ବଲାଙ୍ଗୀରରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣା : ୧୨ କିଲୋ ବଜ୍ରକାପ୍ତାକୁ ୧୯ ଲକ୍ଷରେ ବିକ୍ରି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିକେରପାଟ ଜଙ୍ଗଲ ସହ ଲାଗି ରହିଛି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲ। ଏହି ଜଙ୍ଗଲରେ ସକ୍ରିୟ ଅଛନ୍ତି ବଜ୍ରକାପ୍ତା ଚୋରାଚାଲାଣକାରୀ। ଗୁଡ଼ଭେଲା ସାଜିଛି କାରବାରର ଯୋଗାଯୋଗ କେନ୍ଦ୍ର । ଡଭେଲାଠାରୁ ରାଜ୍ୟ ବାହାରର ମାଫିଆଙ୍କ ସଂଯୋଗ ରହିଛି । କିଛି ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳରୁ ଏକ ଦଶ କିଲୋ ଓଜନର ବଜ୍ରକାପ୍ତା ଚୋରାଚାଲାଣ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବିବାର ରାତିରେ ମଧ୍ୟ ଗୋଟିଏ ବଜ୍ରକାପ୍ତା ଚୋରାଚାଲାଣ ହୋଇଛି । ୧୨ କିଲୋଗ୍ରାମ ଓଜନ ଥିବା ବଜ୍ରକାପ୍ତାକୁ ୧୯ ଲକ୍ଷ ଟଙ୍କା ଦେଇ ଚୋରାଚାଲାଣକାରୀମାନେ କିଣି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି କାରବାରରେ ସ୍ଥାନୀୟ ଯୁବକଙ୍କ ମୁଖ୍ୟ ଭୂମିକା ରହିଛି । ତିନି ଜିଲ୍ଲାର ସୀମାନ୍ତକୁ ଲାଗି ରହିଥିବା  ଗଭୀର ଜଙ୍ଗଲରେ ଏମାନଙ୍କ ନେଟ୍‌ୱାର୍କ ରହିଛି । ଜଙ୍ଗଲ ପରିବେଷ୍ଟିତ ଗାଁରୁ ବଜ୍ରକାପ୍ତା ଧରିବା ଖବର ଏମାନଙ୍କ ପାଖକୁ ଆସୁଛି । ସେଠାକୁ ଯାଇ ଓଜନ କରିବା ଓ ଜନ୍ତୁ ଜୀବିତ ଥିବା ଭିଡିଓ ଉତ୍ତୋଳନ କରି ରାଜ୍ୟ ବାହାର ତସ୍କରଙ୍କୁ ପଠାଉଛନ୍ତି । ଦରଦାମ ଛିଣ୍ଡିଲା ପରେ ବଜ୍ରକାପ୍ତା ରଖିଥିବା ଯୁବକ ଗୁଡ଼ଭେଲା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପହଞ୍ଚାଉଛନ୍ତି । ରାଜ୍ୟ ବାହାର ଲୋକ ଆସି ଟଙ୍କା ଦେଇ ସଙ୍ଗେ ସଙ୍ଗେ ନେଇ ଯାଉଛନ୍ତି । ଅତି ସନ୍ତର୍ପଣରେ ଦୁଇ ଦିନ ମଧ୍ୟରେ ସମସ୍ତ କାରବାର ହେଉଥିବାରୁ ବନ ବିଭାଗ କିଛି ବି ଟେର୍‌ ପାଉନଥିବ‌ା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର