୧୯୯୨ ମସିହାରେ ମିଳିତ ଜାତିସଂଘ ସମଗ୍ର ବିଶ୍ବର ବିଭିନ୍ନ ଦେଶରେ ଥିବା ଧାର୍ମିକ ଓ ଭାଷାଭିତ୍ତିକ ସଂଖ୍ୟାଲଘୁ ଗୋଷ୍ଠୀ ଗୁଡ଼ିକର ଅଧିକାରର ସୁରକ୍ଷା ନିମନ୍ତେ ଏକ ଘୋଷଣାନାମା ପ୍ରସ୍ତୁତ କରିଥିଲେ। ଏହି ଘୋଷଣା ଓ ଆମ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆମ ଦେଶରେ ଥିବା ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ଓ ସେମାନଙ୍କ ସୁରକ୍ଷା ପାଇଁ ନୂତନ ଆଶା ସଂଚାର ହୋଇଥାଏ। ପ୍ରତି ବର୍ଷ ଡିସେମ୍ବର ୧୮ ତାରିଖରେ ପାଳନ କରାଯାଉଥିବା ବିଶ୍ବ ସଂଖ୍ୟାଲଘୁ ଅଧିକାର ଦିବସ ପରିପ୍ରେକ୍ଷୀରେ ଏ ନେଇ ଚିନ୍ତନ ଓ ମାନସ ମନ୍ଥନ ଅନିବାର୍ଯ୍ୟ ବୋଲି ମନେ ହୋଇଥାଏ। ଜାତିସଂଘର ଘୋଷଣା ପରେ ଆମ ଦେଶରେ ୧୯୯୨ ଏନ୍.ସି.ଏମ୍. ଅଧିନିୟମ ଅନୁଯାୟୀ ୧୯୯୩ ମସିହା କେନ୍ଦ୍ର ସରକାରଙ୍କ ନୋଟିଫିକେସନରେ ଜାତୀୟ ସଂଖ୍ୟାଲଘୁ କମିସନ ପ୍ରତିଷ୍ଠା କରାଗଲା।ଏହାର ପ୍ରମୁଖ କାର୍ଯ୍ୟ ମଧ୍ୟରେ ରହିଲା ଜାତୀୟ ଓ ରାଜ୍ୟ ସ୍ତରରେ ସଂଖ୍ୟାଲଘୁମାନଙ୍କର ସାମୂହିକ ବିକାଶର ମୂଲ୍ୟାୟନ କରିବା, ସଂଖ୍ୟାଲଘୁ ଅଧିକାରର ସୁରକ୍ଷା ଦେବା ଇତ୍ୟାଦି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହିଭଳି ସ୍ବତନ୍ତ୍ର ରାଜ୍ୟ ସଂଖ୍ୟାଲଘୁ ଆୟୋଗର ଆବଶ୍ୟକତା ରହିଛି। ଏହାଦ୍ବାରା ସଂଖ୍ୟାଲଘୁମାନଙ୍କ ସାମୂହିକ ବିକାଶ ଓ ଏହାର ମୂଲ୍ୟାୟନ ସମ୍ଭବ ହୋଇପାରିବ। ସମ୍ପ୍ରତି ସରକାରରେ ଥିବା ବିଜେଡି ଦଳର ଇସ୍ତାହାରରେ ମଧ୍ୟ ସଂଖ୍ୟାଲଘୁ ଆୟୋଗ ଗଠନ ବିଷୟରେ କୁହାଯାଇଛି। ତେବେ ଏହାକୁ କାର୍ଯ୍ୟକାରୀ କରାଯିବା ଦରକାର।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ୨୦୦୪ ଏନ୍.ସି.ଏମ୍.ଆଇ. ଅଧିନିୟମ ଅନୁଯାୟୀ ୨୦୦୫ ମସିହାରେ ଦେଶରେ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ କମିସନ ଗଠନ କରାଯାଇଛି। ଦେଶର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଜାତୀୟ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ (ଏନ୍.ସି.ଏମ୍.ପି)ରେ ଅନ୍ତର୍ଭୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଆମ ରାଜ୍ୟରେ ମଧ୍ୟ ଏହିଭଳି ସ୍ବତନ୍ତ୍ର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗର ଆବଶ୍ୟକତା ରହିଛି। ଯାହା ଫଳରେ କେନ୍ଦ୍ରର ସମସ୍ତ ଯୋଜନା ସହ ରାଜ୍ୟର ଯୋଜନାର ସଫଳ ରୂପାୟନ କରାଯାଇପାରିବ। ଆମ ରାଜ୍ୟରେ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ମୁସଲିମଙ୍କ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଏହା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଅବହେଳିତ ବର୍ଗ ଅଟେ। ଏହି ବର୍ଗର ସଂସ୍କୃତି ଓ ଭାଷାର ସୁରକ୍ଷା ପାଇଁ ଏମାନଙ୍କୁ ଧାର୍ମିକ ଓ ଭାଷାଭିତ୍ତିକ ସଂଖ୍ୟାଲଘୁ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି।
ରାଜ୍ୟରେ ଥିବା ଓଡ଼ିଶା ଉର୍ଦୁ ଆକାଡେମି, ରାଜ୍ୟ ମଦ୍ରସା ବୋର୍ଡ ଓ ଉର୍ଦୁ ସି.ଟି ଟ୍ରେନିଂ ସ୍କୁଲ ଏକ ନିର୍ଦ୍ଦିଷ୍ଟ ବର୍ଗର ସର୍ବାଧିକ ଆବଶ୍ୟକତା ପୂରଣ କରୁଛି। ଏଭଳି ଅନୁଷ୍ଠାନଗୁଡ଼ିକୁ ଭାଷାଭିତ୍ତିକ ସଂଖ୍ୟାଲଘୁ ଅନୁଷ୍ଠାନର ମର୍ଯ୍ୟାଦା ଦେବା ପାଇଁ ସରକାର ପଦକ୍ଷେପ ନେବା ଉଚିତ। ଯାହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟର ଯୋଜନା ଗୁଡ଼ିକରୁ ଏହି ଅନୁଷ୍ଠାନଗୁଡ଼ିକ ଅଧିକ ସହାୟତା ପାଇପାରିବେ। ଯଦିଓ ଅତୀତରେ ଗୁଣାତ୍ମକ ଶିକ୍ଷା ହାସଲ କରିବା ପାଇଁ ମଦ୍ରସା ଆଧୁନିିକୀକରଣ ଯୋଜନାରେ ମଦ୍ରସା ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇଥିଲା, ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଲିମପ୍ରାପ୍ତ ମାନବ ସମ୍ବଳ ଯୋଗାଉଥିବା ଓଡ଼ିଶାର ଏକମାତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ଉର୍ଦୁ ସି.ଟି ସ୍କୁଲ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ଅଛି। ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ଭଳି ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଭାଷାଭିତ୍ତିକ ସଂଖ୍ୟାଲଘୁ ପ୍ରଶିକ୍ଷଣ ପ୍ରତିଷ୍ଠାନ ଘୋଷଣା କରି ଏହାକୁ ଅତି ଉନ୍ନତ କରିବା ସହ ଏହି ପ୍ରତିଷ୍ଠାନରେ ଉଚ୍ଚତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯିବା ଦରକାର। ଏଠାରେ ଉଲ୍ଲେଖ କରାଯାଇପାରେ କି ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହି ଅନୁଷ୍ଠାନକୁ ସ୍ବତନ୍ତ୍ର ଟ୍ରେନିଂ ସ୍କୁଲର ମର୍ଯ୍ୟାଦା ଦେବା ନେଇ ଉଲ୍ଲେଖ ରହିଛି।
ଏହି ମର୍ମରେ ସଂଖ୍ୟାଲଘୁଙ୍କ କଲ୍ୟାଣ ଓ ବିକାଶ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ ଯେ ସେମାନେ ନିଜ ନିଜ ଅନୁଷ୍ଠାନ ଜରିଆରେ ଏ ନେଇ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରନ୍ତୁ।
ଫକିରସାହି, କାକଟପୁର, ପୁରୀ