ଅନ୍ଧ ବିଶ୍ବାସ: ଗୁଣିଆର ନିର୍ଦ୍ଦେଶ ପରେ ଚାରିଦିନ ପରେ ମାଟିଖୋଳି ମୃତଦେହ ବାହାର କଲେ ମହିଳା 

ଝାରସୁଗୁଡ଼ା: ଗୁଣିଆଙ୍କ ନିର୍ଦ୍ଦେଶ ପରେ ମାଟିରେ ପୋତି ଦେଇଥିବା ଶିଶୁର ଶବକୁ ଚାରିଦିନ ପରେ ବାହାର କରି ବଞ୍ଚିଥିବା କହି ପୁଣି ହସପିଟାଲ ନେବା ଭଳି ଏକ ଘଟଣା ଝାରସୁଗୁଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିବରଣୀରୁ ଜଣାଯାଇଛି ଯେ, ଝାରସୁଗୁଡ଼ା ସହରାଞ୍ଚଳ ଏକାତାଲି ନିକଟରେ ଥିବା ଚାନ୍ଦମାରୀ ଠାରେ ଏକ ବିହାରୀ ପରିବାର ରୁହନ୍ତି। ଏହି ପରିବାରର ଶ୍ୟାମ ବିହାରୀ ଯାଦବ ଓ ତାଙ୍କ ପତ୍ନୀ ଶିବରାତ୍ରୀ ଦେବୀଙ୍କ ଏକ ଚାରି ମାସର ଶିଶୁପୁତ୍ର କୌଣସି ରୋଗରେ ଗତ ସୋମବାର ଦିନ ରାତିରେ ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଶିଶୁକୁ ହସପିଟାଲରୁ ଆଣି ଗାଁ ନିକଟରେ ପୋତି ଦେଇଥିଲେ। ଶିଶୁଟି ପୂର୍ବରୁ ବାରମ୍ବାର ଅସୁସ୍ଥ ରହୁଥିବାରୁ ମହିଳା ଜଣକ ବିହାରରେ ବାହା ହୋଇଥିବା ତାଙ୍କ ଝିଅ ଘରକୁ ଯାଇ ସେଠାରେ ଶିଶୁକୁ ଗୁଣିଆ ପାଖରେ ଦେଖାଇ ଗୁଣିଗାରେଡ଼ି କରୁଥିଲେ।

ଗତ ୧୫ ଦିନ ତଳେ ସେ ବିହାରରୁ ଝାରସୁଗୁଡ଼ା ଆସିଥିଲେ। ଏଠାକୁ ଆସିବା ପରେ ପୁଣି ଶିଶୁର ଦେହ ଅସୁସ୍ଥ ହେବାରୁ ତାକୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକତ୍ସା କରାଯାଉଥିଲା। ଚିକତ୍ସାଧିନ ଅବସ୍ଥା ବେଳେ ଶିଶୁର ମୃତ୍ୟୁ ଘଟିଥିଲା। ତେବେ ଶିଶୁକୁ ପୋତି ଦେବା ପରେ ମହିଳା ତାଙ୍କ ଝିଅ ସହିତ ଏ ନେଇ ଯୋଗାଯୋଗ କରିଥିଲେ ଓ ଗୁଣିଆ ସହିତ ତାଙ୍କ ଝିଅ ପରାମର୍ଶ କରିବା ପରେ ଗୁଣିଆ ଶିଶୁ ମରିନାହିଁ ସେ ବଞ୍ଚିଛି ବୋଲି କହି ତାକୁ ମାଟି ଭିତରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଗୁଣିଆ କଥାରେ ମହିଳା ତାଙ୍କୁ ଶିଶୁ ପୁତ୍ରକୁ ବାହାର କରିଥିଲେ। ପରେ ପୁଲିସ ସେଠାରେ ପହଞ୍ଚି ଶିଶୁକୁ ମୁଖ୍ୟ ଚିକତ୍ସାଳୟ ନେଇଥିଲା। ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ। ତେବେ ମହିଳା ଓ ତାଙ୍କ ପରିବାର ଏହାକୁ ଆଦୌ ବିଶ୍ବାସ କରିନଥିଲେ। ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ସଂଯୋଜକ ଆଶିଷ ପଣ୍ଡା ଉକ୍ତ ପରିବାରଙ୍କୁ ସଚେତନ କରିଥିଲେ।

ସମ୍ବନ୍ଧିତ ଖବର