ବ୍ୟାଘ୍ର ସଂରକ୍ଷଣ ବଣରେ ହଜି ଯାଇଥିବା ୫ ବର୍ଷୀୟ ଝିଅକୁ ଖୋଜୁଛନ୍ତି ୨୦୦ ଲୋକ
ହାଇଦ୍ରାବାଦ: ତେଲେଙ୍ଗାନାର ନିଘଞ୍ଚ ଅରଣ୍ୟ ‘ନାଲିମାଲା ବ୍ୟାଘ୍ର ସଂରକ୍ଷଣ’ରେ ହଜି ଯାଇଥିବା ଜଣେ ୫ ବର୍ଷୀୟ ଆଦିବାସୀ ବାଳିକାକୁ ଠାବ କରିବାକୁ ୨୦୦ ରୁ ଅଧିକ ବ୍ୟକ୍ତି ଖୋଜାଖୋଜି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରାବଣୀ ନାମ୍ନା ସେ ଚେଞ୍ଚୁ ବାଳିକା ଆମ୍ରାବାଦ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଗତ ସପ୍ତାହର ଶୁକ୍ରବାର ଦିନ ନିରୁଦ୍ଦେଶ ହୋଇ ଯାଇଥିଲା। ବନ କର୍ମଚାରୀ ଓ ଆଦିବାସୀମାନଙ୍କ ସହ ମିଶି ମାଭୁବନଗର ଜିଲ୍ଲା ପ୍ରଶାସନ ଘନ ଜଙ୍ଗଲ ମଧ୍ୟରେ ଝିଅଟିକୁ ଖୋଜି ପାଇବାକୁ ତଲାସ ଅଭିଯାନ ଚଳାଇଛି।
ପାଗ ଭଲ ନ ଥିଲେ ବି ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ ୩୦ କିଲୋମିଟର୍ ବ୍ୟାସାର୍ଦ୍ଧ ଅଞ୍ଚଳରେ ୨୦୦ରୁ ଅଧିକ ଲୋକ ଝିଅଟିକୁ ଖୋଜୁଛନ୍ତି।
ଗତ ସପ୍ତାହରେ ଖେଳିବା ବେଳେ ଶ୍ରାବଣୀ ଏବଂ ଅନ୍ୟ ଜଣେ ପିଲା ଜଙ୍ଗଲ ମଧ୍ୟକୁ ପଶି ଯାଇଥିଲେ।
ଅନ୍ୟ ପିଲାଟି ସଙ୍ଗେ ସଙ୍ଗେ ମିଳି ଯାଇଥିଲେ ବି ୫ ବର୍ଷୀୟ ଶ୍ରାବଣୀ ମିଳିନାହିଁ। ବଣରେ ୩୦ରୁ ଊର୍ଦ୍ଧ୍ୱ ହିଂସ୍ରଜନ୍ତୁ ଥିବାରୁ ତା’ ଜୀବନବିପନ୍ନ ହେବା କଥା ଆଶଙ୍କା କରୁଛନ୍ତି ସରକାରୀ କର୍ତ୍ତୃପକ୍ଷ।
ନଲ୍ଲାମଲ୍ଲା ବଣରେ ସ୍ଥାନୀୟ ଜନଜାତି ଚେଞ୍ଚସ୍ମାନେ ରହନ୍ତି। ଆଧୁନିକ ସଭ୍ୟତା ଠାରୁ ଦୂରରେ ରହୁଥିବା ଏହି ପ୍ରଜାତି ଏବେ ମଧ୍ୟ ଶିକାର ଏବଂ ଅରଣ୍ୟଜାତ ଉତ୍ପାଦ ଉପରେ ନିର୍ଭର କରି ଚଳନ୍ତି।