ଦଶାଶ୍ୱମେଧ ଘାଟ : ବାରାଣସୀର ଗଙ୍ଗା କୂଳରେ ଥିବା ଏହି ଘାଟରେ ବ୍ରହ୍ମା ଦଶଟି ଅଶ୍ୱମେଧ ଯଜ୍ଞ କରିଥିବାରୁ ଏହାର ନାମ ‘ଦଶାଶ୍ୱମେଧ’

ବାରାଣସୀରେ ଗଙ୍ଗା କୂଳେ କୂଳେ ରହିଛି ମୋଟ ଚଉଷଠିଟି ଘାଟ। ତନ୍ମଧୢରେ ଦଶାଶ୍ବମେଧ ଘାଟ ସର୍ବ-ପୁରାତନ ବୋଲି ବିଶ୍ବାସ କରାଯାଏ। କିଂବଦନ୍ତି ଅନୁଯାୟୀ ସ୍ବୟଂ ବ୍ରହ୍ମା ହେଉଛନ୍ତି ଏହାର ପ୍ରତିଷ୍ଠାତା। ବ୍ରହ୍ମା ଏଠାରେ ଦଶଟି ଅଶ୍ବମେଧ ଯଜ୍ଞ କରିଥିବାରୁ ଘାଟର ନାମ ‘ଦଶାଶ୍ବମେଧ’। ଏକଦା କାଶୀରେ ରାଜୁତି କରୁଥିଲେ ରାଜା ଦିବୋଦାସ। ସେ ଥିଲେ ପ୍ରଜାବତ୍ସଳ ସୁଶାସକ। ତେବେ ଦେବ-ପୂଜନରେ ତାଙ୍କର ବିଶ୍ବାସ ନ ଥିଲା। କାଶୀର ଅଧିଷ୍ଠାତା ମହାଦେବଙ୍କୁ ମଧୢ ସେ ପୂଜା କରୁ ନ ଥିଲେ। ପରିଣାମସ୍ବରୂପ ମହାଦେବ ଦିନେ କାଶୀ ପରିତ୍ୟାଗ କରି କୈଳାସ ଚାଲିଗଲେ। ମହାଦେବଙ୍କ ପଥ ଅନୁସରଣ କଲେ ଅନ୍ୟ ଦେବଦେବୀଗଣ। କାଶୀ ହୋଇଗଲା ଦେବଶୂନ୍ୟ। ତଥାପି ତିଷ୍ଠିରହିଲେ ଦିବୋଦାସ। ତାହା କିପରି ସ˚ଭବ ହେଲା ଜାଣିବା ପାଇଁ ଇଚ୍ଛା କଲେ ବ୍ରହ୍ମା। ସେ ବ୍ରାହ୍ମଣର ଛଦ୍ମବେଶ ଧାରଣ କରି ଦିବୋଦାସଙ୍କ ପାଖରେ ପହଞ୍ଚି ଅଶ୍ବମେଧ ଯଜ୍ଞ କରିବା ନିମନ୍ତେ ସାହାଯ୍ୟ ମାଗିଲେ। ରାଜା ଅକୁଣ୍ଠ ଚିତ୍ତରେ ସହଯୋଗ କଲେ। ଯଜ୍ଞ ନିମନ୍ତେ ଆବଶ୍ୟକ ସମସ୍ତ ଦୁଷ୍ପ୍ରାପ୍ୟ ପଦାର୍ଥ ଯୋଗାଇବାରେ ସାମାନ୍ୟ ଅବହେଳା କଲେନାହିଁ। ରାଜାଙ୍କୁ ପରୀକ୍ଷା କରିବା ପାଇଁ ବ୍ରହ୍ମା ସେଠାରେ ଦଶ ଦଶ ଥର ଯଜ୍ଞ ଆୟୋଜନ କଲେ। ସେ ନିଜେ କ୍ଳାନ୍ତ ହୋଇଗଲେ ସିନା ଦିବୋଦାସ କିନ୍ତୁ ଥକିଲେନାହିଁ। ପୂର୍ବ ପରି ସହଯୋଗ କରିଚାଲିଲେ। ବ୍ରହ୍ମା ପ୍ରୀତ ହେଲେ ଏବ˚ ବୁଝିଲେ ରାଜା ଧୈର୍ଯ୍ୟବାନ୍‌, ଆତ୍ମବିଶ୍ବାସୀ ଏବ˚ ନୀତିପରାୟଣ। ତେଣୁ ସ୍ଥୂଳ ଭାବେ ଦେଖିଲେ ତାଙ୍କ ପାଇଁ ଦେବ-ପୂଜନ ଅନାବଶ୍ୟକ। ତେବେ, ବ୍ରହ୍ମା ଦେବ-ପୂଜନର ମର୍ମ ତାଙ୍କୁ ବୁଝାଇଲେ। ‘ପୂଜା’ର ସୂକ୍ଷ୍ମ ଅର୍ଥ ହେଉଛି, ଉଚ୍ଚତର ଶକ୍ତି ପ୍ରତି ଆକର୍ଷିତ ହେବା। ରାଜା ସେହି ସତ୍ୟ ହୃଦୟଙ୍ଗମ କଲେଏବ˚ ପୂଜା ବିନା ସୂକ୍ଷ୍ମ ସତ୍ତାର ଉତ୍ତରୋତ୍ତର ବିକାଶ ଅସମ୍ଭବ ବୋଲି ଜାଣି ଶିବପୂଜା ଆରମ୍ଭ କଲେ।

ସମ୍ବନ୍ଧିତ ଖବର