ମାଲକାନଗିରି ଜିଲ୍ଲାରେ ୩ ବର୍ଷରେ ୩୭୩ଟି ଦୁର୍ଘଟଣା, ୧୮୬ ଜଣଙ୍କର ମୃତ୍ୟୁ

ମାଲକାନଗିରି: ଏବେ ସାରା ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳ କରାଯାଉଛି। ପୁଲିସ, ଆଞ୍ଚଳିକ ପରିବହନ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି। ଏପରକି ଆଞ୍ଚଳିକ ପରିବହନ ତରଫରୁ ଗରିବ ଲୋକେ ଯେଉଁମାନେ ହେଲମେଟ କିଣି ପାରୁନାହାନ୍ତି ସେମାନଙ୍କୁ ମଧ୍ୟ ହେଲମେଟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ହେଲମେଟ ଚେକିଂ ସହ ଲୋକଙ୍କୁ ବିଭିନ୍ନ ସଭା ମାଧ୍ୟମରେ ସଚେତନ କରାଯାଉଛି।

ତେବେ ମାଲକାନଗିରି ଜିଲ୍ଲାରେ କିନ୍ତୁ ଗତ ତିନି ବର୍ଷରେ ମୋଟ ୩୭୩ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଯଦି ୨୦୧୮ ମସିହାର ପୁଲିସ ରିପୋର୍ଟ ଅନୁଯାୟୀ ଦେଖିବା ୧୩୩ଟି ଦୁର୍ଘଟଣା ଘଟିଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩୯ ଜଣ ସାମାନ୍ୟ ଆହତ ହୋଇଥିଲେ। ତେବେ ଜୋରିମାନା ବାବଦକୁ ୨୨ ଲକ୍ଷ ୧୮ ହଜାର ୮ ଶହ ଟଂକା ଆଦାୟ କରାଯାଇଥିଲା। ସେହିପରି ୪୧୧ ଜଣଙ୍କର ଲାଇସେନସ୍ ରଦ୍ଦ କରାଯାଇଥିଲା। ୨୦୧୯ ମସିହାରେ ୧୨୩ଟି ଦୁର୍ଘଟଣା ଘଟିଥିବା ବେଳେ ୬୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୩୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୭ ଜଣ ସାମାନ୍ୟ ଆହତ ହୋଇଥିଲେ।

ଜୋରିମାନା ବାବଦକୁ ୧୪ ଲକ୍ଷ ୬୭ ହଜାର ୯୩୦ ଟଂକା ଆଦାୟ କରାଯାଇଥିବା ବେଳେ ୪୧୨ ଜଣଙ୍କର ଲାଇସେନସକୁ ରଦ୍ଦ କରାଯାଇଥିଲା। ୨୦୨୦ ମସିହାରେ କରୋନା ମହାମାରୀ ସତ୍ବେ ମଧ୍ୟ ୧୧୭ଟି ଦୁର୍ଘଟଣା ଘଟିଥିଲା। ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୪ ଜଣ ସାମାନ୍ୟ ଆହତ ହୋଇଥିଲେ।

ସେହିପରି ଜୋରିମାନା ବାବଦକୁ ୧୩ ଲକ୍ଷ ୪୦ ହଜାର ୨୫୦ ଟଂକା ଆଦାୟ କରାଯାଇଥିବା ବେଳେ ମାତ୍ର ୬୧ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଥିବା କୁହାଯାଇଛି। ୨୦୨୦ ମସିହାରେ କରୋନା ସତ୍ବେ ୬୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଅର୍ଥାତ ପ୍ରତିବର୍ଷ ଦୁର୍ଘଟଣାରେ ୬୦ ଜଣ ଏଭେରେଜରେ ମୃତ୍ୟୁ ଘଟୁଛି। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ଏବେ ଚାରିଆଡେ ପକ୍କା ରାସ୍ତା ହୋଇଯାଇଥିବା ବେଳେ ଲୋକେ ଆଉ ଗାଡିରେ ବ୍ରେକ ଦେଉନାହାନ୍ତି। ଯାହାଫଳରେ ଦୁର୍ଘଟଣା ବଢିଚାଲିଛି।

ଗତ ଦୁଇ ଦିନ ତଳେ ରାତିରେ ଜୁଇ ହାଇତ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହା ସୂଚାଇ ଦେଉଛି ଲୋକଙ୍କର ଦ୍ରୁତ ଗତିରେ ଗାଡି ଚାଳନା ଉପରେ। ଏତେ ସବୁ ସଚେତନ ସତ୍ବେ ମଧ୍ୟ ଲୋକେ ସଚେତନ ନହୋଇ ମୃତ୍ୟୁବରଣ କରୁଛନ୍ତି। ତେଣୁ ବିଭାଗ ପକ୍ଷରୁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ହୁଏତ ଲୋକେ ଭୟ କରି ହେଲମେଟ ପନ୍ଧିବା ସହ ଚାରିଚକିଆ ଯାନରେ ସିଟବେଲ୍ଟ ଲଗାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର