‘ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ’

‘ଅଲ୍ ଦ ବେଷ୍ଟ ବବି’: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ତଥା ଦଳର ସଂଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ପ୍ରଣବ ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ,’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଣବଙ୍କ ସହିତ ବିଜେଡିର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

‘ଅଲ୍ ଦ ବେଷ୍ଟ ବବି’: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମା’ଙ୍କ ଆଶୀର୍ବାଦ ଜନତାଙ୍କ ଭଲପାଇବା ରହିଛି, ନିଶ୍ଚୟ ଜିତିବୁ: ପ୍ରଣବ

ଆଜି ସକାଳେ ପ୍ରଣବ ବିଧାନସଭା ପ୍ରାର୍ଥୀ ରୋହିତଙ୍କ ସହିତ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ ଓ ଆଶୀର୍ବାଦ କାମନା କରିଥିଲେ। ସମଲେଇ ମନ୍ଦିର ଦର୍ଶନ କରିବା ପରେ ଜେଲ୍‌ ଛକକୁ ଯାଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବାଲିବନ୍ଧାଠାରୁ ବହୁସଂଖ୍ୟାରେ ସମବେତ ପୁରୁଷ, ମହିଳା, ଯୁବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିବା ବେଳେ ବିଭିନ୍ନ ବର୍ଗର ଲୋକେ ଏଥିରେ ଯୋଡ଼ି ହୋଇଥିଲେ। ସମ୍ବଲପୁରୀ ବାଜାର ତାଳେ ତାଳେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ଫୁଲବର୍ଷା କରି ଲୋକେ ତାଙ୍କୁ ସ୍ୱାଗତ ଜଣାଉଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ସମୟରେ କୁଞ୍ଜେଲପଡ଼ାଠାରେ ଅଟକି ସମ୍ବଲପୁରର ପ୍ରସିଦ୍ଧ ‘ସର୍‌ସତିଆ’ ଖାଇଥିଲେ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀ। ଝାଡୁଆପଡ଼ାଠାରେ ପହଞ୍ଚିବା ପରେ ବ୍ରହ୍ମପୁରା ଗୁଡ଼ିକୁ ଯାଇ ଦର୍ଶନ କରିଥିଲେ । ବାଲିବନ୍ଧା ଠାରୁ ଶୋଭାଯାତ୍ରା ବାହାରି କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡ଼ା, ହାଟପଡ଼ା, ଦଲେଇପଡ଼ା ଓ ମ୍ୟୁନିସିପାଲଟି ଛକଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଅବସରରେ ସେ କହିଥିଲେ, ‘ମା ସମଲେଶ୍ୱରୀଙ୍କ ଡୋରି ଲାଗିବାରୁ ମୁଁ ଏ ମାଟିର ସେବା କରିବା ପାଇଁ ଆସିଛି। ମୁଖ୍ୟମନ୍ତ୍ରୀ ମୋତେ ସମ୍ବଲପୁର ପଠାଇଛନ୍ତି । ମା’ଙ୍କ ଆଶୀର୍ବାଦ ରହିଛି। ନିଶ୍ଚୟ ଜୟଯୁକ୍ତ ହେବୁ ଏବଂ ସମୃଦ୍ଧ ସମ୍ବଲପୁର ଗଢ଼ିବା ଦିଗରେ କାମ କରିବୁ।’

ବିଗତ ନିର୍ବାଚନରେ ସମ୍ବଲପୁରରୁ ଯେଉଁ ଦୁଇନେତା ନିର୍ବାଚିତ ହୋଇଥିଲେ ସେମାନେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି। ଅପରପକ୍ଷେ ରାଜ୍ୟ ସରକାରଙ୍କ ସମଲେଇ ପ୍ରକଳ୍ପ ଦ୍ୱାରା ସମଲେଇ ପୀଠର ଭବ୍ୟ ରୂପାନ୍ତର, ଭିସୁଟ୍‌ ଓ ଭିମ୍‌ସାର୍‌ର ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ, ୫-ଟି ସ୍କୁଲ ଜରିଆରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ମହିଳାଙ୍କୁ ରୋଜଗାରକ୍ଷମ କରିବା, କଳା, ସଂସ୍କୃତିର ସୁରକ୍ଷା, ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇବା, ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଏଭଳି ଅନେକ କ୍ଷେତ୍ରରେ ଉନ୍ନତିମୂଳକ କାମ କରାଯାଇଛି। ତେଣୁ, ଏଥର ବିଜେଡି ପ୍ରତି ଲୋକଙ୍କ ଆଶା ବିଶ୍ୱାସ ବଢ଼ିଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର