ଆଦାନୀ ଆଫ୍‌ଟର ଗାନ୍ଧୀ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମେ ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଗୁଜରାଟର ଜଣେ ବ୍ୟବସାୟୀଙ୍କର ଆଶ୍ଚର୍ଯ୍ୟଜନକ ଉତ୍‌ଥାନର ଟିକିନିଖି ଓ ନିରପେକ୍ଷ ବିବରଣୀ ଥିବା ଏକ ନିବନ୍ଧ ନିକଟରେ ‘ଫାଇନାନ୍‌ସିଆଲ୍‌ ଟାଇମ୍‌ସ’ରେ ପ୍ରକାଶ ପାଇଥିଲା। ତାହାର ଏକ ପାରାଗ୍ରାଫ୍‌ ଏହି ମର୍ମରେ ଥିଲା: ‘ପ୍ରଧାନମନ୍ତ୍ରୀ ଭାବେ ନିଜ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଶ୍ରୀଯୁକ୍ତ ମୋଦୀ, ଆଦାନୀଙ୍କର ଏକ ଘରୋଇ ବିମାନରେ ଗୁଜରାଟରୁ ନୂଆଦିଲ୍ଲୀ ଆସିଥିଲେ। ଏହା ସେମାନଙ୍କ ବନ୍ଧୁତାର ମୁକ୍ତ ପ୍ରଦର୍ଶନ ତଥା ଏକ ସମୟରେ ଦୁହିଁଙ୍କର କ୍ଷମତାକୁ ଉତ୍‌ଥାନର ଏକ ପ୍ରତୀକ। ମୋଦୀ ମହାଶୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଆଦାନୀଙ୍କର ମୋଟ ସ˚ପତ୍ତି ପ୍ରାୟ ୨୩୦ ପ୍ରତିଶତ ବଢ଼ିଛି। ସେ ବିଭିନ୍ନ ସରକାରୀ ଟେଣ୍ତର‌୍‌ ଲାଭ କରିଛନ୍ତି। ସାରା ଦେଶରେ ବିଭିନ୍ନ ଭିତ୍ତିଭୂମିମୂଳକ ପ୍ରକଳ୍ପ କାର୍ଯ୍ୟ ପାଇ ଆଦାନୀଙ୍କ ମୋଟ ସ˚ପତ୍ତିର ପରିମାଣ ୨୬୦୦ କୋଟି ଡଲାର‌୍‌ରୁ ଅଧିକ ହୋଇସାରିଲାଣି।’

ମୁଁ କେବେ ମୋଦୀଙ୍କୁ ଭେଟିନାହିଁ। ଏହି ନିବନ୍ଧଟି ପଢ଼ୁଥିବା ବେଳେ ଏକ ପୁରୁଣା କଥା ମନେପଡ଼ିଲା। ଏକଦା ଆଦାନୀଙ୍କୁ ଭେଟିବା ତଥା ତାଙ୍କ ସହ କାମ କରିବା ପାଇଁ ସୁଯୋଗ ପାଇଥିଲି। ଘଟନାର ପୃଷ୍ଠଭୂମି ଏହି ପରି। ସେପ୍‌ଟେମ୍ବର‌୍‌ ୨୦୧୩ରେ ମୁଁ ‘ଗାନ୍ଧୀ ବିଫୋର‌୍‌ ଇଣ୍ତିଆ’ ନାମକ ପୁସ୍ତକ ପ୍ରକାଶ କରିଥିଲି। ସେହି ପୁସ୍ତକରେ କାଠିଆଵାଡ଼ ଗଡ଼ଜାତରେ ଗାନ୍ଧୀଙ୍କ ପାଳନ-ପୋଷଣ, ସାମ୍ରାଜ୍ୟବାଦୀ ଲଣ୍ତନ୍‌ରେ ତାଙ୍କର ଶିକ୍ଷା ଏବ˚ ଦକ୍ଷିଣ ଆଫ୍ରିକାରେ ତାଙ୍କର ଆଇନ ବ୍ୟବସାୟ ଓ ସକ୍ରିୟତାବାଦୀ କାର୍ଯ୍ୟକଳାପ କଥା ବର୍ଣ୍ଣିତ। ସେହି ବର୍ଷ ଡିସେମ୍ବର‌୍‌ରେ ମୁମ୍ବାଇରେ ଅନୁଷ୍ଠିତ ଏକ ସାହିତ୍ୟ ଉତ୍ସବରେ ସେହି ନବ ପ୍ରକାଶିତ ପୁସ୍ତକ ଉପରେ ମୁଁ ନିଜର ବକ୍ତବ୍ୟ ରଖିଥିଲି। ବକ୍ତବ୍ୟ ଶେଷ କଲା ପରେ ଜଣେ ଯୁବକ ଆଗକୁ ଆସି ମୋତେ ଭେଟିଥିଲେ ଏବ˚ ସେ ଲେଖକ ହେବାକୁ ଚାହୁଁଥିବା କହି ନିଜର ପରିଚୟ ଦେଇଥିଲେ। କୌଣସି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ମୋ ସହ ଆଲୋଚନା କରିବା ପାଇଁ ଚାହୁଁଥିବା ମଧ୍ୟ କହିଥିଲେ। ତେବେ, ମୋର ସଙ୍ଗେସଙ୍ଗେ ଏକ ବିମାନରେ ବେଙ୍ଗାଲୁରୁ ଫେରିଯିବାର ଥିଲା। ଯେହେତୁ ଅପେକ୍ଷା କରିବା ମୋ ପକ୍ଷେ ସ˚ଭବ ନ ଥିଲା, ତାଙ୍କୁ ନିଜର ଇ-ମେଲ୍‌ ଠିକଣାଟି ଦେଇଥିଲି ଏବ˚ ସେ ଯାହା କହିବାକୁ ଚାହୁଁଛନ୍ତି, ଲେଖି ଇ-ମେଲ୍‌ କରିଦେବା ପାଇଁ କହିଥିଲି।

କିଛି ଦିନ ପରେ ସେହି ଯୁବକ ଜଣକ ଏକ ଇ-ମେଲ୍‌ ପଠାଇଥିଲେ। ସେଥିରେ ଲେଖାଥିଲା- ସେ ଏକ ପରାମର୍ଶଦାତା ସ˚ସ୍ଥାରେ କାମ କରୁଛନ୍ତି। ଗୌତମ ଆଦାନୀଙ୍କ ଜୀବନୀ ପୁସ୍ତକ ଲିଖନ ପ୍ରକଳ୍ପ ସହ ସେ ସ˚ପୃକ୍ତ। ସେ କାର୍ଯ୍ୟ କରୁଥିବା ସ˚ସ୍ଥା ପକ୍ଷରୁ ଏଥିପାଇଁ ଆଦାନୀଙ୍କ ସହ ଆଲୋଚନା କରାଯାଉଛି। ସେ ଆହୁରି ମଧ୍ୟ ଲେଖିଥିଲେ, ଏକାଧିକ ବଡ଼ ବଡ଼ ପ୍ରକାଶକ ଆଦାନୀଙ୍କ ଜୀବନୀ ପ୍ରକାଶ କରିବା ପାଇଁ ଆଗ୍ରହୀ ଥିବା ସାହିତ୍ୟ ବ୍ୟବସାୟ ସହ ସ˚ପୃକ୍ତ ଜଣେ ପ୍ରତିନିଧି ତାଙ୍କୁ କହିଛନ୍ତି।

ମୋ ସହ ଯୋଗାଯୋଗ କରିଥିବା ଯୁବକ ଲେଖିଥିଲେ- ସେ କାମ କରୁଥିବା ସ˚ସ୍ଥା ତଥା ଆଦାନୀ ଗ୍ରୁପ୍‌ ଏକ ଉଚ୍ଚ-ମାନର ଜୀବନୀ ଚାହେଁ। ତେଣୁ, ଉକ୍ତ ପ୍ରକଳ୍ପ ନିମନ୍ତେ ଜଣେ ଉପଯୁକ୍ତ ପରାମର୍ଶଦାତା ତଥା ମାର୍ଗଦର୍ଶକ ଆବଶ୍ୟକ। ମୁଁ ଉକ୍ତ ‘ପରାମର୍ଶଦାତା’ ଓ ‘ମାର୍ଗଦର୍ଶକ’ ଭୂମିକା ତୁଲାଇବି ବୋଲି ସେମାନେ ଆଶା କରୁଥିଲେ। ତେଣୁ, ସେ କାମ କରୁଥିବା ସ˚ସ୍ଥାର ଜଣେ ଉଚ୍ଚ ସ୍ତରୀୟ ପ୍ରତିନିଧି ଓ ଗୌତମ ଆଦାନୀଙ୍କ ସହ ମୋର ଏକ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ।

ମହାତ୍ମା ଗାନ୍ଧୀଙ୍କ ଉପରେ ଗବେଷଣା କରୁଥିବାରୁ ମୁଁ ଅନେକ ସମୟରେ ଗୁଜରାଟ ଯାଉଥିଲି। ଡିସେମ୍ବର‌୍‌ ୨୦୧୩ ବେଳକୁ ଗୌତମ ଆଦାନୀଙ୍କ ବାବଦରେ ଅଳ୍ପ କିଛି ଜାଣି ବି ସାରିଥିଲି। ସେ ଜଣେ ବ୍ୟବସାୟୀ ଏବ˚ ୨୦୦୧ରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କର ଅନ୍ତରଙ୍ଗ ଥିବା ଜାଣିଥିଲି। ସେତେବେଳେ ମଧ୍ୟ ମୋଦୀ ବେଳେ ବେଳେ ଆଦାନୀଙ୍କ ଘରୋଇ ବିମାନ ବ୍ୟବହାର କରୁଥିଲେ। ଅହମଦାବାଦରେ ଥିବା ବନ୍ଧୁମାନଙ୍କ ମାଧ୍ୟମରେ ତାଙ୍କ ବାବଦରେ ଅନେକ କଥା ଶୁଣିଥିଲି। ଗୁଜରାଟ ସରକାର କିପରି ମୂଲ୍ୟ ଯାହା ହୋଇଥାଉ ନା କାହିଁକି ସଙ୍ଗେସଙ୍ଗେ ଆଦାନୀଙ୍କ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇଥାଆନ୍ତି। ମତ୍ସ୍ୟଜୀବୀମାନେ ବାସହରା ହେଉଥିଲେ, ହେନ୍ତାଳ ବନ ଧ୍ବ˚ସ ହେଉଥିଲେ ବି ତାଙ୍କ ପ୍ରକଳ୍ପଗୁଡ଼ିକୁ ଅବିଳମ୍ବେ ସବୁଜ ସ˚କେତ ମିଳିଯାଏ।

ଶ୍ରୀଯୁକ୍ତ ମୋଦୀ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଡିସେମ୍ବର‌୍‌ ୨୦୧୩ ବେଳକୁ ଜଣା ପଡ଼ିସାରିଥିଲା। ତାହା ଘଟିଲେ, ଗୌତମ ଆଦାନୀଙ୍କ ଉପରେ ଅଧିକ ଆଶୀର୍ବାଦ ଅଜାଡ଼ି ହୋଇପଡ଼ିବ ବୋଲି ମଧ୍ୟ ପୂର୍ବରୁ ଭଲ ଭାବେ ଜଣାଥିଲା। ସେ ଆଗକୁ ଅଧିକ ପ୍ରଭାବଶାଳୀ ଓ ଗୁରୁତ୍ବପୂର୍ଣ୍ଣ ହେବେ ବୋଲି ପୂର୍ବାନୁମାନ କରି ନିଜର ଏକ ଜୀବନୀ ବା ଏକ ଆତ୍ମଚରିତ (ଏ କ୍ଷେତ୍ରରେ ଛଦ୍ମ ଲେଖକ ବା ଲେଖକ ଦଳ; ଇ˚ଲିସ୍‌ରେ ଘୋଷ୍ଟ୍‌ ରାଇଟର‌୍‌ମାନେ ତାଙ୍କ ପାଇଁ ଲେଖିଥାଆନ୍ତେ) ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗାନ୍ଧୀଙ୍କର ଏହି ଜୀବନୀକାର ସେହି ଭୂମିକାରେ ଅବତୀର୍ଣ୍ଣ ହେବ ବୋଲି ତାଙ୍କ ପରାମର୍ଶଦାତାମାନେ ଆଶା କରୁଥିଲେ।

ଗୌତମ ଆଦାନୀଙ୍କ ଜୀବନୀ ଲିଖନ ସହ ସ˚ପୃକ୍ତ ହେବା ପାଇଁ ଲୋଭନୀୟ ପ୍ରସ୍ତାବ, ମୋ କ୍ଷେତ୍ରରେ ପ୍ରଥମ ନୁହେଁ। ଗାନ୍ଧୀଙ୍କ ଉପରେ ଲେଖାଲେଖି ଆରମ୍ଭ କରିବାର ବହୁ ବର୍ଷ ପୂର୍ବରୁ ଭାରତର ଜନଜାତି ଉପରେ ଉଲ୍ଲେଖନୀୟ ଗବେଷଣା କରିଥିବା ବ୍ରିଟେନ୍‌ ଜନ୍ମିତ ଭାରତୀୟ ନୃତତ୍ତ୍ବବିଜ୍ଞାନୀ ଭେରିଅର‌୍‌ ଏଲ୍‌ଵିନ୍‌ଙ୍କର ଏକ ଜୀବନୀ ପୁସ୍ତକ ଲେଖିଥିଲି। ମାର୍ଚ‌୍‌ ୧୯୯୯ରେ ‘ଅକ୍‌ସଫୋର୍ଡ‌୍‌ ୟୁନିଭର୍ସିଟି ପ୍ରେସ୍‌’ ଦ୍ବାରା ‘ସାଭେଜି˚ ଦ ସିଭିଲାଇଜ୍‌ଡ’ ନାମରେ ପୁସ୍ତକଟି ପ୍ରକାଶ ପାଇଥିଲା। ପୁସ୍ତକଟିକୁ ସୁନ୍ଦର ଭାବେ ସମୀକ୍ଷା କରାଯାଇଥିଲା। ଗବେଷଣାତ୍ମକ ପୁସ୍ତକର ବିକ୍ରି ମଧ୍ୟମ ଧରଣର ହୋଇଥିଲା। ପ୍ରକାଶ ପାଇବାର ମାସେ ଦୁଇ ମାସ ପରେ ନୂଆଦିଲ୍ଲୀର ଜଣେ ବରିଷ୍ଠ ଏବ˚ ସମ୍ମାନାସ୍ପଦ ପାଠାଗାରିକ ଫୋନ୍‌ କରିଥିଲେ, ଯାହାଙ୍କ ସହ ମୋର ସେଭଳି କୌଣସି ବିଶେଷ ପରିଚୟ ବା ସ˚ପର୍କ ନ ଥିଲା। ସେ ପଚାରିଥିଲେ- ମୁଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଜୀବନୀ ଲେଖିବା ପାଇଁ ଇଚ୍ଛୁକ କି? ବାଜପେୟୀଙ୍କର ପରିବାର ସଦସ୍ୟମାନେ ତାଙ୍କୁ କିଛି ଲେଖକଙ୍କ ନାମ ମାଗିଥିଲେ ଏବ˚ ଏଲ୍‌ଵିନ୍‌ଙ୍କ ଉପରେ ମୁଁ ଲେଖିଥିବା ପୁସ୍ତକଟି ଦେଖି ସେ, ମୋ କଥା ଚିନ୍ତା କରିଥିଲେ। ସେ ‘ଅକ୍‌ସଫୋର୍ଡ‌୍‌ ୟୁନିଭର୍ସିଟି ପ୍ରେସ୍‌’ ସହ ଯୋଗାଯୋଗ କରିସାରିଥିଲେ ଏବ˚ ଉକ୍ତ ପ୍ରକାଶନୀ ସ˚ସ୍ଥା ଏହି ପ୍ରକଳ୍ପ ପାଇଁ ଆଗ୍ରହୀ ଥିବା କହିସାରିଥିଲା।

ପାଠାଗାରିକ ମହାଶୟ ଆହୁରି ମଧ୍ୟ କହିଥିଲେ- ପ୍ରଧାନମନ୍ତ୍ରୀଙ୍କ ଜୀବନୀ ପଢ଼ିବା ପାଇଁ ସାଧାରଣରେ ଆଗ୍ରହ ଅଛି। ପ୍ରତ୍ୟେକ ସରକାରୀ ବିଭାଗ ଏବ˚ ଉପ-ବିଭାଗ ଏକାଧିକ ଖଣ୍ତ ପୁସ୍ତକ କିଣିବେ, ଏଥିରେ କୌଣସି ସ˚ଦେହ ନାହିଁ। ଅନେକ ରାଜ୍ୟ ସରକାର ଏହାର ହିନ୍ଦୀ ଅନୁବାଦ କରାଇବେ। ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ର ସମସ୍ତ ଶାଖା ଏହାକୁ କିଣିବ। ଏହାର ବିତ୍ତୀୟ ପୁରସ୍କାର ଉଲ୍ଲେଖନୀୟ ହେବ। କିନ୍ତୁ, ମୁଁ ପ୍ରଭାବିତ ବା ସନ୍ତୁଷ୍ଟ ହୋଇପାରି ନ ଥିଲି। କାରଣ, କ୍ଷମତାରେ ଥିବା ଜଣେ ରାଜନୀତିଜ୍ଞଙ୍କ ଉପରେ ଜଣେ ବରାଦିଆ (କମିସନ୍‌ଡ) ଲେଖକ ମୁକ୍ତ, ସ୍ପଷ୍ଟ ଓ ସଚ୍ଚୋଟତାର ସହ ଲେଖିବା କେବେ ହେଲେ ସ˚ଭବ ନୁହେଁ। ଏକ ଦ୍ବିତୀୟ କାରଣ- ଯଦିଓ ବାଜପେୟୀ ମହାଶୟ ଜଣେ ଆକର୍ଷକ ଓ ବିଦ୍ବାନ୍‌ ବ୍ୟକ୍ତିତ୍ବ; ମୁଁ ତାଙ୍କ ଦଳ ଭାଜପାକୁ ଆଦୌ ଭଲପାଏନାହିଁ। ତାଙ୍କ ଦଳ କରୁଥିବା ହିନ୍ଦୁ ସ˚ଖ୍ୟାଗରିଷ୍ଠତାବାଦୀ ରାଜନୀତି ଆଦର୍ଶଗତ ଭାବେ ମହାତ୍ମା ଗାନ୍ଧୀଙ୍କ ବହୁବାଦୀ ରାଜନୈତିକ ଚିନ୍ତାଧାରାର ବିରୋଧୀ। ତେବେ, ପାଠାଗାରିକ ମହାଶୟଙ୍କୁ ଏତେଟା ଭଲ ଭାବେ ଜାଣି ନ ଥିବାରୁ ମୋ ମନକୁ ଆସିଥିବା କଥା, ତାଙ୍କ ପାଖରେ ସ୍ପଷ୍ଟ ଭାବେ ପ୍ରକାଶ କରି ନ ଥିଲି। ତେଣୁ, ଭିନ୍ନ ଭାବେ ମନା କରିଥିଲି। କହିଥିଲି- ଏଲ୍‌ଵିନ୍‌ ଜଣେ ଗୌଣ ବ୍ୟକ୍ତିତ୍ବ ଥିଲେ। ଧର୍ମଯାଜକରୁ ସୌଖୀନ ଗବେଷକ ପାଲଟିଥିଲେ। ତେଣୁ, ତାଙ୍କ ଉପରେ ଲେଖିବା ମୋ ପାଇଁ ସହଜ ଥିଲା। ଆଉ ପ୍ରଧାନମନ୍ତ୍ରୀଙ୍କ ଭଳି ଜଣେ ମହାନ୍‌ ବ୍ୟକ୍ତିତ୍ବଙ୍କ ଜୀବନୀ ଲେଖିବା ପାଇଁ ମୁଁ ନିଜକୁ ଯୋଗ୍ୟ ମନେ କରିପାରୁନାହିଁ।

ଉକ୍ତ ପାଠାଗାରିକଙ୍କ ମାଧ୍ୟମରେ ପ୍ରଥମ ଥର ଲାଗି ବରାଦିଆ ଜୀବନୀ ଲେଖକ ହେବା ସକାଶେ ସୁଯୋଗ ପାଇଥିଲି। ତାହା କିନ୍ତୁ ଶେଷ ନୁହେଁ। ୨୦୦୨ରେ କ୍ରିକେଟ୍‌ ଉପରେ ଏକ ପୁସ୍ତକ ଲେଖିଥିଲି। ତାହା ପ୍ରକାଶ ପାଇବା ପରେ ଦୁଇ ଜଣ କ୍ରିକେଟ୍‌ ଖେଳାଳି ସେମାନଙ୍କର ଜୀବନୀ ଲେଖା କାମରେ ସହଯୋଗ କରିବା ପାଇଁ ମୋତେ ପ୍ରସ୍ତାବ ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ଜଣେ ଏବେ ବି ଖେଳୁଛନ୍ତି ଏବ˚ ଅନ୍ୟ ଜଣକ ନିକଟରେ ଅବସର ନେଇଛନ୍ତି। ୨୦୦୭ରେ ସ୍ବାଧୀନ ଭାରତର ଏକ ଇତିହାସ ରଚନା କଲା ପରେ ନିକଟରେ ପରଲୋକ ଗମନ କରିଥିବା ଜଣେ କ˚ଗ୍ରେସ୍‌ ନେତାଙ୍କ ପୁତ୍ର, ତାଙ୍କ ପିତାଙ୍କ ଜୀବନୀ ଲିଖନ କାର୍ଯ୍ୟରେ ମୋର ସହଯୋଗ କାମନା କରିଥିଲେ। ଏବେ କ˚ଗ୍ରେସ୍‌ରେ ଥିବା ଜଣେ ରାଜନୀତିଜ୍ଞ ତାଙ୍କ ଜୀବନୀ ଲେଖିବା ପାଇଁ ସମାନ ପ୍ରକାରର ଅନୁରୋଧ କରିଥିଲେ। ପୁଣି, ଏବେ ଜୀବିତ ଥିବା ତଥା ଅଶୀ ବର୍ଷ ବୟସରେ ପଦାର୍ପଣ କରିଥିବା ଜଣେ ପ୍ରସିଦ୍ଧ ଭାରତୀୟ ବିଜ୍ଞାନୀଙ୍କ ଜୀବନୀ ଲେଖିବା ପାଇଁ ତାଙ୍କ ସହକାରୀମାନେ ଏବ˚ ନିକଟରେ ଇହଧାମ ତ୍ୟାଗ କରିଥିବା ଜଣେ ଅର୍ଥଶାସ୍ତ୍ରୀ-ପ୍ରଶାସକଙ୍କ ପରିବାରବର୍ଗ, ସେମାନଙ୍କ ଘରର ମୁରବିଙ୍କ ଉପରେ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ମୋତେ ପ୍ରସ୍ତାବ ଦେଇଥିଲେ। ଏମିତି ଅନେକ ପ୍ରସିଦ୍ଧ, କ୍ଷମତାଶାଳୀ ଓ ଧନିକ ଭାରତୀୟଙ୍କ ଜୀବନୀ ଲେଖିବା ପାଇଁ ପ୍ରସ୍ତାବ ପାଇଛି।

ତେବେ, ପ୍ରତ୍ୟେକ ଥର ମୁଁ ପ୍ରତ୍ୟାଖ୍ୟାନ କରିଛି। ମୋର ନିଜସ୍ବ ଲେଖା-ଲେଖି ଥିବାରୁ ଅନେକଙ୍କୁ ମନା କରିଛି। ମୁଁ ଲେଖିବା ପାଇଁ ଯଥେଷ୍ଟ ଯୋଗ୍ୟ ନୁହେଁ ଭାବି ଅନ୍ୟମାନଙ୍କୁ ମନା କରିଛି। ଜଣେ ଅବସରପ୍ରାପ୍ତ କ୍ରିକେଟ୍‌ ଖେଳାଳିଙ୍କ ଅହ˚କାରକୁ ଶବ୍ଦ ରୂପ ଦେବା ପାଇଁ ମୋର କୌଣସି ଆଗ୍ରହ ନାହିଁ। ପୁଣି, ଜଣେ ପ୍ରସିଦ୍ଧ ବିଜ୍ଞାନୀଙ୍କ ଗବେଷଣା ତଥା ବୌଦ୍ଧିକ ସଫଳତାକୁ ଶବ୍ଦ ରୂପ ଦେବା ପାଇଁ ମୁଁ ନିଜକୁ ଉପଯୁକ୍ତ ମନେକରୁନାହିଁ। ମୋଟାମୋଟି କହିଲେ, ଜଣେ ବରାଦିଆ ଜୀବନୀକାର ହେବାର ମାନସିକତା ମୋ’ଠାରେ ନାହିଁ। କେବଳ ନିଜେ ଅନୁପ୍ରାଣିତ ହେଲେ ବା ନିଜର ଇଚ୍ଛା ହେଲେ ମୁଁ କୌଣସି ବ୍ୟକ୍ତିଙ୍କ ଜୀବନୀ ଲେଖିବା ପାଇଁ ଚାହେଁ। ଯଦି କୌଣସି ବ୍ୟକ୍ତିଙ୍କ ପ୍ରତି ମୋ ଭିତରେ ଶ୍ରଦ୍ଧା ଭାବ ସୃଷ୍ଟି ହୁଏ, ମୁଁ ଗବେଷଣା କରେ। ଅର୍ଥ ପାଇଁ କେବେ ହେଲେ ନୁହେଁ। ଜଣଙ୍କ ପାଖରେ ଦେବାକୁ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଯେ ମୁଁ କିଛି ଲେଖି ପକେଇବି, ତାହା ମଧ୍ୟ ନୁହେଁ।

ମୁଁ ଏଲ୍‌ଵିନ୍‌ଙ୍କ ଉପରେ ଏକ ପୁସ୍ତକ ଲେଖିଥିଲି। ଏହାର ମୁଖ୍ୟ କାରଣ ସେ ହିଁ ମୋ ଜୀବନର ଗତିପଥ ବଦଳାଇ ଦେଇଥିଲେ। ଅର୍ଥଶାସ୍ତ୍ରର ଉଦାସୀନ ଛାତ୍ର ଥିବା ବେଳେ ତାଙ୍କ ଲେଖା ସ˚ସ୍ପର୍ଶରେ ଆସିଥିଲି। ଏଲ୍‌ଵିନ୍‌ଙ୍କ ରଚନା ପଢ଼ିବା ପରେ ମୁଁ ସମାଜବିଜ୍ଞାନ ଓ ସାମାଜିକ ଇତିହାସ ପ୍ରତି ଆଗ୍ରହୀ ହୋଇଥିଲି। ଗାନ୍ଧୀଙ୍କ ଉପରେ ଲେଖିବା ଆରମ୍ଭ କରିଥିଲି; କାରଣ, ଛାତ୍ର ଜୀବନରୁ ତାଙ୍କର ଜୀବନର ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ମୁଁ ଆକର୍ଷିତ। ପରେ ଐତିହାସିକ ଭାବେ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଅଭିଲେଖାଗାରରେ ଗାନ୍ଧୀ ସ˚ପର୍କିତ ଅନେକ ବିରଳ ସାମଗ୍ରୀ ପାଇଲି ଏବ˚ ସେଗୁଡ଼ିକ ତାଙ୍କ ଉପରେ ଦୁଇ ଖଣ୍ତ ବିଶିଷ୍ଟ ଜୀବନୀ ଲେଖିବା ପାଇଁ ମୋତେ ଅନୁପ୍ରାଣିତ କଲା।

ଡିସେମ୍ବର‌୍‌ ୨୦୧୩ରେ ଗୌତମ ଆଦାନୀଙ୍କ ଜୀବନୀ ଲେଖିବା ପାଇଁ ପ୍ରସ୍ତାବ ପାଇବା ବେଳକୁ, ମୁଁ ଏ ଭଳି ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ଅଭ୍ୟାସ କରୁଥିଲି। ତେଣୁ, ସେମାନଙ୍କ ପରାମର୍ଶଦାତା ବା ମାର୍ଗଦର୍ଶକ ହୋଇ ପାରିବିନାହିଁ ବୋଲି ପ୍ରସ୍ତାବ ଦେଇଥିବା ଯୁବକ ତଥା ସେ କାମ କରୁଥିବା ସ˚ସ୍ଥାକୁ ଲିଖିତ ଉତ୍ତର ଦେଇଥିଲି। ଗାନ୍ଧୀଙ୍କ ଜୀବନୀର ଦ୍ବିତୀୟ ଖଣ୍ତ ଲିଖନ କାର୍ଯ୍ୟରେ ବ୍ୟସ୍ତ ଥିବା ଏହାର କାରଣ ବୋଲି ଦର୍ଶାଇଥିଲି।

କେତେକ ବନ୍ଧୁଙ୍କୁ ଉକ୍ତ ପ୍ରସ୍ତାବ ପତ୍ର ଦେଖାଇଥିଲି। ତାହା ସହ କହିଥିଲି: ଏ ଭଳି ପ୍ରସ୍ତାବଟିଏ ଗ୍ରହଣ କରିବାର ଅର୍ଥ ଭବିଷ୍ୟତ୍‌ରେ ନିଜର ସ୍ମୃତି-କଥା ପାଇଁ ଏହି ନାମଟି ରଖିବା- ‘ଗାନ୍ଧୀଙ୍କଠାରୁ ଆଦାନୀ’ ବା ‘ଫ୍ରମ୍‌ ଗାନ୍ଧୀ ଟୁ ଆଦାନୀ’। ଜଣେ ବନ୍ଧୁ ଏହି ପ୍ରସଙ୍ଗରେ ଏକ ମଜାଳିଆ ଓ ଅଧିକ ଉତ୍ତମ ନାମର ପ୍ରସ୍ତାବ ଦେଇଥିଲେ- ‘ଗାନ୍ଧୀଙ୍କ ପରେ ଆଦାନୀ’ ବା ‘ଆଦାନୀ ଆଫ୍‌ଟର‌୍‌ ଗାନ୍ଧୀ’।

ସମ୍ବନ୍ଧିତ ଖବର