ତିନି ରଥରେ ଅଧରପଣା ଲାଗି ଆଜି

ପୁରୀ : ପରମ୍ପରା ଅନୁଯାୟୀ ଆସନ୍ତାକାଲି (ରବିବାର) ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ରାତି ୮ଟା ସୁଦ୍ଧା ତିନି ରଥ ବାଡ଼ରେ ଏହି ନୀତି ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଆସନ୍ତାକାଲି ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ।

ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ନୀତି ନିର୍ଘଣ୍ଟ ମୁତାବକ, ଆସନ୍ତାକାଲି ସକାଳ ୬ରୁ ୬ଟା୩୦ ମଧ୍ୟ‌ରେ ମଙ୍ଗଳଆଳତି, ୭ଟାରେ ମଇଲମ, ୮ଟା‌ରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟା୩୦ ମଧ୍ୟରେ ଗୋପାଳବଲ୍ଲଭ, ୧୧ଟା୩୦ରୁ ୧୨ଟା୩୦ ସକାଳଧୂପ, ମଧ୍ୟାହ୍ନ ଗୋଟାଏ ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ମଧ୍ୟାହ୍ନ ୨ଟା ସୁଦ୍ଧା ବେଶ ଶେଷ ହେବ। ଅପରାହ୍ନ ୩ଟା୩୦ରୁ ୪ଟା୩୦ ମଧ୍ୟାହ୍ନ ଧୂପ ହୋଇ ରାତି ୮ଟା ସୁଦ୍ଧା‌ ତିନି ରଥରେ ଅଧରାପଣ‌ା ନୀତି ଶେଷ ‌ହେବ।

ସମ୍ବନ୍ଧିତ ଖବର