କମେଣ୍ଟ ମରାରୁ ତୁମୁଳକାଣ୍ଡ, ପେଟ୍ରୋଲ ଟାଙ୍କି ସେଲ୍ସମ୍ୟାନ୍ ଗିରଫ
ଭୁବନେଶ୍ବର: ମଂଗଳବାର ବିଳମ୍ବିତ ରାତିରେ କେତେକ ଯୁବତୀଙ୍କୁ ‘କରୋନା’ କହି କମେଣ୍ଟ ମାରିବାକୁ କେନ୍ଦ୍ର କରି କଳ୍ପନା ଛକ ପେଟ୍ରୋଲ ଟାଙ୍କିରେ ତୁମୁଳକାଣ୍ଡ ହୋଇଛି। ଝିଅମାନେ ଏହି କମେଣ୍ଟକୁ ବିରୋଧ କରି ସମ୍ପୃକ୍ତ ଯୁବକମାନଙ୍କୁ ଗାଳି କରୁଥିବା ବେଳେ ପେଟ୍ରୋଲ ଟାଙ୍କିର ଜଣେ ଯୁବକ କମେଣ୍ଟ ମାରିଥିବା ଯୁବକମାନଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଉଭୟଙ୍କ ମଧ୍ୟରେ ପ୍ରବଳ ମାଡ଼୍ପିଟ୍ ହୋଇଛି। ଏହି ମାଡ଼୍ପିଟ୍ ଭିତରେ ଝିଅମାନେ ଘଟଣାସ୍ଥଳରୁ ଚାଲିଯାଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ବି ଉଭୟ ପକ୍ଷ ପାଲଟା ଅଭିଯୋଗ କରିଛନ୍ତି। ଏଭଳି ତିନିହେଁଙ୍କ ପକ୍ଷରୁ ତିନିଟି ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ପେଟ୍ରୋଲ ଟାଙ୍କି କର୍ମଚାରୀ ବଡ଼ଗଡ଼ ଲକ୍ଷ୍ମୀ ବିହାରର ସନ୍ତୋଷ ନାଥକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ମାମଲାର ପ୍ରାଥମିକ ତଦନ୍ତ କରୁଛି। ଏହି ମାଡ଼୍ପିଟ୍ର ସମସ୍ତ ଘଟଣା ଟାଙ୍କିର ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ତେବେ ଝିଅମାନେ ଯେଉଁମାନଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ସେମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ ନିଜ ନିଜ ଭିତରେ କରୋନାକୁ ନେଇ କଥା ହେଉଥିବା ବେଳେ ଝିଅମାନେ ନିଜ ଆଡ଼କୁ କଥାକୁ ଟାଣି ନେଇ ଏଭଳି ଭାବିଛନ୍ତି। ପେଟ୍ରୋଲ ଟାଙ୍କି କର୍ମଚାରୀ ଝିଅଙ୍କୁ କମେଣ୍ଟ ହେଲା ଭାବି ଆସି ସେମାନଙ୍କୁ ମାଡ଼ ମାରିଥିବା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବିୟୁଟି ପାର୍ଲରରେ କାମ କରୁଥିବା କେତେକ ଅଣଓଡ଼ିଆ ଯୁବତୀ ରାତି ପ୍ରାୟ ୧୦ଟା ବେଳେ କଳ୍ପନା ପେଟ୍ରୋଲ ଟାଙ୍କିରେ ତେଲ ପକାଇ ବାହାରୁଥିଲେ। ସେହି ପାଖରେ ଛିଡ଼ା ହୋଇଥିବା କେତେକ ଯୁବକ ସେମାନଙ୍କୁ ‘କରୋନା’ ବୋଲି କହିବା ସହ କମେଣ୍ଟ କରିଥିବା ଅଭିଯୋଗ ହୋଇଛି। ଏହି କମେଣ୍ଟ ପରେ ସେମାନେ ସମ୍ପୃକ୍ତ ଯୁବକମାନଙ୍କୁ ଗାଳିଗୁଲଜ ବି କରିଥିଲେ। ହେଲେ ଯୁବକମାନେ ସେମାନଙ୍କୁ କମେଣ୍ଟ ମାରି ନ ଥିବା କହିଥିଲେ। ଏଭଳି ଉଭୟଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ପେଟ୍ରୋଲ ଟାଙ୍କିର ସେଲ୍ସମ୍ୟାନ୍ ସନ୍ତୋଷ ସେଠାକୁ ଆସିଥିଲେ। ଯୁବତୀମାନଙ୍କ ସପକ୍ଷରେ ଯାଇ ଯୁବକମାନଙ୍କୁ ମାଡ଼ ମାରିଥିଲେ। ଏଭଳି ଉଭୟଙ୍କ ମଧ୍ୟରେ ଗଡ଼ାପଡ଼ା ହୋଇଥିଲା। ଯୁବତୀମାନେ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷକୁ ଧରିଥିଲା। ସନ୍ତୋଷ ମଧ୍ୟ ସେହି ଯୁବକଙ୍କ ମଧ୍ୟରୁ ସୁବାସ ମୁଖିଙ୍କ ନାମରେ ଅଭିଯୋଗ କରିଥିଲେ। ତିନିଟି ଅଭିହେଯାଗକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି।