ଗଞ୍ଜାମ ଓ ଗଜପତିରେ ୨୭ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ
ମୃତକଙ୍କ ମଧ୍ୟରେ ୧୧ ଶିକ୍ଷକ, ଏଡିଏମ୍, ସରପଞ୍ଚ ଓ ପୁଲିସ ଅଧିକାରୀ, ତାଲିକାରେ ନାହିଁ ୨ ସାମ୍ବାଦିକଙ୍କ ନାଁ
ଭୁବନେଶ୍ୱର : ରାଜ୍ୟର କରୋନାରେ ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲା ଓ ତାଲିକାର ପଞ୍ଚମ ସ୍ଥାନରେ ଥିବା ଗଜପତି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୭ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଏଥିରେ ଗଞ୍ଜାମରେ ସର୍ବାଧିକ ୨୫ଜଣ ରହିଥିବା ବେଳେ ଗଜପତିରୁ ମାତ୍ର ୨ଜଣ ରହିଛନ୍ତି। ତେବେ ମୃତ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ୧୧ଜଣ କେବଳ ଶିକ୍ଷକ ରହିଛନ୍ତି। ଏହାସହ ଏଡିଏମ୍, ସରପଞ୍ଚ, ପୁଲିସ ଅଧିକାରୀ, ଲାବରେଟୋରି ଟେକ୍ନିସିଆନ୍, ଆଇସିଡିଏସ୍ ସୁପରଭାଇଜର, କନିଷ୍ଠ ଯନ୍ତ୍ରୀ, ପିଇଓ, ଡିଆଇପିଆରଓ ଓ ବ୍ରହ୍ମପୁର ମ୍ୟୁନସିପାଲଟିର କର୍ମଚାରୀ ରହିଛନ୍ତି। ରାଜ୍ୟ ସରକାର ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ବୋଲି ଘୋଷଣା କରିଛନ୍ତି। ଗଞ୍ଜାମ ଓ ଗଜପତିରେ ୨ଜଣ ସାମ୍ବାଦିକ କୋଭିଡ୍ରେ ପ୍ରାଣ ହରାଇଛନ୍ତି। ଜଣେ ଗଞ୍ଜାମର ହୋଇଥିବା ବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାର।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ଦୁଃଖର ବିଷୟ ଯେ, ସ୍ବାସ୍ଥ୍ୟ ବିଭାଗର କୋଭିଡ୍ ଯୋଦ୍ଧା ତାଲିକାରେ ଦୁହିଁଙ୍କ ନାଁ ମଧ୍ୟ ନାହିଁ। ୨୭ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରୁ ୨୪ ଜଣଙ୍କ କୋଭିଡ୍ ଯୋଦ୍ଧାଙ୍କ ଆବଶ୍ୟକ କାଗଜପତ୍ର ସରକାରଙ୍କ ହସ୍ତଗତ ହୋଇଛି। ତହିଁରୁ ୧୨ଜଣଙ୍କ ସଂପର୍କରେ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। ୬ଜଣ କୋଭିଡ୍ ଯୋଦ୍ଧାଙ୍କ ଏବେ କାଗଜପତ୍ର କାର୍ଯ୍ୟ ଜାରି ରହିଛି। ଜଣେ କୋଭିଡ୍ ଯୋଦ୍ଧାଙ୍କ ପକ୍ଷରୁ କୌଣସି ଦାବି ହୋଇ ନ ଥିବା ବେଳେ ୨ଜଣ ଅଯୋଗ୍ୟ ରହିଥିବା ଜଣାପଡ଼ିଛି। ୩ଜଣଙ୍କ କାଗଜପତ୍ର କାର୍ଯ୍ୟ ଅସମାପ୍ତ ରହିଛି। ଗଞ୍ଜାମ ଜିଲ୍ଲାର ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କ ଆବଶ୍ୟକ କାଗଜପତ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ସହାୟକ ଶିକ୍ଷକ ସବିତା ପଟ୍ଟନାୟକ, ଆରଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ରମେଶ ଚନ୍ଦ୍ର ପଣ୍ଡା ଓ ଗଜପତିର ଡିଆଇପିଆରଓ ରବି ଚନ୍ଦ୍ର ନାୟକଙ୍କ ମୃତ୍ୟୁ ସାର୍ଟିଫିକେଟ୍ ମିଳିପାରି ନ ଥିବାରୁ କାଗଜପତ୍ର କାର୍ଯ୍ୟ ଶେଷ ହୋଇପାରି ନାହିଁ। ସେହିପରି ଭାରତୀ ସ୍ବାଇଁ(ଏଡବ୍ଲୁଡବ୍ଲୁ) ଓ କେ. ଅଶାନ୍ତ ପାତ୍ର ଆଇସିଡିଏସ୍ ସୁପରଭାଇଜର ସରକାରୀ ଭାବେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଭାରତୀଙ୍କ ଲାବ୍ ପରୀକ୍ଷା ରିପୋର୍ଟ ନ ଥିବା ବେଳେ ଅଶାନ୍ତଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ନାହିଁ।