ଧର୍ମ ନାଁରେ ମୁସଲମାନଙ୍କୁ ଏସ୍‌ସି, ଏସ୍‌ଟି, ଓବିସି କୋଟା ଦିଆଯିବ ନାହିଁ: ପ୍ରଧାନମନ୍ତ୍ରୀ

ଜାହିରାବାଦ: ଧର୍ମ ଆଧାରରେ ମୁସଲମାନଙ୍କୁ ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଟା ଦେବାକୁ ସେ ଅନୁମତି ଦେବେ ନାହିଁ ବୋଲି କହି କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ପୁଣି ଥରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେଲେଙ୍ଗାନାର ଜାହିରାବାଦରେ ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ (କଂଗ୍ରେସ) ଭୋଟ୍ ବ୍ୟାଙ୍କ ପାଇଁ ସମ୍ବିଧାନକୁ ଅପମାନିତ କରିବାକୁ ଚାହୁଛନ୍ତି। କିନ୍ତୁ ମୁଁ ଚାହୁଛି ସେମାନେ ଜାଣନ୍ତୁ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଦଳିତ, ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଧର୍ମ ନାମରେ ମୁସଲମାନଙ୍କୁ ଦେବାକୁ ଦେବି ନାହିଁ। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ନେତୃତ୍ୱାଧୀନ ସରକାରଗୁଡ଼ିକ ଧର୍ମ ଆଧାରରେ ସଂରକ୍ଷଣ ଦେବା ଏବଂ ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ହ୍ରାସ କରୁଥିବା ଅଭିଯୋଗ ଆଣିଥିଲେ।

ରାଜ୍ୟ ଓବିସି ତାଲିକାରେ ମୁସଲମାନ ସମ୍ପ୍ରଦାୟକୁ ସାମିଲ କରିବା ପାଇଁ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ବିଷୟରେ କହିବାକୁ ଯାଇ ସେ ଏହା କହିଛନ୍ତି। ଏକ ସମୟ ଥିଲା ଯେତେବେଳେ ବିଶ୍ୱ ଆଗକୁ ବଢୁଥିଲା, କିନ୍ତୁ ଭାରତ କଂଗ୍ରେସର ଦୁର୍ନୀତିର ବନ୍ଧନରେ ଫସି ରହିଥିଲା। ବିଶ୍ୱ ଅର୍ଥନୈତିକ ଉନ୍ନତି କରୁଥିଲା, କିନ୍ତୁ ଭାରତ ନୀତିଗତ ପକ୍ଷାଘାତର ଶିକାର ହୋଇଥିଲା। ଏନ୍‌ଡିଏ ଭାରତକୁ ବହୁ କଷ୍ଟରେ ସେହି ପର୍ଯ୍ୟାୟରୁ ବାହାର କରିଛି, କିନ୍ତୁ କଂଗ୍ରେସ ପୁଣି ଥରେ ଦେଶକୁ ପୁରୁଣା ଖରାପ ଦିନକୁ ଫେରାଇ ଆଣିବାକୁ ଚାହୁଛି ବୋଲି ଜାହିରାବାଦ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କଂଗ୍ରେସ ଅନ୍ୟ ଧର୍ମ ପ୍ରତି ଧ୍ୟାନ ଦେଉନାହିଁ ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି। କଂଗ୍ରେସ କ୍ଷମତାକୁ ଆସିଲେ ୫୫ ପ୍ରତିଶତ ଉତ୍ତରାଧିକାର ଟିକସ ଲାଗୁ କରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର