ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ କରିବାକୁ ସୁପାରିସ!
ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକ
ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ରାଜ୍ୟ ମାନବାଧିକାର କମିସନର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକରେ ଜଷ୍ଟିସ ଦାସଙ୍କ ନାମ ସୁପାରିସ କରାଯାଇଥିବା ଜଣାପଡ଼ିଛି। ଏହାସହିତ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କ ନାମକୁ ବି କମିଟି ସୁପାରିସ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ସନ୍ଧ୍ୟାରେ ରାଜ୍ୟ ଅତିଥିଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଧ୍ୟକ୍ଷ ପଦ ପାଇଁ ୩ ଜଣ ଅବସରପ୍ରାପ୍ତ ବିଚାରପତି ଓ ଆଇନଜୀବୀଙ୍କ ଭିତରୁ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ନାମକୁ ଏକ ନମ୍ବର ସ୍ଥାନରେ ରଖାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ସୁପାରିସ କରାଯାଇଛି। ପୁରୀ ଶ୍ରୀମନ୍ଦିର ସଂସ୍କାର କମିସନର ଜଣିକିଆ ଅଧ୍ୟକ୍ଷ ଥିଲେ ଜଷ୍ଟିସ ଦାସ। ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଜଷ୍ଟିସ ଦାସ କରିଥିବା ସୁପାରିସ ଅନୁଯାୟୀ ଏବେ ସରକାର ପୁରୀ ଶ୍ରୀମନ୍ଦିର ଚାରିପଟୁ ନିର୍ମାଣ ଉଚ୍ଛେଦ କରିବା କାମ ଆରମ୍ଭ କରିଛନ୍ତି। ସେହିପରି ଅଧ୍ୟକ୍ଷ ପଦ ପାଇଁ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କ ନାମକୁ ଦ୍ବିତୀୟ ସ୍ଥାନରେ ରଖାଯାଇଛି। କମିଟିର ସୁପାରିସକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଓଏଚଆରସିର ସଦସ୍ୟ ପଦ ପାଇଁ ୩ ଜଣ ଆଇନ ବିଶାରଦଙ୍କ ନାମ ଉପରେ କମିଟି ବିଚାର କରିଥିବା ଜଣାପଡ଼ିଛି। ଚୟନ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଗୃହ ବିଭାଗର ଅଧିକାରୀଙ୍କ ସମେତ ୪ ଜଣ ସଦସ୍ୟ ଉପସ୍ଥିତ ଥିଲେ।