ପୁନରୁଦ୍ଧାର ହେବ ବିଧାନସଭାର ପୁରୀ ଅତିଥି ଭବନ, ପୂର୍ତ୍ତ ବିଭାଗ କରିବ ପରିଚାଳନା, ରକ୍ଷଣାବେକ୍ଷଣ

ଭୁବନେଶ୍ବର : ପୁରୀରେ ଥିବା ଓଡ଼ିଶା ବିଧାନସଭାର ଅତିଥି ଭବନର ପୁନରୁଦ୍ଧାର କରାଯିବ। ତାହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ବୈଠକ ଡାକି ଅତିଥି ଭବନର ରକ୍ଷଣାବେକ୍ଷଣ ଓ ପରିଚାଳନା ନେଇ ସମୀକ୍ଷା କରିଥିଲେ।

୨୦୧୦ ମସିହାରୁ ପୁରୀରେ ଅତିଥି ଭବନ ନିର୍ମାଣ ହୋଇଥିଲେ ବି ତାହାକୁ ବ୍ୟବହାର କରାଯାଉ ନ ଥିଲା। ନିର୍ମାଣ ହେଲା ପରେ ତାଲା ପଡ଼ି ରହିଥିଲା। ବ୍ୟବହାର ନ ହେବାରୁ ସେଠାରୁ ବହୁ ସାମଗ୍ରୀ ଚୋରି ହେଲା। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗତ ବିଧାନସଭା ସମୟରେ ଗୃହରେ ଏହି ପ୍ରସଙ୍ଗ ଉଠିଥିଲା। ଏହା ପରେ ବିଧାନସଭା ପକ୍ଷରୁ ତାହାର ନବୀକରଣ କାର୍ଯ୍ୟ କରାଯାଇଥିଲା। ଯେତିକି କାମ ହୋଇଥିଲା, ଫନି ସମୟରେ ତାହା ଉଜୁଡ଼ିଗଲା।

ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ପୂର୍ତ୍ତ ବିଭାଗ ମରାମତି କାର୍ଯ୍ୟ ଜାରି ରହିଛି। ବିଜୁଳି, ରଙ୍ଗ ଓ ପିଏଚ୍‌ ଫିଟିଙ୍ଗ୍ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଏହି ଅତିଥି ଭବନର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାର ପରିଚାଳନା ନିମନ୍ତେ ଏକ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି)ଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଖର୍ଚ୍ଚ ଅଟକଳ ମିଳିବା ପରେ ଏଥି ନିମନ୍ତେ ବିଧାନସଭା ପକ୍ଷରୁ ଅର୍ଥ ବ୍ୟବସ୍ଥା କରାଯିବ। ବିଧାନସଭା ସଚିବଙ୍କ ନେତୃତ୍ବରେ ଅଧିକାରୀମାନଙ୍କ ଏକ ଦଳ ଯଥାଶୀଘ୍ର ପୁରୀ ଗସ୍ତ କରି ପୁନଃନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବେ।

ବୈଠକରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି) ଏସ୍‌ ଆର୍‌ ସେଠୀ, ବିଧାନସଭାର ଉପସଚିବ ଶିଶିରକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର