ବାଙ୍କୀ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ହତ୍ୟା ଉଦ୍ୟମ ଘଟଣା : ୪ ମାସ ପରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ
ଅଭିଯୁକ୍ତ ପକ୍ଷଙ୍କ ଅଭିଯୋଗ ଆଧାରରେ ଭାଇ, ଭିଣୋଇଙ୍କୁ ଉଠାଇନେଲା ପୁଲିସ!
କଟକ : ଅଭିଯୋଗର ପାଖାପାଖି ୪ ମାସ ପରେ ବି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ। କିନ୍ତୁ ଅଭିଯୁକ୍ତ ପକ୍ଷଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ଦିବ୍ୟାଙ୍ଗ ଯୁବତୀଙ୍କ ଭାଇ ଓ ଭିଣୋଇଙ୍କୁ ପୁଲିସ ଉଠାଇ ନେବା ଘଟଣା ଭଳି ଅଭାବନୀୟ ଘଟଣା ଘଟିଛି ବାଙ୍କୀ ଅଞ୍ଚଳରେ। ବାଙ୍କୀ ଥାନା ହରିରାଜପୁର ଭୋଇ ସାହିର ପୀଡିତାଙ୍କ ବାପା ଏଭଳି ସ୍ଥିତିରେ ନ୍ୟାୟ ପାଇଁ କାହା ପାଖକୁ ଯିବେ ତାହାକୁ ନେଇ ଥଳକୂଳ ପାଉ ନାହାନ୍ତି। ୪ ମାସ ହେଲା ବାଙ୍କୀ ଥାନା ପୁଲିସ ତାଙ୍କୁ ନ୍ୟାୟ ଦେଇ ପାରୁ ନଥିବା ବେଳେ ଏବେ କିଭଳି ତାଙ୍କ ପୁଅ ଆଉ ଜ୍ବାଇଁଙ୍କୁ ତରବରିଆ ଭାବେ ଖୋର୍ଦ୍ଧା ଥାନା ପୁଲିସ ରାତି ଅଧରେ ଉଠାଇ ନେଲା, ତାହାର ସେ ଉତ୍ତର ଖୋଜୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଦିବ୍ୟାଙ୍ଗ (ଗୋଟିଏ ଆଖି ନଷ୍ଟ ହୋଇଯାଇଛି) ଯୁବତୀଙ୍କୁ ତାଙ୍କର ପିଉସୀ ଓ ପିଉସୀ ଝିଅ ଭଉଣୀ କାମ କରିବାର ସୁଯୋଗ ଦେବାକୁ କହି ବାଲେଶ୍ବର ନେଇ ଯାଇଥିଲେ। କିନ୍ତୁ ବାଲେଶ୍ବରରେ ପ୍ରତିଶ୍ରୁତି ମୁତାବକ କାମ ନଦେଇ ନୀଳଗିରିର ଏକ ଲଜରେ ରଖିଥିଲେ। ସଂପୃକ୍ତ ଲଜ ମାଲିକଙ୍କ ସହଯୋଗରେ ଯୁବତୀଙ୍କ ସହିତ ପ୍ରତ୍ୟେକ ଦିନ ବିଭିନ୍ନ ଲୋକ ଦୁଷ୍କର୍ମ କରୁଥିଲେ। ଶାରୀରିକ ନିର୍ଯାତନା ଦେବା ସହିତ ଧମକ ଦେଉଥିଲେ। ଗୋଟିଏ ଦିନ ସେ ପ୍ରତିବାଦ କରିବାରୁ ଟଣାଓଟରା କରି ଲଜ୍ର ମାଲିକ ଏବଂ ତାକୁ ନେଇଥିବା ତାର ପିଉସୀ ଝିଅ ଭଉଣୀ ଓ ଅନ୍ୟ ଜଣେ ତିନି ମହଲା ଛାତରୁ ଠେଲି ଦେଇଥିଲେ। ପରେ ସଂପୃକ୍ତ ଯୁବତୀଙ୍କୁ ଆଣି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାର ଦୁଇ ଗୋଡ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା। ସ୍ବେଚ୍ଛାସେବୀ ବିଭୂତିକୁମାର ରାୟ, ନଳିନୀ କୁମାର ରାୟ ପ୍ରମୁଖ ଦିବ୍ୟାଙ୍ଗ ଯୁବତୀର ଚିକିତ୍ସାରେ ସହଯୋଗ କରିଥିଲେ। ଦୁଇ ମାସ କାଳ କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇ ଦିବ୍ୟାଙ୍ଗ ଯୁବତୀ ଘରକୁ ଫେରିଥିଲା। ଏ ସଂପର୍କରେ ଯୁବତୀଙ୍କ ପକ୍ଷରୁ ପ୍ରଥମେ ମଙ୍ଗଳାବାଗ ଥାନା ଓ ପରେ ମହିଳା ଥାନାରେ ଅଭିଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ପୁଲିସ ସେଠାରେ ତାଙ୍କୁ ନିଜ ଅଞ୍ଚଳ ବାଙ୍କୀ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲା।
ଏଭଳି ସ୍ଥିତିରେ ଯୁବତୀଙ୍କ ମା ବାଙ୍କୀ ଥାନାରେ ମେ ୨୯ ତାରିଖରେ ଅଭିଯୋଗ ଦାଖଲ କରିଥିଲେ। ସେହି ଘଟଣାରେ ପୁଲିସ ଦଫା ୩୫୪, ୩୨୩, ୩୨୫, ୫୦୬, ୨୯୪, ୩୪୨, ୩୭୬ (୨), ୩୭୬(ଡି) ଓ ୩୪ ଆଇପିସିରେ ତଅପୋଇ ନାୟକ, ଈଶ୍ବର ନାୟକ ଓ ପପୁ ଭଳି ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। କିନ୍ତୁ ଏଯାଏ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଏବେ ଯୁବତୀର ଭାଇ ଓ ଭିଣୋଇଙ୍କୁ ଖୋର୍ଦ୍ଧା ପୁଲିସ ରାତି ଅଧରେ ଉଠାଇ ନେଇଛି ବୋଲି ଦିବ୍ୟାଙ୍ଗ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି। ସେମାନଙ୍କ ବିରୋଧରେ ଚୋରି ଓ ଦୁଷ୍କର୍ମ ଅଭିଯୋଗ ରହିଛି ବୋଲି କୁହାଯାଉଥିଲେ ବି ପୁଲିସ ଏବେ ସେମାନଙ୍କୁ କେଉଁଠି ରଖିଛି, ସେ ସଂପର୍କରେ ସେ କିଛି ଜାଣି ପାରୁ ନାହାନ୍ତି ବୋଲି କହିଛନ୍ତି। ଅଭିଯୁକ୍ତ ପକ୍ଷଙ୍କ ଅଭିଯୋଗ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଛି। କିନ୍ତୁ ତାଙ୍କ ଝିଅ ସହ ବାରମ୍ବାର ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ଘଟଣାରେ ଜଣେ ବି କାହାକୁ ପୁଲିସ ୪ ମାସ ପରେ ଧରି ପାରି ନଥିବା ବେଳେ ଏଭଳି ମିଛ ଅଭିଯୋଗରେ କାହା ନିର୍ଦ୍ଦେଶରେ ତାଙ୍କ ପୁଅ ଓ ଜ୍ବାଇଁଙ୍କୁ ଆସି ରାତି ଅଧରେ ଉଠାଇ ନେଲା ବୋଲି ପୀଡିତାଙ୍କ ବାପା ପ୍ରଶ୍ନ କରିଛନ୍ତି। ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟାର କାରଣ ହୋଇଥିବା ବେଳେ ପୀଡିତାଙ୍କ ବାପା ନ୍ୟାୟ ପାଇଁ ପୁଲିସ ଡିଜି ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।