୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ ସାଙ୍ଗକୁ ରାଜଧାନୀରେ ୧୯ଟି ଦୋକାନ ବନ୍ଦ କରିଲା କମିସନରେଟ୍ ପୁଲିସ୍

ଟୁଇଟ୍ ଯୋଗେ ସୂଚନା ଦେଲେ ଡିସିପି

ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୁଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ । ଦୋକାନଗୁଡିକୁ ଯାଞ୍ଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ୨୭୫୨ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ୧୯ଟି ଦେକାନକୁ ସିଲ୍ କରାଯାଇଥିବା ନେଇ ବି ଡିସିପି ସ୍ପଷ୍ଟ କରିଛନ୍ତି।

ଯାଞ୍ଚ ବେଳେ ପୁଲିସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୁଲିସ କମିସନର୍ । ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଞ୍ଚ କରାଯାଉଥିବା ଜଣାଯାଇଛି । ତେବେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ନିୟମ ପାଳନ କରିବାକୁ ଅପିଲ କରିଛନ୍ତି ପୋଲିସ କମିସନର ।

ସମ୍ବନ୍ଧିତ ଖବର