୍‌ ହେଉନି। ଏପରିକି ଉଚ୍ଚପଦସ୍ଥ ଅଧିକାରୀମାନେ ଏକାଧିକ ଟିମ୍‌କୁ ନେଇ ନିଜ ତତ୍ତ୍ବାବଧାନରେ କାମ କରୁଛନ୍ତି। ଯେଉଁଥିପାଇଁ ଏବେବି ରାଜଧାନୀର ସମସ୍ତ ପ୍ରମୁଖ ଅଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ କରିବା ପାଇଁ ତାର ଉପରୁ ଗଛ ଉଠିନି କି ରାସ୍ତାରୁ ଭଙ୍ଗା ଡାଳ କି ଗଛ ଉଠାଯାଇପାରୁନି।
କେବଳ ଏତିକି ନୁହେଁ ଲୋକ ପାଣି ପାଇଁ ଆଉଟୁପାଉଟୁ ହେଉଥିବାବେଳେ ସେମାନଙ୍କ ପାଖକୁ ଟ୍ୟାଙ୍କର ପଠାଇବା ବଦଳରେ ଆଗ ବାବୁଙ୍କ ଘରକୁ ଟ୍ୟାଙ୍କର ପଠାଯାଉଛି। ଏହାପରେ ଯାଇ ସାଧାରଣ ଲୋକଙ୍କ କଥା ଚିନ୍ତା କରାଯାଉଛି। ପ୍ରଶାସନିକ ସ୍ତରରେ ଏହିଭଳି ଅବ୍ୟବସ୍ଥା ଯୋଗୁଁ ବହୁ ଲୋକ ଏବେ କଳାବଜାରୀର ଶିକାର ହେଉଥିବାବେଳେ କିଛି ଲୋକ ରାସ୍ତାରୋକ କରିବାକୁ ଓହ୍ଲାଇଛନ୍ତି। ହେଲେ ବଡ଼ ବାବୁଙ୍କୁ ଖୁସି କରିବା ମୁଡ୍‌ରେ ଥିବା ଅଧିକାରୀମାନଙ୍କୁ ଏହା ଦେଖାଯାଉନି।

ଉଜୁଡ଼ା ପାର୍କ
ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଫନି’ ସବୁଜ ବଳୟଘେରା ରାଜଧାନୀକୁ ଶ୍ରୀହୀନ କରିଦେଇଛି। ରାସ୍ତା ସାରା ଗଦାଗଦା ଗଛ ଭାଙ୍ଗି ପଡ଼ି ରହିଥିବା ବେଳେ ପାର୍କଗୁଡ଼ିକ ଉଜୁଡ଼ି ଯାଇଛି। ପା‌ର୍କର ସୌନ୍ଦର୍ଯ୍ୟକରଣ ପାଇଁ ବର୍ଷ ବର୍ଷ ଧରି କରାଯାଇଥିବା ସମସ୍ତ ଅର୍ଥ ବ୍ୟୟ ଓ ପରିଶ୍ରମ ସବୁ ବୃଥା ଯାଇଛି। ରାଜଧାନୀର ସମସ୍ତ ପାର୍କରେ ହଜାର ହଜାର ସଂଖ୍ୟାରେ ଗଛ ଭାଙ୍ଗି ଯାଇଥିବା ବେଳେ ବିଭିନ୍ନ ପାର୍କରେ କରାଯାଇଥିବା ଓପନ ଜିମ୍‌ ମଧ୍ୟ ନଷ୍ଟ ହୋଇଯାଇଛି। ପାର୍କର ଆଲୋକୀକରଣ ପାଇଁ ଲାଗିଥିବା ଲାଇଟ୍‌ଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ ସମସ୍ତ ପାର୍କ ଶୁକ୍ରବାରଠାରୁ ବନ୍ଦ ରହିଛି। ସତ୍‌ସଙ୍ଗ ବିହାରସ୍ଥିତ ମୁଖାର୍ଜୀ ପାର୍କ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି। ସେହିଭଳି ଆଇଜି ପାର୍କ, ଫରେଷ୍ଟ ପାର୍କ ଓ ସହରର ଅନ୍ୟ ସମସ୍ତ ପାର୍କର ସମବସ୍ଥା। ପାର୍କଗୁଡ଼ିକ କେବେ ଖୋଲିବ, ତାହା ବି କାହାକୁ ଜଣାନାହିଁ। ଏକାମ୍ର ହାଟ ଭିତରେ ୧୦୦ରୁ ଊର୍ଧ୍ବ ଗଛ ଭାଙ୍ଗିଯାଇଛି। ଗଛ ପଡ଼ି ୩ଟି ଦୋକାନ ଭାଙ୍ଗି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଗଛ କାଟିବା ପାଇଁ କିଛି ପଦକ୍ଷେପ ନିଆଯାଇନଥିବା ହାଟର ସୁରକ୍ଷା କର୍ମୀ ବାସୁଦେବ ମହାନ୍ତି କହିଛନ୍ତି। ଅପରପକ୍ଷେ ବିଦ୍ୟୁତ୍‌ ସେବା ବନ୍ଦ ଥିବାରୁ ଅତିଶୟ ଗୁଳୁଗୁଳି ଓ ଗରମ ସହିନପାରି ଲୋକେ ପାର୍କ ଯାଉଛନ୍ତି। କିନ୍ତୁ ସେଠାରୁ ନିରାଶ ହୋଇ ଫେରୁଥିବା ଦେଖାଯାଉଛି। ବିଭିନ୍ନ ସ୍ଥାନରେ ନିର୍ମିତ ଯାତ୍ରୀ ଆଶ୍ରୟସ୍ଥଳ, ଏୟାରପୋର୍ଟ ସଂଲଗ୍ନ ରାସ୍ତା ଓ ରାସ୍ତାକଡ଼ ଆଦି ଯୁବକ/ଯୁବତୀ, ବୟସ୍କ ତଥା ସମସ୍ତ ବର୍ଗର ଲୋକଙ୍କ ଅବସର ବିନୋଦନର ମୁଖ୍ୟ ସ୍ଥାନ ପାଲଟିଛି।

ସମ୍ବନ୍ଧିତ ଖବର