୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗୋଟିଏ ଟ୍ରକରେ ପଞ୍ଜାବ ଓ ନାଗାଲ୍ୟାଣ୍ଡର ଦୁଇଟି ନମ୍ବର
ଦ୍ବିତୀୟ ତେଲ ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ
ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ପଞ୍ଜାବକୁ ଚାଲାଣ ହେଉଥିବା ଏକ ଟ୍ରକ (ଏନଏଲ-୦୫-ଡି-୮୦୨୩, ପିବି-୧୩କ୍ୟୁ-୩୨୦୮)ସହ ଡ୍ରାଇଭରକୁ ଗିରଫ କରିଛି ସଦର ପୁଲିସ। ଟ୍ରକର ଦ୍ବିତୀୟ ତେଲ ଟାଙ୍କିରେ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ହାତରେ ଜଣେ ଅଭିଯୁକ୍ତ ଗିରଫ ହେଇଛି । ଅଭିଯୁକ୍ତ ଜଣକ ହେଲେ ପଞ୍ଜାବର ବରନାଲା ଜିଲ୍ଲା ଦର୍ଶନ ସିଂହଙ୍କ ପୁଅ ଅମନଦୀପ ସିଂ (୩୯)। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ ୨୪୦/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଗତକାଲି ଜୟପୁର ସଦର ପୁଲିସକୁ ଏକ ସୁଚନା ମିଳିଥିଲା । ସଦର ଓଆଇସିଙ୍କ ସମେତ ଏସଆଇ ପି.କେ ମହାନ୍ତି ଓ ପୁଲିସ ଟିମ ବୌପାରିଗୁଡା–ଜୟପୁର ରାସ୍ତାର କୋଟା ଜଙ୍କସନ ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରିଥିଲେ । ପାତ୍ରପୁଟ ବ୍ରିଜି ନିକଟରେ ଟ୍ରକ ନଂ ଏନଏଲ-୦୫-ଡି-୮୦୨୩ ଗାଡିକୁ ଯାଞ୍ଚକଲା ବେଳେ ଗଞ୍ଜେଇ ଥିବାର ଜଣାପଡିଥିଲା । ଏହା ପରେ ଗାଡିକୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ପୋଲିସ ଡ୍ରାଇଭର ଠାରୁ ୧୦ ହଜାର ଶହେ ଟଙ୍କା ଜବତ କରିଥିବା ସୁଚନା ମିଳିଛି । ଟ୍ରକରୁ ପ୍ରାୟ ୧୧୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଇଥିବାର ଜଣାପଡିଛି । ତେବେ ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ସଦର ଓଆଇସି ଆଦିତ୍ୟ ମହାଙ୍କୁର ସୁଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଟ୍ରକ ଗୋଟିଏ କିନ୍ତୁ ନମ୍ବର ଦୁଇଟି। ଗୋଟିଏ ନମ୍ବର ନାଗାଲ୍ୟାଣ୍ଡ(ଏନଏଲ-୦୫-ଡି-୮୦୨୩)ରେ ପଞ୍ଜୀକୃତ ହୋଇଥିବାବେଳେ ଅନ୍ୟ ନମ୍ବରଟି (ପିବି-୧୩କ୍ୟୁ-୩୨୦୮)ରେ ପଞ୍ଜୀକୃତ ହୋଇଛି। ଏହି ଦୁଇଟି ନମ୍ବରକୁ ବ୍ୟବହାର କରି ସେ କୋରପୁଟରୁ ଗଞ୍ଜେଇ ଧରି ପଞ୍ଜାବକୁ ନେଉଥିବା ଜଣାପଡିଛି।