ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବିଜେପୁରବାସୀଙ୍କୁ ମିଳିବ ୩୪ ହଜାର ପକ୍କା ଘର
ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବିଜେପୁର ଅଂଚଳର ଯୋଗ୍ୟ ହିତାଧିକାରୀଙ୍କୁ ୩୪ ହଜାର ପକ୍କା ଘର ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହି ଘୋଷଣା କରିଛନ୍ତି। ନବୀନଙ୍କ ଘୋଷଣା ଅନୁସାରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ହଜାର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ବରଗଡ଼ ଜିଲ୍ଲାର ୫୦୫ ଗ୍ରାମ ପାଇଁ ମୋଗା ପାଇପ୍ ପାଣି ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଇ ଦିଆଯିବ। ପ୍ରାୟ ୮ ଲକ୍ଷ ଲୋକଙ୍କ ପାଇଁ ମୋଟ ୧୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପାର୍ବତୀ ଗିରି ମେଗା ଉଠାଜଳ ସେଚନ ଯୋଜନାରେ ଗାଇସିଲେଟ ବ୍ଲକର ବୁରୋମୁଣ୍ଡାରେ ଏକ ଉଠାଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୪୮ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପରୁ ପ୍ରାୟ ୩୦୦୦ ଏକର ଚାଷ ଜମିକୁ ଜଳ ଯୋଗାଇ ଦିଆଯିବ।
ବରଗଡ଼ ଓ ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦରେ ଜଳ ଯୋଗାଣ, ଷ୍ଟ୍ରିଟ ଲାଇଟ, ସଡ଼କ, ଡେନ୍, ଟାଉନ ହଲ, ଗୋଷ୍ଠୀକେନ୍ଦ୍ର, ପାର୍କ, ଅଫିସ୍ କୋଠା ଆଦି ନିର୍ମାଣ ହେବ। ଉଭୟ ସହର ପାଇଁ ୪୦-୪୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଚାଷୀ ଓ ଚାଷ ପାଇଁ ବିଦ୍ୟୁତ ଯୋଗାଇ ଦିଆଯିବ। ମୋଟ ୬୦ କିଲୋମିଟର ୩୩କେଭି ବିଦ୍ୟୁତ, ୧୨୫ କିଲୋମିଟର ୧୧କେଭି ବିଦ୍ୟୁତ ସ୍ଥାପନ କରାଯିବ। ଗାଇସିଲେଟ ଅନ୍ତର୍ଗତ ଗୁଡେରିପାଲି, ତେଲପାଲି ଓ ଡଙ୍ଗାବାହାଲରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ।
ବିଜେପୁର ବ୍ଲକର ତେଲପଦରରେ ଏକ ନୂତନ ପିଏଚସି ଖୋଲିବ। ଏଠାରେ ଆବଶ୍ୟକ ଡାକ୍ତର ଗୋଟିଏ ସପ୍ତାହ ମଧ୍ୟରେ ନିଯୁକ୍ତି କରାଯିବ। ଦୁଇଟି କୌଶଳ ବିକାଶ କେନ୍ଦ୍ର ବ୍ୟତୀତ ବିଜେପୁରରେ ଗୋଟିଏ ଆଇଟିଆଇ କେନ୍ଦ୍ର ପ୍ରତିଷ୍ଠା କରାଯିବ।