୩୦ ସାଂସଦ, ୫୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ; ପାର୍ଲାମେଣ୍ଟ ଆସିବା ମନା

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟସଭାର ୩୦ ଜଣ ସାଂସଦ ଏବଂ  ପାର୍ଲାମେଣ୍ଟ ସେକ୍ରେଟାରିଏଟର ୫୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପ୍ରଥମେ ମାତ୍ର ୧୭ ଜଣ ସାଂସଦ କୋଭିଡ୍ ପଜିଟିଭ୍ ବୋଲି ସୂଚନା ମିଳିଥିଲା। ମାତ୍ର ବର୍ତ୍ତମାନ ଏହି ସଂଖ୍ୟା ୩୦ରେ ପହଞ୍ଚିଛି। ଯଦିଓ ସରକାରୀ ଭାବେ ଏହି ତଥ୍ୟକୁ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଆଜି ପାର୍ଲାମେଣ୍ଟର ବର୍ଷା ଅଧିବେଶନ ଆରମ୍ଭ ହୋଇଥିବ‌ା ବେଳେ ସମସ୍ତ ସାଂସଦ ଏବଂ ରାଜ୍ୟସଭା ଓ ଲୋକସଭା ସେକ୍ରେଟାରିଏଟର ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ବ‌ାଧ୍ୟତାମୂଳକ କରାଯାଇଥିଲା। ଫଳରେ ସମସ୍ତଙ୍କର ଟେଷ୍ଟ କରାଯାଇଥିଲା। ଫଳରେ ୩୦ ସାଂସଦ ଓ ୫୦ରୁ ଊର୍ଦ୍ଧ୍ବ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

ଯେଉଁ ସାଂସଦ ଓ କର୍ମଚାରୀଙ୍କର କୋଭିଡ୍ ପଜିଟିଭ୍ ଆସିଛି, ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ପାର୍ଲାମେଣ୍ଟକୁ ନ ଆସିବାକୁ କୁହାଯାଇଛି।

ଏଥର ବିଳମ୍ବରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୨୦୦ ସଦସ୍ୟ ଲୋକସଭା ସଦନରେ ଉପସ୍ଥିତ ଥିଲା ବେଳେ ମୁଖ୍ୟଗୃହ ଉପରେ ଅବସ୍ଥିତ ଦର୍ଶକ ଗ୍ୟାଲେରିରେ ୩୦ରୁ ଅଳ୍ପ କିଛି ଅଧିକ ସାଂସଦ ଆସନ ଗ୍ରହଣ କରିଥିଲେ। ସୁନିଶ୍ଚିତ ଦୂରତା ବଜାୟ ରଖିବାକୁ ସଦସ୍ୟମାନଙ୍କ ବେଞ୍ଚ୍‌ ସାମ୍ନାରେ ପ୍ଲାଷ୍ଟିକ୍ ସିଲ୍‌ଡ୍‌ ଲଗାଯାଇଥିଲା।

ଲୋକସଭା ସଦନରେ ଚାଲିଥିବା କାଯ୍ୟକ୍ରମକୁ ଏକ ବିରାଟ ଟିଭି ସ୍କ୍ରିନ୍‌ରେ ପ୍ରଦର୍ଶିତ କରାଯାଉଛି। ସାମାଜିକ ଦୂରତା ନିୟମ ପ୍ରତି ଦୃଷ୍ଟି ଦିଆଯାଇ ଲୋକସଭା ସାଂସଦଙ୍କ ନିମନ୍ତେ ବ୍ୟବସ୍ଥ‌ା କରାଯାଇଥିବା ବେଳେ ରାଜ୍ୟସଭା ଗୃହରେ ଅଳ୍ପସଂଖ୍ୟକ ସଦସ୍ୟ ଆସନ ଗ୍ରହଣ କରିଥିଲେ।

ସାଧାରଣତଃ ୬ଜଣ ସଦସ୍ୟ ବସିବା ନିମନ୍ତେ ଉଦ୍ଦିଷ୍ଟ ବେଞ୍ଚ୍‌ରେ ଏଥର ତିନି ଜଣ ସଦସ୍ୟଙ୍କ ଲାଗି ଆସନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର