କାଶ୍ମୀର ଆତଙ୍କବାଦୀ ଓ ମାଓବାଦୀମାନେ ଶିଶୁମାନଙ୍କୁ ନିଜ ବାହିନୀରେ ସାମିଲ କରୁଛନ୍ତି : ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ : କାଶ୍ମୀର ଆତଙ୍କବାଦୀ ଓ ଭାରତର ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ମାଓବାଦୀମାନେ ଶିଶୁମାନଙ୍କୁ ନିଜ ବାହିନୀରେ ସାମିଲ କରୁଛନ୍ତି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ।

ଆଜି ଜାତିସଂଘ ପକ୍ଷରୁ ଉନ୍ମୋଚିତ ହୋଇଥିବା ‘ଶିଶୁ ଓ ସଶସ୍ତ୍ର ଲଢେଇ’ ନାମକ ରିପୋର୍ଟରେ କୁହାଯାଇଛି ଯେ ଭାରତର କାଶ୍ମୀର ଓ ମାଓବାଦୀ ଇଲାକାରେ ସୁରକ୍ଷାବଳଙ୍କ ହାତରେ ଅନେକ ଶିଶୁ ନିହତ ହେଉଛନ୍ତି । ସେହିପରି କାଠୁଆ ଘଟଣାକୁ ଉଲ୍ଲେଖ କରି ଏହି ରିପୋର୍ଟରେ କୁହାଯାଇଛି ଯେ କାଶ୍ମୀରରେ ସୁରକ୍ଷାବାହିନୀର ଯବାନ ମାନେ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଛନ୍ତି । ତେବେ ଶିଶୁମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ନେଇଥିବା କେତେକ ପଦକ୍ଷେପକୁ ରିପୋର୍ଟରେ ପ୍ରସଂଶା କରାଯାଇଛି । ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପ୍ରତିଷ୍ଠାକୁ ଏଥିରେ ପ୍ରଶଂସା କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ କାଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଅନ୍ୟ କେତେକ ଆତଙ୍କବାଦୀ ସଂଗଠନ ପକ୍ଷରୁ ପ୍ରାୟ ୫ ଜଣ ଶିଶୁଙ୍କୁ ନିଜ ସଂଗଠନରେ ସାମିଲ କରାଯାଇଥିଲା । ଏମାନଙ୍କ ହାରାହାରି ବୟସ ପ୍ରାୟ ୧୪ ବର୍ଷ ହେବ । ଗତ ବର୍ଷ ଡିସେମ୍ବର ୯ ରେ ଏପରି କେତେକ ଶିଶୁ ସୁରକ୍ଷାବାହିନୀ ହାତରେ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଭାରତର ମାଓ ପ୍ରପୀଡିତ ରାଜ୍ୟଗୁଡ଼ିକରେ ମଧ୍ୟ ଶିଶୁ ମାଓବାଦୀମାନେ ସୁରକ୍ଷାବାହିନୀ ହାତରେ ପ୍ରାଣ ହରାଇଥିବାର ନଜିର ରହିଛି ।

ସମ୍ବନ୍ଧିତ ଖବର