ପ୍ରକୃତ ପରିସ୍ଥିତି ଅନୁଧ୍ୟାନ ଲାଗି ଆଜି କଶ୍ମୀର ପରିଦର୍ଶନରେ ଆସୁଛନ୍ତି ୧୫ଟି ଦେଶର କୂଟନୀତିଜ୍ଞ
ଶ୍ରୀନଗର: ପରିସ୍ଥିତି ସ୍ୱାଭାବିକ କରିବାକୁ ସରକାର କି ଭଳି ଉଦ୍ୟମ କରୁଛନ୍ତି ତାହା ଅନୁଧ୍ୟାନ କରିବାକୁ ଆଜି ୧୫ ଜଣ ବିଦେଶୀ କୂଟନୀତିଜ୍ଞ ଜମ୍ମୁ ଓ କଶ୍ମୀର ଗସ୍ତରେ ଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଅବସ୍ଥାନ କରୁଥିବା ପ୍ରାୟ ୧୫ ଜଣ କୂଟନୀତିଜ୍ଞଙ୍କର ଏକ ଦଳକୁ ଜାନୁଆରି ୯ ଓ ୧୦ ତାରିଖ ଦିନ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରକୁ ନିଆଯାଉଛି। ସେଠାରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ସରକାର କିଭଳି ଉଦ୍ୟମ କରୁଛନ୍ତି, ତାହା ସେମାନେ ଅନୁଧ୍ୟାନ କରିବେ।
ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ପରେ ସରକାର ସେଠାରେ କଠୋର କଟଣା ଲାଗୁ କରିଥିବା କଥା ଦେଶବିଦେଶରେ ପ୍ରସାର ହୋଇଥିଲା। ବିଶେଷ କରି ପାକିସ୍ତାନ ଏ ପ୍ରସଙ୍ଗରେ ଜାତିସଂଘ ଓ ବିଶ୍ୱର ଅନ୍ୟାନ୍ୟ ପ୍ରଭାବଶାଳୀ ଦେଶଗୁଡ଼ିକ ଆଗରେ ଫେରାଦ ହୋଇଥିଲା।
କଶ୍ମୀର ଗସ୍ତରେ ଯିବା ଲାଗି କୂଟନୀତିଜ୍ଞମାନେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରୁଥିଲେ। ଜମ୍ମୁ ଓ କଶ୍ମୀର ପ୍ରଶାସନ ସହ ସେଠାକାର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ପରେ ସେମାନଙ୍କ ଅନୁରୋଧ ରକ୍ଷା କରାଯିବ ବୋଲି ଆମେ କହିଥିଲୁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଗୁରୁବାର ଦିନ ଲାଟିନ୍ ଆମେରିକା ଓ ‘ଆସିଆନ୍’ ଏବଂ ଆଫ୍ରିକା ଦେଶର ରାଷ୍ଟ୍ରଦୂତମାନେ କଶ୍ମୀର ଗସ୍ତରେ ଯିବା ବେଳେ ‘ଇଉରୋପିଆନ୍ ୟୁନିୟନ୍’ର ଦୂତମାନେ ଅନ୍ୟ କୌଣସି ଦିନ ଯିବେ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ‘ଇଉରୋପିଆନ୍ ୟୁନିୟନ୍’ର ଜଣେ ରାଷ୍ଟ୍ରଦୂତ କହିଛନ୍ତି: ସ୍ୱଳ୍ପ ସମୟ ଅବଧିରେ ଗସ୍ତ ସଂକ୍ରାନ୍ତରେ ଆମକୁ ସୂଚନା ଦିଆଗଲା। ଗସ୍ତ ଲାଗି ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଆମ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଆମେ ଏବେ ମଧ୍ୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ କଥାବାର୍ତ୍ତା କରୁଛୁ।