ଭୁବନେଶ୍ୱର :ରାଜନେତାମାନେ ଆତ୍ମସ୍ବାର୍ଥ ଓ ଅର୍ଥଲିପ୍ସା ତ୍ୟାଗ କଲେ ନେତାଜୀଙ୍କ ସମୃଦ୍ଧ, ଐକ୍ୟବଦ୍ଧ, ସଂପ୍ରୀତିର ଭାରତବର୍ଷ ନିର୍ମାଣର ସ୍ବପ୍ନ ସାକାର ହୋଇପାରିବ। ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ବୁଦ୍ଧମନ୍ଦିର ହଲ୍ରେ ଆୟୋଜିତ ୭ମ ରାଷ୍ଟ୍ରୀୟ ନେତାଜୀ ସୁଭାଷ ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ବକ୍ତାମାନେ ଏପରି ଆହ୍ବାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀର ସପ୍ତାହକ ବୂର୍ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଚାପେକର ବନ୍ଧୁ (ଦାମୋଦର ହରି ଚାପେକର, ବାଳକୃଷ୍ଣ ହରିଚାପେକର, ବାସୁଦେବ ହରିଚାପେକର)ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ପରିଷଦର ସଭାପତି ଦେବୀ ପ୍ରସାଦ ପୃଷ୍ଟି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳ ସଭାପତି ଦୀପକ ମାଲବ୍ୟ ଓ ଜାତୀୟ ଯୁବ ପ୍ରକଳ୍ପର ମୁଖ୍ୟ ଭାଇଜୀ ଡ. ଏସ୍.ଏନ୍ ସୁବାରାଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭର୍ଚୁଆଲ୍ରେ ଉତ୍ସବର ଶୁଭାରମ୍ଭ କରିଥିଲେ। ଏଥିରେ ଅତିଥି ଭାବେ ରେଳବାଇ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର, ଶାନ୍ତିନିକେତନର ପ୍ରଫେସର୍ ଚକ୍ରଧର ତ୍ରିପାଠୀ, ସିମନ୍ତିନୀ ଜେନା, ସୀତାବଲ୍ଲଭ ମହାପାତ୍ର, ହର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଦେଶ ଆଜି ଗରିବୀ, ଅନାହାର, ଶୋଷଣ, ସାଂପ୍ରଦାୟିକତାବାଦ, ବେକାରୀ, ନାରୀ ନିର୍ଯାତନା, ଆର୍ଥିକ ଦୁର୍ନୀତିର ଜାଲ ଭିତରେ ଫସି ରହିଛି। ଏବେ ବି ଚାଷୀ, ଶ୍ରମିକ ଚରମ ଦୁର୍ଦ୍ଦଶା ଭିତରେ ରହିଛନ୍ତି। କ୍ଷମତା ଲିପ୍ସା, ଭୋଗବାଦ, ଅର୍ଥଲିପ୍ସା ଯୋଗୁଁ ଧନୀ ଓ ଗରିବ ମଧ୍ୟରେ ପ୍ରଭେଦ ବଢ଼ୁଛି। ସତ୍ୟ ଓ ନିର୍ଭୀକତାର ସ୍ୱରକୁ ଗ୍ରହଣ କରିବା ପରିବର୍ତ୍ତେ ଚପାଇଦେବାକୁ ଅପଚେଷ୍ଟା ହେଉଛି। ତେଣୁ ଏକ ଶ୍ରେଷ୍ଠ ଭାରତ ନିର୍ମାଣ ପାଇଁ ଯୁବ ଓ ଛାତ୍ର ସମାଜକୁ ଆଗେଇ ଆସିବାକୁ ପଡ଼ିବ। ନେତାଜୀଙ୍କ ସଂଗ୍ରାମରେ ଅନୁପ୍ରାଣୀତ ହେବାକୁ ପଡ଼ିବ ବୋଲି ଅତିଥିମାନେ ଆହ୍ବାନ ଦେଇଥିଲେ।
ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ସଂଗଠିକା ସମାଜସେବୀ ହାରାବତୀ ଗଣ୍ଡ, ସାମ୍ବାଦିକ ବିଶ୍ୱଭୂଷଣ ମିଶ୍ର, ନେତାଜୀଙ୍କର ସ୍କୁଲ୍ ଐତିହାସିକ ରେଭେନ୍ସା କଲେଜିଏଟ୍ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ଡ. ଅନୁସ୍ମିତା ସ୍ୱାଇଁଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ଦୁଇ ମେଧାବୀ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସତ୍ୟଜିତ୍ ବେହେରା ଓ ଗଞ୍ଜାମ ନିମୁଣ୍ଡିଆର ଶିବାନୀ ନାୟକଙ୍କୁ ଦଶହଜାର ଟଙ୍କା ଲେଖାଏଁ ‘ଜୟ ହିନ୍ଦ୍ ବୃତ୍ତି’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସରିତା ବାରିକ, ପ୍ରଫେସର୍ କିଶୋର ସ୍ୱାଇଁ, ଶେଖ୍ ସାହାଜାନ୍ ପ୍ରମୁଖ ପରିଚାଳନା କରିଥିଲେ।