ଘରେ ପଶି ବାପ-ପୁଅଙ୍କୁ ହାଣିବା ମାମଲା : ରାଜ୍ୟ ବାହାରକୁ ଗଲା ଟିମ୍‌

ଭୁବନେଶ୍ବର : ଇନ୍‌ଫୋସିଟି ଥାନା ଅଧୀନ କଳାରାହାଙ୍ଗ ଦ୍ବାରିକା ବିହାରରେ ଡକାୟତି ଉଦ୍ୟମ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ଲାଗି ରାଜ୍ୟ ବାହାରକୁ ଯାଇଛି ପୁଲିସ ଟିମ୍‌। କମିସନରେଟ୍‌ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ପଶ୍ଚିମବଙ୍ଗର ମେଦିନାପୁର ସମେତ ଅନ୍ୟ କେତେକ ଜାଗାରେ ଚଢ଼ଉ କରିବ ବୋଲି ଜଣାପଡ଼ିଛି। ଗତ ରବିବାର ରାତିରେ ଡକାୟତମାନେ ଘରେ ପଶି ବାପ-ପୁଅଙ୍କୁ ହାଣି ଡକାୟତି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେହି ସମୟରେ ସେଠାରେ ଆକ୍ଟିଭ୍‌ ଥିବା ମୋବାଇଲ ନମ୍ବରକୁ ଆଧାର କରି ପୁଲିସର ଏହି ସ୍ବତନ୍ତ୍ର ଦଳ ରାଜ୍ୟ ବାହାରେ ଅପରାଧୀଙ୍କୁ ଠାବ କରିବା ପାଇଁ ଯାଇଛି। ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଘଟିଥିବା ଦୁଇଟି ବଡ଼ ବଡ଼ ଡକାୟତି ମାମଲାରେ ବାଂଲାଦେଶୀ ସମ୍ପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦିଲ୍ଲୀ ପୁଲିସ ଧରିବାରେ ସଫଳ ହୋଇଥିଲା। ସେମାନେ ଏଠାରେ ରହି ଡକାୟତି କରିଥିବା ସ୍ବୀକାର କରିଥିଲେ। ସେମାନେ ଯେଉଁ ଢଙ୍ଗରେ ଡକାୟତି କରନ୍ତି ସେହି ଢଙ୍ଗରେ ଏହି ଡକାୟତି ହୋଇଛି।

ଅନ୍ୟପଟେ ଡକାୟତଙ୍କ ଆକ୍ରମଣର ଶିକାର ହୋଇଥିବା ଯତିକାନ୍ତ ବେହେରାଙ୍କ ଘରକୁ କିଛି ଦିନ ପୂର୍ବରୁ କିଛି ଅଣଓଡ଼ିଆ ଲୋକ ଭଡ଼ା ଘର ବୁଝିବା ପାଇଁ ଆସିଥିଲେ। ଭଡ଼ା ବାହାନାରେ ସେମାନେ ଅନେକ କଥା ପଚାରି ବୁଝିଥିଲେ। ଡକାୟତି କରିବା ପାଇଁ ଆସିଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେତେକ ସେହିଭଳି ଦିଶୁଥିବା ଯତିକାନ୍ତ କହିଛନ୍ତି। ଏଣୁ କେତେକ ଓଡ଼ିଆଙ୍କ ସହ ମିଶି ବାଂଲାଦେଶୀ ଡକାୟତ ଏଭଳି କରିଥିବା ପୁଲିସ ସନ୍ଦେହ କରୁଛି। ସୂଚନାଯୋଗ୍ୟ, ଗତ ରବିବାର ୮ ଜଣ ସଶସ୍ତ୍ର ଡକାୟତ ଯତିକାନ୍ତଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ସମେତ ପୁଅକୁ ଭୁଜାଲିରେ ହାଣି ପକାଇଥିଲେ। ତଥାପି ତିନିଜଣ ଡକାୟତଙ୍କ ସହ ଲଢ଼େଇ କରିବାରୁ ସେମାନେ ବିଫଳ ହୋଇ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର