ଜୁଲାଇ ୬ରୁ ଆରମ୍ଭ ହେବ ବିଜେପିର ସାଂଗଠନିକ ପର୍ବ
ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ, ରାଜ୍ୟ ସରକାରଙ୍କ ଅପାରଗତାକୁ ନିନ୍ଦା
ଭୁବନେଶ୍ବର : ଆସନ୍ତା ଜୁଲାଇ ୬ ତାରିଖ ଠାରୁ ବିଜେପିର ସାଂଗଠନିକ ପର୍ବ ଆରମ୍ଭ ହେବ। େସହି ଦିନ ଠାରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଏହା ପରେ ସଦସ୍ୟତା ଆଧାରରେ ଦଳର ପୁନର୍ବିନ୍ୟାସ ହେବା ସହ ନୂଆ ଦାୟିତ୍ବ ବଣ୍ଟନ କରାଯିବ। ପ୍ରତି ବୁଥ୍ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟ ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତାକୁ ବୈଠକରେ ନିନ୍ଦା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଥିଲେ, ବାତ୍ୟା ଫନି ପରେ ରାଜ୍ୟ ସରକାର ବାତ୍ୟା ପ୍ରଭାବିତଙ୍କୁ ଥଇଥାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅନ୍ୟ ପଟେ ରାଜ୍ୟରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଛି। ମିଲର୍ସମାନେ ମନମୁଖୀ କାମ କରୁଥିଲା ବେଳେ ମନ୍ତ୍ରୀ, ଅଫିସର୍ମାନେ ସେମାନଙ୍କୁ ସୁରକ୍ଷା ଦେଛନ୍ତି। ଆଜି ବି ଅନେକ ମଣ୍ଡିରେ ଧାନ ଉଠି ନାହିଁ। ଆଉ ଦିନ କେଇଟା ପରେ ବର୍ଷା ଆରମ୍ଭ ହୋଇଯିବ। ଏହା ଉପରେ ସରକାର ତୁରନ୍ତ ଧ୍ୟାନ ଦେବା ପାଇଁ ବୈଠକରେ ଦାବି କରାଯାଇଥିଲା। ସେହିପରି ଦିନକୁ ଦିନ ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ବଢ଼ିବାରେ ଲାଗିଛି। ଶାସକ ଦଳ ରକ୍ତମୁଖା ସାଜିଛି। ପୁଲିସ୍ର ବର୍ବରତା ମଧ୍ୟ ସୀମା ଲଂଘିଛି। ନବରଙ୍ଗପୁରରେ ପୁଲିସ୍ ମାଡ଼ରେ ମୃତ୍ୟୁବରଣ କରିଥିବା ଗୋବର୍ଦ୍ଧନଙ୍କ ପରିବାରକୁ କ୍ଷତିପୂରଣ ଭାବବେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି। ସେହିପରି ଶାସକ ଦଳର ବିଧାୟକ ସରୋଜ ମେହେର ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିେରାଧରେ ଅଭିଯୋଗ ଆସିଲା ପରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ତାହାକୁ ବୈଠକରେ ନିନ୍ଦା କରାଯାଇଥିଲା।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ବରେ ହୋଇଥିବା ପଦାଧିକାରୀ ବୈଠକରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଗିରିଧର ଗମାଙ୍ଗୋ, ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ମାନସ ମହାନ୍ତି, ଅମିତାଭ ଚକ୍ରବର୍ତ୍ତୀ, ଅନନ୍ତ ନାୟକ ଓ ସାରଦା ପ୍ରସାଦ ଶତପଥୀଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।