ଏକ ଘଟଣା ଯାହା ଗୋଟିଏ କ୍ଷୁଦ୍ର ଖବର ଭାବେ ଗଲା ଶୁକ୍ରବାର ଦିନ ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା, ତାହା ଅନ୍ୟାନ୍ୟ ଅତିକାୟ ଖବରଗୁଡ଼ିକ ଭିତରେ ପୋତି ହୋଇ ପଡ଼ିବାର ସମସ୍ତ ସମ୍ଭାବନା ସତ୍ତ୍ବେ ତହିଁରେ ଲୁଚି ରହିଥିବା ମର୍ମଦାହର ତାପ ଯେ ପାଠକପାଠିକାମାନଙ୍କୁ ସ୍ପର୍ଶ କରିଥିବ, ସେଥିରେ ସନ୍ଦେହ ନାହିଁ। ପୁଣି କାହାକୁ କାହାକୁ ଏହା ଅନ୍ତରର ନିଭୃତତମ ପ୍ରଦେଶରେ ଛୁଇଁ ଥାଇପାରେ। ଘଟଣାଟି ସଂକ୍ଷେପରେ ଏହିପରି। ଯାଜପୁର ଜିଲ୍ଲା ନିଜାମପୁର ପଞ୍ଚାୟତ ଅନ୍ତର୍ଗତ କୋତପୁର ଗାଁରେ ସତୁରି ବର୍ଷ ବୟସ୍କ ଘନଶ୍ୟାମ ଖଟୁଆ ଏବଂ ତାଙ୍କ ପତ୍ନୀ ପଞ୍ଚଷଠି ବର୍ଷ ବୟସ୍କା ତାରାମଣି ପାରିବାରିକ ଅଶାନ୍ତି ପରେ ଆତ୍ମହତ୍ୟା କରିଛନ୍ତି। ପୁଅ ବୋହୂଙ୍କ ସହିତ ବାପାମା’ଙ୍କ ବଚସାରୁ ଆରମ୍ଭ ହୋଇଥିଲା ଏ ଘଟଣାକ୍ରମ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନାନୁସାେର ସାଇପଡ଼ିଶାଙ୍କ ପ୍ରତିବାଦ ସତ୍ତ୍ବେ ପୁଅବୋହୂଙ୍କ ଗାଳିଗୁଲଜର ଝଡ଼ ବନ୍ଦ ହୋଇ ନ ଥିଲା। କିଛି ସମୟ ପରେ ଘଟଣା ଯଦିଓ ଶାନ୍ତ ପଡ଼ିଥିଲା, ସବୁ କିଛି ଶାନ୍ତ ହୋଇ ଯାଇ ନ ଥିଲା। ପର ଦିନ ଭୋରରେ ତାରାମଣି ପାଖ ବିଲର ଏକ ବରଗଛରେ ରଶି ଲଗାଇ ଏବଂ ଅନତିଦୂରରେ ଘନଶ୍ୟାମ ବିଷ ପିଇ ଆତ୍ମହତ୍ୟା କରିଥିଲେ। ପରିଣତ ବୟସରେ ଦୁର୍ବିଷହ ଜୀବନରୁ ମୁକ୍ତି ପାଇବା ସକାଶେ ଖଟୁଆ ଦଂପତି ସିନା ଚରମ ପଦକ୍ଷେପ ନେଲେ, କିନ୍ତୁ ଅସଂଖ୍ୟ ଘରର ବନ୍ଦ ଦରଜା ପଛରେ ଏକ ଅସହ୍ୟ ଜୀବନକୁ ଅଗଣିତ ବୃଦ୍ଧବୃଦ୍ଧା ବୋହି ଚାଲିଛନ୍ତି। ଏବଂ ବିଡ଼ମ୍ବନାଟି ହେଲା, ସେମାନଙ୍କ ଲାଗି ଏଭଳି ଜୀବନର କାରଣ ହୋଇଛନ୍ତି ସେମାନଙ୍କ ନିଜ ସନ୍ତାନସନ୍ତତି।
Sambad is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ କାମ କରୁଥିବା ପ୍ରସିଦ୍ଧ ସ୍ବେଚ୍ଛାେସବୀ ସଂଗଠନ ‘ହେଲ୍ପ ଏଜ୍ ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଏବେ ୧୦ କୋଟିରୁ ଅଧିକ। ସେମାନଙ୍କ ଭିତରୁ ପ୍ରାୟ ୫୦ ପ୍ରତିଶତ କୌଣସି ନା କୌଣସି ପ୍ରକାରେ ପାରିବାରିକ ହିଂସାର ଶରବ୍ୟ। ଏବଂ ଏ ହିଂସା ଶାରୀରିକ, ବାଚନିକ, ମାନସିକ ଏବଂ ଆବେଗିକ। ସର୍ବେକ୍ଷଣ କହେ ଯେ ଏଥିରେ ପ୍ରମୁଖ ଯାତନାକାରୀ ହେଉଛନ୍ତି ପରିବାରର ବୋହୂ। ତା’ ପରେ ଆସନ୍ତି ପୁଅ ଏବଂ ଝିଅ। ଏଭଳି ଯାତନା ପଛରେ ଥିବା ମୁଖ୍ୟ କାରଣ ହେଉଛି ପରିଣତ ବୟସରେ ବାପା-ମା’ମାନେ ସେମାନଙ୍କ ସନ୍ତାନମାନଙ୍କ ଉପରେ ଆର୍ଥିକ ଭାବେ ନିର୍ଭରଶୀଳ ହୋଇପଡ଼ିବା। ଯଦିଓ ଏଭଳି ସ୍ଥିତିରେ ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନ (ପିତାମାତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭) ଓ ଅନ୍ୟାନ୍ୟ ପ୍ରାବଧାନ ଅଛି, ବରିଷ୍ଠ ନାଗରିକମାନେ ଆଇନଗତ ସହାୟତା ନେବା ବିଶେଷ ପରିଦୃଷ୍ଟ ହୁଏନାହିଁ। ଏହା ପଛରେ ରହିଛି ତିନିଟି କାରଣ। ପ୍ରଥମଟି ହେଲା ଅଭିଯୋଗ କଲେ ପ୍ରତିଶୋଧମୂଳକ ନିର୍ଯାତନାର ଭୟ, ଦ୍ବିତୀୟଟି ହେଲା ଏହା ଦ୍ବାରା ପରିବାରର ସମ୍ମାନ କ୍ଷୁଣ୍ଣ ହେବା ଜନିତ କୁଣ୍ଠା ଏବଂ ତୃତୀୟଟି ହେଲା ଏଭଳି ଆଇନଗତ ପ୍ରାବଧାନ ବାବଦରେ ଅନେକଙ୍କ ଠାରେ ସଚେତନତାର ଅଭାବ। କିନ୍ତୁ ଏ ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନଟି ହେଲା ଯେଉଁ ସଂପର୍କର ମଞ୍ଜ ସ୍ନେହ ଓ ଶ୍ରଦ୍ଧାରେ ପରିପୁଷ୍ଟ ହେବା କଥା, ତାକୁ ରସହୀନ ଆଇନ ବଳରେ ବଞ୍ଚାଇ ରଖି ହେବ କି?
ଆଜିକୁ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଦଳେ କଳହରତ ବ୍ୟକ୍ତିଙ୍କୁ ଦେଖି ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ କହିଥିଲେ, ‘ଦେଖ, ଏମାନେ ପରସ୍ପରର ଏତେ ନିକଟରେ ଯେ ଅତି ଅନୁଚ୍ଚ ସ୍ବରରେ କଥା ହେଲେ ବି ଶୁଣିପାରିବେ। କିନ୍ତୁ ସେମାନେ ଏଭଳି ଚିତ୍କାର କରୁଛନ୍ତିି କାହିଁକି? କାରଣ ସେମାନଙ୍କ ହୃଦୟ ପରସ୍ପର ପ୍ରତି ନିବୁଜ ହୋଇଯାଇଛି। ଉଚ୍ଚ ସ୍ବରରେ କହିବା ସତ୍ତ୍ବେ ବି କେହି କାହା କଥା ଶୁଣି ବା ବୁଝି ପାରୁ ନାହାନ୍ତି।’ ସତ କହିଲେ, ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଅଧିକାଂଶ ଭାରତୀୟ ପରିବାରରେ। ପରିବାରର ବୟସ୍କ ଏବଂ ଯୁବା; କେହି କାହା କଥା ବୁଝି ପାରୁ ନାହାନ୍ତି। ଯଦି ବି କେହି ଶୁଣୁଛି, ତାହା ସେ କରୁଛି କହୁଥିବା ଲୋକଟିକୁ ବୁଝିବା ଲାଗି ନୁହେଁ, ବରଂ ତାକୁ ଗୋଟିଏ ଶକ୍ତ ପାଲଟା ଜବାବ ଦେବା ଲାଗି!
ପରିବାରରେ ପରିଣତ ବୟସର ବ୍ୟକ୍ତିବିଶେଷଙ୍କ ସହିତ କିଭଳି ଆଚରଣ କରାଯିବା ଉଚିତ, ସେ ନେଇ ଇଂରେଜୀ ଅକ୍ଷରର ଚାରିଟି ‘ଟି’ର ଅବତାରଣା କରାଯାଏ। ସେହି ଚାରିଟି ‘ଟି’ ହେଲେ- ‘ଟକ୍, ଟାଇମ୍, ଟଚ୍ ଏବଂ ଟ୍ରଷ୍ଟ୍’। ଏହାର ଅର୍ଥ ପରିବାରର ବୟସ୍କମାନଙ୍କ ଲାଗି କନିଷ୍ଠମାନେ ଯାହା ବିନିଯୋଗ କରିବା ଉଚିତ ତାହା ହେଲା -କଥାବାର୍ତ୍ତା, ସମୟ, ସ୍ପର୍ଶ ଏବଂ ବିଶ୍ବାସ। ତେବେ, ଏଥି ଲାଗି ଲୋଡ଼ା କିଞ୍ଚିତ ଧୈର୍ଯ୍ୟ। କିନ୍ତୁ ଏବର ଦ୍ରୁତଗାମୀ ଜୀବନରେ ତାହା ହିଁ ଅନୁପସ୍ଥିତ।
ବରିଷ୍ଠ ନାଗରିକମାନେ କିଭଳି ସନ୍ତାନମାନଙ୍କ ଉପରେ ଆର୍ଥିକ ଭାବେ ନିର୍ଭରଶୀଳ ନ ହେବେ, ସେଥିଲାଗି ପୂର୍ବରୁ ପ୍ରସ୍ତୁତ ହେବା ଲାଗି ଏବେ ପରାମର୍ଶ ଦିଆଯାଉଛି। କିନ୍ତୁ କେବଳ ଆର୍ଥିକ ସ୍ଥିତି ନୁହେଁ, ଶାରୀରିକ ଓ ମାନସିକ ଅକ୍ଷମତା, ରୋଗ, ଏକୁଟିଆ ପଣ ଭଳି ଅନେକ କାରଣ ରହିଛି ଯାହା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ସନ୍ତାନସନ୍ତତିଙ୍କ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ କରୁଛି। ଏଭଳି ପରିସ୍ଥିତିରେ ନା ଆଇନଗତ ସୁରକ୍ଷା ନା ଆର୍ଥିକ ସାମର୍ଥ୍ୟ ବରିଷ୍ଠ ନାଗରିକଙ୍କୁ ନିର୍ଯାତନାରୁ ମୁକ୍ତିି ଦେଇପାରିବ। ଯାହା ଏଥିରୁ ସେମାନଙ୍କୁ ରକ୍ଷା କରିପାରିବ ତାହା ହେଲା ପରିବାର ସଦସ୍ୟମାନଙ୍କ ବିବେକବୋଧ। ଆମ ଦେଶରେ ଯେ କେବଳ ନିମ୍ନ-ବିତ୍ତ ବା ମଧ୍ୟ-ବିତ୍ତ ପରିବାରରେ ବରିଷ୍ଠମାନଙ୍କ ପ୍ରତି ନିର୍ଯାତନାର ଦୃଶ୍ୟ ଦେଖିବାକୁ ମିଳିଥାଏ, ତାହା ନୁହେଁ। ଅମିତ ବିତ୍ତଶାଳୀ ପରିବାରରେ ମଧ୍ୟ ଏହା ଦୃଶ୍ୟମାନ। ତାହା ହୋଇ ନ ଥିଲେ ପ୍ରସିଦ୍ଧ ‘ରେମଣ୍ଡ୍ସ’ କଂପାନିର ପୂର୍ବତନ ମାଲିକ କିଂବଦନ୍ତୀୟ ବିଜୟପତ ସିଂଘାଣିଆ ତାଙ୍କ ପୁତ୍ର ସିଦ୍ଧାର୍ଥ ସିଂଘାଣିଆଙ୍କ ଦ୍ବାରା ନିଜ ଔଦ୍ୟୋଗିକ ସାମ୍ରାଜ୍ୟ ଓ ପ୍ରାସାଦୋନୁପମ ଗୃହରୁ ବିତାଡ଼ିତ ହୋଇ ଅତି ଦୟନୀୟ ଭାବେ ମୁମ୍ବାଇର ଏକ ଭଡ଼ା ଘରେ ରହୁ ନ ଥାଆନ୍ତେ।
ହତଭାଗ୍ୟ ଖଟୁଆ ଦଂପତିଙ୍କ କଥା ଆଲୋଚନା କଲା ବେଳେ, ହୁଏତ ଅନେକ ପଚାରି ପାରନ୍ତି ସେ ସାମାନ୍ୟ ବଚସା ପରେ ଏଭଳି ଚରମ ପଦକ୍ଷେପ ନେବା କ’ଣ ଉଚିତ? କିନ୍ତୁ ଆତ୍ମହତ୍ୟାର ପରିସଂଖ୍ୟାନ କହେ ଯେ ପୃଥିବୀରେ ଯେତିକି ଲୋକ ଆତ୍ମହତ୍ୟା କରନ୍ତି ତାର ୬୪ ପ୍ରତିଶତ ‘କଥା’ ସହି ନ ପାରି ଜୀବନ ହାରନ୍ତି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପରେ ଥିବା ଭଳି ଡାକମୁନ୍ସୀ ବାବୁମାନଙ୍କ ଇଂରେଜୀ ଘୁଷିରେ ବାପାମାନଙ୍କ ଶରୀରରେ ଲାଗୁଥିବା ଆଘାତ ଭଲ ହୋଇଯାଇପାରେ, କିନ୍ତୁ କଥାର ଚୋଟରେ ଯଦି ଆତ୍ମା କ୍ଷତାକ୍ତ ହୁଏ ତାହା ଭଲ ହୋଇ ନ ପାରେ। ଏ ବାବଦରେ ‘ହେଲ୍ପ ଏଜ୍ ଇଣ୍ଡିଆ’ର ଏକ ରିପୋର୍ଟ ପ୍ରଣିଧାନଯୋଗ୍ୟ। ଏହା ସୂଚନା ଦିଏ ଯେ ଆମ ପରିବାରରେ ବୟସ୍କମାନଙ୍କ ଉପରେ ଶାରୀରିକ ଆକ୍ରମଣ ହୁଏତ କେବେ କେମିତି ହୋଇଥାଏ, କିନ୍ତୁ ବାଚନିକ ଆକ୍ରମଣ ୨୪ X ୭ ଚାଲିଥାଏ। ତେଣୁ ଏ କ୍ଷେତ୍ରରେ ଏକ ମହତ୍ତ୍ବପୂର୍ଣ୍ଣ ମହୌଷଧି ହେଉଛି ବାକ୍ ସଂଯମ। କୁହାଯାଇଥାଏ ଯେ ତୁମେ ଯେଉଁ ଶବ୍ଦଗୁଡ଼ିକୁ ପାଟିରୁ ଥୁକି ପକାଉଛ, ପ୍ରଥମେ ସେ ଶବ୍ଦଗୁଡ଼ିକୁ ନିଜେ ଟିକିଏ ଚାଖ! କିନ୍ତୁ ସେତକ କରିବା ଲାଗି ଯେଉଁ ଧୈର୍ଯ୍ୟ ଓ ବିବେଚନାବୋଧ ଦରକାର, ତାହା ଆମ ନିକଟରେ ଅଛି ତ? ନିର୍ଯାତିତ ପରିଣତ ବୟସ୍କଙ୍କ ନିରବ ଆର୍ତ୍ତନାଦ ଶୁଣିବା ଲାଗି ଆମର କାନ ଅଛି ତ?