ଗରିବ ଓ ମଧ୍ୟବିତ୍ତଙ୍କ ବଇରୀ ସାଜିଛି ଦେଶୀ-ବିଦେଶୀ ମଦ, ବଢ଼ୁଛି ଘରୋଇ ହିଂସା ଓ ଅପରାଧ
ବାରିପଦାରେ ବେଆଇନ ଭାବେ ବିକ୍ରି ହେଉଛି ଅରୁଣାଚଳପ୍ରଦେଶ ଓ ହରିୟାଣା ମଦ
ବାରିପଦା: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଗରିବ ମଧ୍ୟବିତ୍ତଙ୍କ ବଇରୀ ସାଜିଛି ଦେଶୀ ଓ ବିଦେଶୀ ମଦ। ଲକ୍ଡାଉନ୍ରେ ବି କମିନି ଜିଲ୍ଲାରେ କମିନି ମଦ ବିକ୍ରି। ବରଂ ବଢ଼ିଛି ବେଆଇନ ମଦ ବିକ୍ରି। ଦେଶୀ ହେଉ କି ବିଦେଶୀ ସବୁଠି ମିଳୁଛି ପୁଳା ପୁଳା ମଦ। କରୋନା କୌଣସି ପ୍ରଭାବ ପଡ଼ିନି ମଦ ବେପାରୀଙ୍କ ଉପରେ। ବରଂ ସେମାନେ ଆହୁରି ଅଧିକ ଲାଭବାନ ହୋଇଛନ୍ତି। ଓଡ଼ିଶାରେ ବିକ୍ରିପାଇଁ ଅନୁମତି ନଥିବା ଡ୍ୟୁଟି ଫ୍ରି ଅରୁଣାଚଳ ପ୍ରଦେଶ, ହରିୟାଣାରୁ ମଦ ମଧ୍ୟ ଜିଲ୍ଲା ସଦରମହକୁମା ବାରିପଦାରେ ଖୁଲମଖୁଲା ବିକ୍ରି ଚାଲିଛି। ମୟୂରଭଞ୍ଜରେ ମଦର କରୁଣ ପରିଣତି ସମ୍ପର୍କରେ କାହାକୁ ଅଛପା ନାହିଁ। ସରଳ ଆଦିବାସୀର ଦିନକର ସମ୍ପୂର୍ଣ୍ଣ ରୋଜଗାର ମଦରେ ଚାଲିଯାଉଛି। ଏଥିପାଇଁ ଘରୋଇ ହିଂସା ଓ ଅପରାଧ ଜିଲ୍ଲାରେ ଅହେତୁକ ଭାବେ ବୃଦ୍ଧି ଘଟିଛି। ଏକ ସର୍ଭେ ଅନୁସାରେ ରାଜ୍ୟର ବୃହତ୍ତମ ଜିଲ୍ଲାଭାବେ ମାନ୍ୟତା ପାଇଥିବା ମୟୂରଭଞ୍ଜରେ ମଦ୍ୟପାନ କାରଣରୁ ମୁଣ୍ଡ ଗଡ଼ିବାରେ ସର୍ବାଗ୍ରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଥା କଥାକେ ଏଠି ଯାଇଥାଏ ଜୀବନ। ନିଶା ଏହାକ ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞଙ୍କ ପକ୍ଷରୁ ପ୍ରକାଶ। ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣରେ ହାଣ୍ଡିଆ, ମହୁଲୀ ଭଳି ଦେଶୀମଦ ମିଳୁଛି। ସେହିପରି ସହରାଞ୍ଚଳରେ ଚଢ଼ା ଦରରେ ମିଳୁଛି ବିଦେଶୀ ମଦ। ନିକଟରେ ଜିଲ୍ଲା ନକଲି ମଦର କାରବାର ମଧ୍ୟ ବୃଦ୍ଧି ପାଇଛି। ୧୦୦ଟଙ୍କାର ମଦ ବୋତଲକୁ ମଦ ବେପାରୀମାନେ ତିନିଗୁଣା ଦରରେ ବିକ୍ରି କରୁଥିବାରୁ ନଜିର ରହିଛି। ବାରିପଦାର ସାହି ବସ୍ତିରେ ଚାଲିଛି ବିଦେଶୀ ମଦର ଅବାଧ ବେପାର। ଯୁବଗୋଷ୍ଠୀଙ୍କୁ ଲୋଭ ଦେଖାଇ କିଛି ମଦମାଫିଆ ଏହି ବେଆଇନ କାରବାରର ନେଟ୍ୱର୍କ ବିଛାଇଛନ୍ତି। ବାଲେଶ୍ବର ଗୋଲେଇ ନିକଟରେ ମାତ୍ର କିଛି ମିଟର ଦୂରରେ ହେଉ ଅବା ଦାରଗାଡାହି କିମ୍ବା ଜାତୀୟରାଜପଥ କଡ଼ରେ ମଧ୍ୟ ଅତ୍ୟନ୍ତ ସନ୍ତର୍ପଣରେ ଲକ୍ଡାଉନ୍ରେ ଚାଲିଛି ମଦ ବେପାର।
ଅବକାରୀ ବିଭାଗ ନିକଟରେ ଏନେଇ ଖବର ଥିଲେ ସୁଦ୍ଧା କିଛି କରିବାର ନାହିଁ। ବାରମ୍ବାର ଅଭିଯୋଗ ହେଲାପରେ କେବଳ ଲୋକଦେଖାଣିଆ ରେଡ୍ କରି କାମ ସାରିଦେଉଛି ବିଭାଗ। ଆଜିକା ଦିନରେ ମଧ୍ୟ ବାରିପଦାର ଜଣାଶୁଣା ମଦ ବେପାରୀମାନେ ହୋଟେଲ୍ ଢାବା ଏବଂ ସେମାନଙ୍କର ବ୍ୟକ୍ତିଗତ ନେଟ୍ୱର୍କରେ ବିପୁଳ ମଦ କାରବାର ଚଲେଇଛନ୍ତି। ମଦ ଦୋକାନର ପଛ ବାଟ ଦେଇ ହେଉ ଅବା ଆସୁଥିବା ଟ୍ରକ୍ ସିଧାସଳଖ ବିକ୍ରି ହେଉଛି ଏହି ବିଷ। ଲକ୍ଡାଉନ୍ ବୋଧହୁଏ ସେମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ମନଇଚ୍ଛା ଦରରେ ବିକ୍ରି କରି ବେଶ୍ ମୁନାଫା କମଉଛନ୍ତି। ପୁଲିସ୍ କିମ୍ବା ଅବକାରୀ ବିଭାଗ କେବଳ ଦେଖଣାହାରୀ ସାଜିଛନ୍ତି।
ମଦର ଏପରି ପ୍ରାବଲ୍ୟ ମୟୂରଭଞ୍ଜର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ନିଶାରେ ରହୁଥିବାରୁ ଏଠାରେ ପୁରୁଷ ମୃତ୍ୟୁହାର ବେଶ୍ ଅଧିକ। ଆଦିବାସୀ ସମାଜରେ ମହିଳାମାନେ ହିଁ ସାଜିଛନ୍ତି ପରିବାର ପ୍ରତିପୋଷଣର ମୁଖ୍ୟ ସାଧକ। ଅର୍ଥନୀତି ଦୁର୍ବଳ କରିବାରେ ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏହି କାରଣରୁ ଡାହାଣୀ, କଳାଯାଦୁ ଭଳି ତନ୍ତ୍ରମନ୍ତ୍ର ମଧ୍ୟ ବେଶ୍ ପ୍ରଭାବ ରଖୁଛି। ଏହା କାରଣରୁ ମଧ୍ୟ ବର୍ଷକୁ କେତେଯେ ମୁଣ୍ଡ ଗଡ଼ୁଛି ତାହାର ହିସାବ ନାହିଁ। ରାଜ୍ୟରେ ଏଥିପାଇଁ ମୟୂରଭଞ୍ଜର ସ୍ଥାନ ସବୁବେଳେ ଊର୍ଧ୍ବରେ। ବେଆଇନ ମଦ ବିକ୍ରି ବିରୋଧରେ ଜିଲ୍ଲାସାରା ରେଡ୍ ହେଉଛି। ଅଭିଯୋଗ ମିଳିଲେ ରେଡ୍ ପାଇଁ ଯାଉଛୁ। ମାତ୍ର ବାରିପଦାରେ ବେଆଇନ ବିକ୍ରିର ସନ୍ଧାନ ମିଳୁନି। ତଥାପି ବିଭାଗ ପକ୍ଷରୁ ବାରିପଦାର ବିଭିନ୍ନ ସ୍ଥାନରେ ପୁଣିଥରେ ରେଡ୍ କରିବୁବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ପୁରୁଷୋତ୍ତମ ଧାରୁଆ ସୂଚନା ଦେଇଛନ୍ତି।