କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନିତ ସରନ୍, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୧୫୪ଟି ମାମଲାର ଫୈସଲା କରାଯାଇଛି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଡକ୍ଟର ଜଷ୍ଟିସ ଏ.କେ.ରଥ, ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏସ୍.ଏନ୍.ପ୍ରସାଦ, ଜଷ୍ଟିସ୍ କେ.ଆର୍.ମହାପାତ୍ର ଓ ଡକ୍ଟର ଜଷ୍ଟିସ୍ ଡି.ପି.ଚୌଧୁରୀ ଜାତୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ। ଏଥି ମଧ୍ୟରେ ବ୍ୟାଙ୍କ ମାମଲା, ବିଦ୍ୟୁତ ସଂପର୍କିତ ମାମଲା, କ୍ରମିନାଲ କମ୍ପାଉଣ୍ଡେବଲ ମାମଲା, ଚାକିରୀ ସମ୍ବନ୍ଧୀୟ ମାମଲା, ଭୂମି ଅଧିଗ୍ରହଣ ମାମଲା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଂପର୍କିତ ମାମଲା, ଏନ୍.ଆଇ.ଆକ୍ଟର ଧାରା ୧୩୮ ମାମଲା, ମୋଟର ଯାନ ଦୁର୍ଘଟଣା ଜନିତ ବୀମା କ୍ଷତିପୂରଣ ମାମଲା ରହିଛି। କ୍ଷତିପୂରଣ ବାବଦରେ ୩ କୋଟି ୮୦ ଲକ୍ଷ ୮୩ ହଜାର ୫୦୮ ଟଙ୍କା ପ୍ରଦାନ ପାଇଁ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।