୧୯୯୭ରେ ଯେତେବେଳେ କ˚ଗ୍ରେସର ତତ୍କାଳୀନ ସଭାପତି ସୀତାରାମ କେଶରୀ ନିଜର ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନକୁ ଆଉ ବିଳମ୍ବିତ କରାଯାଇ ପାରିବ ନାହିଁ ବୋଲି ଅନୁଭବ କରି ୧୦ ମାସର ଦେବେଗୌଡ଼ା ନେତୃତ୍ବାଧୀନ ମିଳିତ ସାମ୍ମୁଖ୍ୟକୁ କ˚ଗ୍ରେସ ପ୍ରଦାନ କରୁଥିବା ବାହ୍ୟ ସମର୍ଥନ ପ୍ରତ୍ୟାହାର କରି ନେଲେ, ସେତେବେଳେ ସ˚ସଦରେ ୭୯ ବର୍ଷୀୟ କେଶରୀଙ୍କୁ ଲକ୍ଷ୍ୟ କରି ଦେବେଗୌଡ଼ା ଛିଗୁଲାଇ କହିଥିଲେ: ‘‘ଓଲ୍ଡ଼ ମ୍ୟାନ୍ ଇନ୍ ଏ ହର୍ରି’’- ଅର୍ଥାତ୍ ପ୍ରଧାନମନ୍ତ୍ରୀ ହେବାକୁ ତରବର ହେଉଥିବା ଜଣେ ବୃଦ୍ଧ। ଦେବେଗୌଡ଼ା ଏହା ଵିନ୍ଷ୍ଟନ୍ ଚର୍ଚ୍ଚିଲ୍ଙ୍କ ପିତା ରାଣ୍ତଲ୍ଫ ଚର୍ଚ୍ଚିଲ୍ ତତ୍କାଳୀନ ୭୯ ବର୍ଷୀୟ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଵିଲିଅମ୍ ଗ୍ଲାଡ୍ଷ୍ଟୋନ୍ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା କଟୂକ୍ତିକୁ ଉଦ୍ଧାର କରି କହିଥିଲେ କିମ୍ବା ଏ ସମ୍ପୂର୍ଣ୍ଣ ରୂପେ ଗୌଡ଼ାଙ୍କର ନିଜସ୍ବ ମନ୍ତବ୍ୟ ଥିଲା, ତାହା ଜଣା ନାହିଁ। କିନ୍ତୁ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିପ୍ରେକ୍ଷୀରେ ବର୍ତ୍ତମାନ ମନେ ହେଉଛି ଭାରତର ଅପେକ୍ଷାକୃତ ନୂତନ ଅର୍ଥନୈତିକ ନୀତି ନିର୍ଦ୍ଧାରିକ ଅନୁଷ୍ଠାନ ନୀତି ଆୟୋଗ ପ୍ରତି ଏହା ଲାଗୁ ହୋଇପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ପରିପ୍ରେକ୍ଷୀ ହେଉଛି ଭାରତର ମଟରଗାଡ଼ି ଶିଳ୍ପରେ ଏକ ପ୍ରାବିଧିକ ବିପ୍ଳବ। ସେ ସମୟରେ ସୀତାରାମ କେଶରୀଙ୍କ ଉଚ୍ଛନ୍ନ ଆଚରଣ ଦେଶରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି କରି ଅର୍ଥନୀତିକୁ ଯେଉଁପରି ଧକ୍କା ପହଞ୍ଚାଇଥିଲା, ନୀତି ଆୟୋଗର ତରବରିଆ ଆଚରଣ ଦେଶର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମଟରଗାଡ଼ି ଶିଳ୍ପ ପ୍ରତି ସେଇଭଳି ଏକ ଧକ୍କା ପହଞ୍ଚାଇବାକୁ ଯାଉଛି ବୋଲି ବ୍ୟାପକ ଆଶଙ୍କା ପ୍ରକାଶ ପାଇଛି। ବିପ୍ଳବଟି ହେଉଛି ଦେଶରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନମାନଙ୍କ ସ୍ଥାନରେ ବିଜୁଳି ଚାଳିତ ଯାନ (ଇଲେକ୍ଟ୍ରିକ୍ ଭେଇକ୍ଲ-‘ଇଭି’) ପ୍ରଚଳନ କରାଇବା। ଏହି ଲକ୍ଷ୍ୟ ହାସଲ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ୨୦୨୫ ସୁଦ୍ଧା ଦେଶରେ ସମସ୍ତ ପେଟ୍ରୋଲ/ ଡିଜେଲ ଚାଳିତ ଦୁଇ/ତିନି ଚକିଆ ଗାଡ଼ି ବିକ୍ରୟ ନିଷିଦ୍ଧ କରାଯିବାକୁ ସରକାର ଯୋଜନା କରିଛନ୍ତି ଏବ˚ ନୀତି ଆୟୋଗ ଏସବୁ ଯାନର ନିର୍ମାତାମାନଙ୍କୁ ଏହା ହାସଲ କରିବା ପାଇଁ ମାତ୍ର ଦୁଇ ସପ୍ତାହ ମଧୢରେ ଏକ ସୁଚିନ୍ତିତ ସମ୍ୟକ୍ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି।
ନୀତି ଆୟୋଗର ଚିନ୍ତା ବୁଝିବା ଅବଶ୍ୟ କଷ୍ଟ ନୁହେଁ। ୨୦୧୫ର ଉଚ୍ଚାକାଂକ୍ଷୀ ପ୍ୟାରିସ୍ ଜଳବାୟୁ ଚୁକ୍ତି ସ୍ବାକ୍ଷର କରିବାରେ ଭାରତ ହେଉଛି ଏକ ଅଗ୍ରଣୀ ଦେଶ। ବିଶେଷଜ୍ଞ ଆକଳନ ଅନୁସାରେ ପୃଥିବୀର ଅତ୍ୟନ୍ତ ପ୍ରଦୂଷିତ ସହରମାନଙ୍କ ମଧୢରୁ ୨୨ଟି ରହିଛି ଭାରତରେ ଏବ˚ ପୃଥିବୀର ସର୍ବାଧିକ ପ୍ରଦୂଷିତ ସହର ହେଉଛି ଗୁଡ଼ଗାଓଁ ବା ନୂତନ ନାମ ଅନୁସାରେ ଗୁରୁଗ୍ରାମ (ନାମ ପରିବର୍ତ୍ତନ କିଭଳି ନିରର୍ଥକ, ଏହା ତାହାର ସର୍ବଶ୍ରେଷ୍ଠ ପ୍ରମାଣ)। ସେହିପରି ଆକଳନ କରାଯାଇଛି ପ୍ରଦୂଷଣ ବୋଝର ଦୁଇ-ତୃତୀୟା˚ଶ ସୃଷ୍ଟି ହୋଇଥାଏ ସହରମାନଙ୍କରେ ଚଳପ୍ରଚଳ ହେଉଥିବା ପେଟ୍ରୋଲ ବା ଡିଜେଲ ଇଞ୍ଜିନ୍ ଯୁକ୍ତ ଦୁଇଚକିଆ ଓ ତିନି ଚକିଆ ଯାନମାନଙ୍କ ଦ୍ବାରା। ତେଣୁ ଏ ଯାନମାନଙ୍କୁ ଯଦି ସମ୍ପୂର୍ଣ୍ଣ ରୂପେ ଧୂମ-ହୀନ କରି ଦିଆଯିବ, ତେବେ ଦେଶରେ ସହରୀ ପ୍ରଦୂଷଣ ସ୍ତରରେ ଚମକପ୍ରଦ ହ୍ରାସ ଘଟିବ ବୋଲି ଆଶା କରାଯାଉଛି। ନୀତି ଆୟୋଗର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚିନ୍ତାଟି ହେଉଛି ସମ୍ପୂର୍ଣ୍ଣ ରୂପେ ବିତ୍ତୀୟ। ଭାରତକୁ ତା’ର ପେଟ୍ରୋଲ/ ଡିଜେଲ୍ ଆବଶ୍ୟକତାର ମୁଖ୍ୟ ଅ˚ଶ ବିଦେଶରୁ ଆମଦାନି କରିବାକୁ ପଡ଼ିଥାଏ। ନୀତି ଆୟୋଗ ହିସାବ କରିଛି ଯେ ଯଦି ସମସ୍ତ ଦୁଇ/ତିନି ଚକିଆ ଯାନ ‘ଇଭି’ ହୋଇଯାଆନ୍ତି, ତେବେ ବର୍ତ୍ତମାନର ତୈଳଦର ଅନୁସାରେ ଭାରତର ତୈଳ ଆମଦାନି ବିଲ୍ରେ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିବ।
ନୀତି ଆୟୋଗର ଉଦ୍ଦେଶ୍ୟ ତେଣୁ ମହତ୍, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଦୁର୍ଭାଗ୍ୟକୁ ବର୍ତ୍ତମାନର ପାରିପାର୍ଶ୍ବିକ ଅବସ୍ଥା ଏହି ମହତ୍ ଉଦ୍ଦେଶ୍ୟକୁ ସମ୍ଭାଳି ପାରିବା ଭଳି ମନେ ହୁଏ ନାହିଁ। ବିତ୍ତ ବର୍ଷ ୨୦୧୯ରେ ଦେଶରେ ଦୁଇ ଚକିଆ ଯାନ ବିକ୍ରିରେ ବୃଦ୍ଧି ହାର ହୋଇଛି ମାତ୍ର ୪.୮୬%। ୨୦୨୦ ବର୍ଷ ପାଇଁ ପୂର୍ବାନୁମାନ ମଧୢ ବିଶେଷ ଆଶାଜନକ ନୁହେଁ। ଏହି ସମୟରେ ମଧୢ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ସମସ୍ତ ଦୁଇଚକିଆ ଯାନକୁ ‘ଭାରତ ଷ୍ଟେଜ୍-୬’ ନିର୍ଗମନ ମାନ ଅନୁକୂଳ କରିବା ପାଇଁ ଉତ୍ପାଦନକାରୀମାନେ ଲାଗି ପଡ଼ିଛନ୍ତି, ଯାହା ଉତ୍ପାଦନ ବ୍ୟୟରେ ବୃଦ୍ଧି ଘଟାଇବ। ତେଣୁ ଠିକ୍ ଏତିକି ବେଳେ ନୀତି ଆୟୋଗର ‘ଇଭି’ ନିର୍ଦ୍ଦେଶ ସେ ଶିଳ୍ପ ପାଇଁ ଏକ ବୋଝ ଉପରେ ନଳିତା ବିଡ଼ା ଭଳି ଆବିର୍ଭୂତ ହୋଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ଭାରତୀୟ ଦୁଇ ଚକିଆ ଶିଳ୍ପ ମଧୢ ଅନ୍ୟ ଏକ ବିପଦର ସମ୍ମୁଖୀନ ହେବ। ପେଟ୍ରୋଲ ଦୁଇଚକିଆ ଯାନ ରତ୍ପାନି କ୍ଷେତ୍ରରେ ଭାରତ ପୃଥିବୀରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛି। ଅନ୍ୟ ପକ୍ଷରେ ଦୁଇଚକିଆ ‘ଇଭି’ ଉତ୍ପାଦନରେ ଚୀନ୍ ବହୁପୂର୍ବରୁ ଅଗ୍ରଣୀ ସ୍ଥାନରେ ରହିଛି। ଭାରତ ପେଟ୍ରୋଲ ଦୁଇଚକିଆ ରପ୍ତାନି ବନ୍ଦ କରି ଦେଲେ ଆନ୍ତର୍ଜାତିକ ଗ୍ରାହକମାନେ ‘ଇଭି’ ଦୁଇଚକିଆ ଆମଦାନି କରିବାକୁ ଚୀନ୍ ଆଡେ଼ ମୁହାଁଇବେ।
ଯଦି ନୀତି ଆୟୋଗର ମୂଳ ଲକ୍ଷ୍ୟ ପ୍ରଦୂଷଣ ହ୍ରାସ ହୋଇଥାଏ, ତେବେ ତାହା ମଧୢ ହାସଲ ହେବା ସନ୍ଦେହଜନକ। କାରଣ ଏହି ‘ଇଭି’ ମାନ ଚାର୍ଯ ହେବା ପାଇଁ ଯେଉଁ ବିଦ୍ୟୁତଶକ୍ତି ବ୍ୟବହୃତ ହେବ, ତାହାର ଉତ୍ପାଦନ ହୋଇଥାଏ ମୁଖ୍ୟତଃ କୋଇଲାକୁ ଇନ୍ଧନ ରୂପେ ବ୍ୟବହାର କରାଯାଉଥିବା ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କରେ। କେବଳ ଏତିକି ଘଟିବ, ପ୍ରଦୂଷଣର ସ୍ଥାନାନ୍ତର- ସହରମାନଙ୍କରୁ ଶକ୍ତି ଉତ୍ପାଦନ କେନ୍ଦ୍ର ଅବସ୍ଥିତ ଥିବା ଅଞ୍ଚଳକୁ। ଏଭଳି ପ୍ରଦୂଷଣ ବାଛ ବିଚାର କେତେ ଦୂର ଗ୍ରହଣୀୟ ତାହା ତର୍କ ସାପେକ୍ଷ। ଯାନମାନଙ୍କର ‘ଇଭି’ କରଣ ପଥରେ ଥିବା ଅନ୍ୟ ଏକ ପ୍ରତିବନ୍ଧ ହେଉଛି ଏଥିପାଇଁ ଆବଶ୍ୟକ ବ୍ୟାଟେରି ଯୋଗାଣ। ଚୀନ୍ ପୃଥିବୀରେ ବ୍ୟବହୃତ ହେଉଥିବା ଏଭଳି ବ୍ୟାଟେରିର ୬୦% ଯୋଗାଇଥାଏ। ଭାରତରେ ଏ ବ୍ୟାଟେରି ଆଦୌ ନିର୍ମିତ ହୁଏ ନାହିଁ ଏବ˚ ବିଦେଶରୁ ବ୍ୟାଟେରି ଯନ୍ତ୍ରା˚ଶ ଆମଦାନି କରି ଏଠାରେ ତାହାକୁ ଖଞ୍ଜାଖଞ୍ଜି (ଆସେମ୍ବ୍ଲି) କରିବା ପାଇଁ ମଧୢ କୌଣସି ବଡ଼ ଆକାରର ବ୍ୟବସାୟ ମୁଣ୍ତ ଟେକି ନାହିଁ। ମନେ ରଖିବା କଥା ଏକ ‘ଇଭି’ ଦୁଇଚକିଆ ଦାମ୍ର ପ୍ରାୟ ଅଧା ହେଉଛି ବ୍ୟାଟେରିର ଦାମ୍। ଯଦି ଭାରତୀୟ ନିର୍ମାତାମାନେ ବ୍ୟାଟେରି ସବୁ ବିଦେଶୀରୁ ଆମଦାନି କରିବେ ତେବେ, ତାହା ଅତ୍ୟନ୍ତ ବ୍ୟୟବହୁଳ ହେବ ଏବ˚ ସରକାରୀ ସବ୍ସିଡ଼ି ବିନା ସେମାନେ ବଜାରରେ ତିଷ୍ଠି ପାରିବେ ନାହିିଁ।
ପୁଣି ‘ଇଭି’ର ଆବିର୍ଭାବ ପରେ ବିକ୍ରୟ ପର ସେବା ପ୍ରଦାନକାରୀ ମେକାନିକ ଆଜି ସେମାନଙ୍କର ବୃତ୍ତି ହରାଇ ବସିବେ, କାରଣ ଏ ‘ଗାଡ଼ି’ ମାନଙ୍କରେ ଚଳମାନ ଯନ୍ତ୍ରା˚ଶ (ମୁଭିଙ୍ଗ୍ ପାର୍ଟସ୍) ଅନୁପାତ ବହୁତ କମ୍ ହୋଇଥିବାରୁ ତାର ବିଶେଷ ରକ୍ଷଣାବେକ୍ଷଣ, ମରାମତି ଆଦି ଆବଶ୍ୟକ ହୋଇନଥାଏ। ପେଟ୍ରୋଲ ଗାଡ଼ି ନିର୍ମାତାମାନେ ଏ ନୂତନ ଗାଡ଼ିର ନିର୍ମାଣ ପୁଣି ମୂଳରୁ ଆରମ୍ଭ କରିବେ, ଯାହା ଅତ୍ୟନ୍ତ ବ୍ୟୟବହୁଳ। ଏ ସମସ୍ତ ପାରିପାର୍ଶ୍ବିକ ପରିଣତି ଓ ପ୍ରତିବନ୍ଧମାନଙ୍କର ଠିକଣା ସମାଧାନ ନ କରି ନୂଆ ଗାଡ଼ି ଦେଖିବାକୁ ଉଚ୍ଛନ୍ନ ମନ ପିଲାଙ୍କ ପରି ନୀତି ଆୟୋଗ ଓ ସରକାର ଯଦି ଅତି ତରତର ହୁଅନ୍ତି, ତେବେ ତାଙ୍କୁ ଶେଷରେ ସୀତାରାମ କେଶରୀଙ୍କ ଭଳି ହତାଶ ହେବାକୁ ପଡ଼ିପାରେ।