ପୁରୀ : ଶ୍ରୀମନ୍ଦିରରେ ସେବାୟତଙ୍କ ମାନମାନିର ଏକ ନଗ୍ନ ଚିତ୍ର ପୁଣିଥରେ ଦେଖିବାକୁ ମିଳିଛି। ଯେଉଁଥିପାଇଁ ମହାପ୍ରସାଦ ବାହାରିବାରେ ଆଜି ଅହେତୁକ ବିଳମ୍ବ ହୋଇଛି। ଏହାର ସିଧାସଳଖ ପ୍ରଭାବ ହବିଷ୍ୟାଳୀଙ୍କ ଉପରେ ପଡ଼ିଛି। ମହାପ୍ରସାଦ ବିଳମ୍ବ ଯୋଗୁଁ ବେଳିକିଆ ପାଳୁଥିବା ହବିଷ୍ୟାଳୀମାନେ ଆଜି ଭୋକରେ ଆଉଟୁପାଉଟୁ ହୋଇଛନ୍ତି। ଯେଉଁଠି ହବିଷ୍ୟାଳୀ ଶିବିରରେ ପ୍ରତିଦିନ ୫ଟାରେ ମହାପ୍ରସାଦ ଦିଆଯାଉଥିଲା, ଆଜି ସେଠାରେ ରାତି ୭ଟାରେ ମହାପ୍ରସାଦ ପହଞ୍ଚିଛି। ଏହାକୁ କେନ୍ଦ୍ର କରି ହବିଷ୍ୟାଳୀଙ୍କ ମହଲରେ ବି ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ନୀତି ବିଳମ୍ବ ପାଇଁ ପାଳିଆ ପୁରସ୍କାର କାଟିବା ନେଇ ପୂର୍ବରୁ ଘୋଷଣା କରିଥିଲା। ଅଧଘଣ୍ଟା ବିଳମ୍ବ ହେଲେ ଅଧା ଓ ଘଣ୍ଟାଏ ବିଳମ୍ବ ହେଲେ ପୂରା ପାଳିଆ ପୁରସ୍କାର କାଟି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି କୁଆଡ଼େ ଗଲା ବୋଲି ଭକ୍ତ, ସେବାୟତ ମହଲ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭୋଗମଣ୍ଡପ ବେଳେ ସୁଆରବଡ଼ୁ ସେବକମାନଙ୍କ ସେବା ରହିଛି। ଆଜି ଦ୍ବିତୀୟ ଭୋଗମଣ୍ଡପବେଳେ ଜନୈକ ସୁଆର ବଡ଼ୁ ସେବକ ଆସିବାରେ ବିଳମ୍ବ କରିଥିଲେ। ଯେଉଁଥିପାଇଁ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ ହୋଇଥିଲା ଓ ମହାପ୍ରସାଦ ବି ବାହାରିବାରେ ବିଳମ୍ବ ହୋଇଥିଲା। ମହାପ୍ରସାଦ ବାହାରିଲା ବେଳକୁ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ହୋଇଯାଇଥିଲା। ପ୍ରତିଦିନ ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ମହାପ୍ରସାଦ ବାହାରି ୫ଟାରୁ ସାଢ଼େ ୫ଟା ଭିତରେ ହବିଷ୍ୟାଳୀମାନେ ମହାପ୍ରସାଦ ସେବନ କରନ୍ତି। ଏହାପରେ ଭଜନ କୀର୍ତ୍ତନ, ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶେଷ ପରେ ହବିଷ୍ୟାଳୀମାନେ ଶୟନ ପାଇଁ ଯାଇଥାନ୍ତି। କିନ୍ତୁ ଆଜି ରାତି ପ୍ରାୟ ୭ଟାରେ ମହାପ୍ରସାଦ ପହଞ୍ଚିବା ଆଗରୁ ହବିଷ୍ୟାଳୀଙ୍କୁ ଭଜନ,କୀର୍ତ୍ତନ, ପ୍ରବଚନ ଆଦି କାର୍ଯ୍ୟକ୍ରମ ସାରିଥିଲେ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶେଷ ପରେ ବେଳିକିଆ ଖାଇଛନ୍ତି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଆଜି ଦ୍ବିତୀୟ ଭୋଗମଣ୍ଡପରେ ଅଧିକ ମହାପ୍ରସାଦ ଥିବାରୁ ବାହାରିବାରେ କିଛିଟା ବିଳମ୍ବ ହୋଇଥିଲା। କିନ୍ତୁ ହବିଷ୍ୟାଳୀ ଶିବିରରେ ବିଳମ୍ବରେ ମହାପ୍ରସାଦ ପହଞ୍ଚିବାର ସଂପର୍କରେ କିଛି ସୂଚନା ନଥିବା ସେ କହିଛନ୍ତି।