ଭୁବନେଶ୍ୱର : ରାଜ୍ୟରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିସନ ଏହି ମର୍ମରେ ଚିଠି ଲେଖି ସରକାରଙ୍କୁ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଜଣାଇଛନ୍ତି। ଆସନ୍ତାବର୍ଷ ଅର୍ଥାତ୍ ଜାନୁଆରି ୩୧ ତାରିଖ ସୁଦ୍ଧା ଓ୍ଵାର୍ଡ଼ ପୁର୍ନଗଠନ ଓ ସରଂକ୍ଷଣ କାର୍ଯ୍ୟ ସାରିବା ଲାଗି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବି ନାରାୟଣ ସାହୁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖି ପୌରସଂସ୍ଥା ଗୁଡିକର କାର୍ଯ୍ୟକାଳ ଶେଷ ହେଉଥିବା ସଂପର୍କରେ ସୂଚନା ଦେଇଛନ୍ତି। ଜଣାଇଛନ୍ତି, ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଛି।
ଅନ୍ୟ ୨୦ ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତାବର୍ଷ ଡିସେମ୍ବର ୪ ତାରିଖରେ ପୂରିବାକୁ ଯାଉଥିବା ବେଳେ ଦୁଇଟି ପୌରସଂସ୍ଥାର କାର୍ଯ୍ୟକାଳ ମଧ୍ୟ ୨୦୧୮ ଡିସେମ୍ବର ୯ ତାରିଖରେ ସମାପ୍ତ ହେବ । ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟକାଳ ୨୦୧୯ ଜାନୁୟାରି ୧୭ ତାରିଖରେ ଶେଷ ହେଉଛି। କଟକ ମହାନଗର ନିଗମ ଓ ବାରିପଦା ପୌରସଂସ୍ଥାର କାର୍ଯ୍ୟକାଳ ୨୦୧୯ ଫେବୃୟାରି ୧୩ ତାରିଖରେ ପୂରିଯିବ । ବଲାଙ୍ଗିର, ଟିଟିଲାଗଡ ପୌରସଂସ୍ଥାର କାର୍ଯ୍ୟକାଳ ୨୦୧୯ ଜୁଲାଇ ୧୧ ତାରିଖରେ ଶେଷ ହେଉଛି। ନିୟମ ଅନୁସାରେ, ପୌରସଂସ୍ଥା ଗୁଡିକର ପାଞ୍ଚବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ଏଠାରେ ନିର୍ବାଚନ କରିବାକୁ ପଡିବ । ଏଣୁ ପ୍ରଥମ ପଦକ୍ଷେପ ସ୍ୱରୂପ ୱାର୍ଡ ପୁର୍ନଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ଲାଗି କମିସନ ଆଗ୍ରହ ପ୍ରକାଶ କରିଛନ୍ତି।