ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସଂପର୍କରେ ଏକ ସଦ୍ୟ ସୂଚନା ମିଳିଛି । ତାହ ଅନୁଯାୟୀ ଏବେ ବିଜୟ ମହାନ୍ତିଙ୍କୁ ଭେଣ୍ଟିଲେଟରୁ କଢ଼ାଯାଇ ଆଇସିୟୁରେ ରଖାଯାଇଛି । ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ତଥା ଲୋକପ୍ରିୟ ଅଭିନେତା-ନିର୍ଦେଶକ ଶ୍ରୀତମ ଦାସଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ବିଜୟ ମହାନ୍ତିଙ୍କୁ ଦହିଘୋଳ ଓ ପଇଡ଼ ପାଣି ପିଇବାକୁ ଦିଆଯାଇଥିଲା । ତାଙ୍କର ଶରୀର ଅବସ୍ଥା ପୂର୍ବାପେକ୍ଷା ଅଧିକ ଭଲ ଅଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଶ୍ୱାସକ୍ରିୟାରେ ସାମାନ୍ୟ କଷ୍ଟ ଅନୁଭବ କରିଥିବାର ସୂଚନା ଦେଇଛନ୍ତି ଶ୍ରୀତମ । ଅପରପକ୍ଷରେ ବିଜୟ ମହାନ୍ତିଙ୍କ ପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ ତନ୍ଦ୍ରା ରାୟ ମଧ୍ୟ ବିଜୟ ମହାନ୍ତି ସୁସ୍ଥ ଥିବା କହିଛନ୍ତି । ତେବେ ବିଭିନ୍ନ ପ୍ରକାରର ଗୁଜବ ପ୍ରଚାର କରାଯାଉଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରିବା ସହ ଏଥିରୁ ନିବୃତ୍ତ ରହିବା ପାଇଁ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନଜିଣିଥିଲେ। ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରିତୋଳିବା ଥିଲା ବିଜୟଙ୍କ ସ୍ବକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ବସନ୍ତ ନାୟକଙ୍କ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି।