୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଗଲେ ଦୁଇ ବାଇକ୍ ଆରୋହୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରାପ୍ତ ସୂଚନା ଅନୁଯାୟୀ, ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କୋଇଥକୋଲା ବଜାର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହିରୋ ସ୍ପେଲଣ୍ଡର ପ୍ଲସ୍ ବାଇକ୍ ଜଳିଯାଇଥିବା ବେଳେ ଗୁଆଳ ଗାଁର ଦୁର୍ଯ୍ୟୋଧନ ରାଉଳ (୬୫) ଓ ସୁଦର୍ଶନ ଜେନା (୩୨) ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଂଶଡା ଥାନାର ଗୁଆଳ ଗାଁର ଦୁର୍ଯ୍ୟୋଧନ ରାଉଳ ସେହି ଗାଁର ସୁଦର୍ଶନ ଜେନାଙ୍କ ବାଇକରେ ବସି ଭୋର୍ ୪ଟା ସମୟରେ କୋଇଥକୋଲା ଆସୁଥିଲେ। ସେ ଏକ ଘରୋଇ ବସରେ କଟକ ଆସିବା ଲାଗି କୋଇଥକୋଲା ବଜାରକୁ ଯାଉଥିଲେ। ହେଲେ ସେଦୁହେଁ ବଜାର ପୂର୍ବରୁ ଥିବା ହନୁମାନ ମନ୍ଦିର ନିକଟରେ ପୂର୍ବରୁ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ୍ ତାର ଝଟକାରେ ଦୁର୍ଯ୍ୟୋଧନ ରାଉଳ ଏବଂ ସୁଦର୍ଶନ ଜେନା ତଳେ ପଡ଼ିଯାଇଥିବା ବେଳେ ବାଇକ୍ ବିଦ୍ୟୁତ ତାରରେ ଲାଗି ରହିଥିଲା ଏବଂ ତାହା ଜଳି ଯାଇଥିଲା। ଏହାଫଳରେ ସେଦୁହେଁ ଅବଶ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣା ଘଟିବା ପରେ ସେହି ରାସ୍ତାରେ କିଛି ସମୟ ଲାଗି ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ଏନେଇ ସୁଦର୍ଶନ ଜେନା ଧାମରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୁଲିସ ହସ୍ତକ୍ଷେପ ପରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟିଥିଲେ। ଏହାପରେ ସେହି ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା । ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର